କିଛି ବଡ଼ ଘଟିବାକୁ ଯାଉଛି, ଶୀଘ୍ର ଲେବାନନ ଛାଡ଼; ଆମେରିକା ସମେତ ଅନେକ ଦେଶ ନିଜ ନାଗରିକଙ୍କୁ କଲେ ଆଲର୍ଟ

Published By : Prameya-News7 Bureau | September 22, 2024 IST

ନୂଆଦିଲ୍ଲୀ: ହେଜବୁଲ୍ଲା ଆତଙ୍କୀଙ୍କ ଉପରେ ଇସ୍ରାଏଲର ବଢୁଥିବା ଆକ୍ରମଣ ମଧ୍ୟରେ ଆମେରିକା ଫ୍ରାନ୍ସ, କାନାଡା ଏବଂ ବ୍ରିଟେନ୍ ସରକାର ନିଜ ନାଗରିକଙ୍କୁ ଯଥାଶୀଘ୍ର ଲେବାନନ ଛାଡ଼ିବା ପାଇଁ କହିଛନ୍ତି । ଆମେରିକାର ବୈଦେଶିକ ବ୍ୟାପାର ବିଭାଗ କହିଛି ଯେ ଯେପର୍ଯ୍ୟନ୍ତ ବିମାନ ସେବା ଉପଲବ୍ଧ ଅଛି, ଲେବାନନ ଛାଡ଼ି ଦିଅନ୍ତୁ । କିଛି ଦିନରେ ସୁରକ୍ଷା ସ୍ଥିତି ଅଧିକ ଖରାପ ହୋଇପାରେ । କିଛି ଦିନ ପୂର୍ବେ ଲେବାନନ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରି ହେଜବୁଲ୍ଲାର ଶୀର୍ଷ କମାଣ୍ଡର ଅହମଦ ବାହବି ସମେତ ଅନେକ ଲୋକଙ୍କ ହତ୍ୟା କରିଥିଲା । ବେରୁତରେ ଇସ୍ରାଏଲର ଆକ୍ରମଣରେ ମୃତକଙ୍କ ସଂଖ୍ୟା ୩୭ ହୋଇଛି ।

ଗତ ସପ୍ତାହରେ ଇସ୍ରାଏଲ୍ ପିଏମ୍ ବେଞ୍ଜାନିମ ନେତନ୍ୟାହୁ ଯୁଦ୍ଧ କ୍ୟାବିନେଟରେ ଘୋଷଣା କରିଥିଲେ ଯେ ହମାସ ପରେ ଏବେ ହେଜବୁଲ୍ଲା ସହ ସିଧା ଲଢେଇ ସମୟ ଆସିସାରିଛି । ସେ ଲେବାନନ ସହ ସଂଲଗ୍ନ ଉତ୍ତର କ୍ଷେତ୍ରରେ ପୁଣି ଥରେ ବସତି ଆରମ୍ଭ କରିବା ଏବଂ ହେଜବୁଲ୍ଲା ଉପରେ ଆକ୍ରମଣ ତୀବ୍ର କରିବା ପାଇଁ ଘୋଷଣା କରିଥିଲେ । ଏହାପରଠୁ ହେଜବୁଲ୍ଲା ଉପରେ ଲଗାତାର ଆକ୍ରମଣ ବୃଦ୍ଧି ପାଇଛି । ପେଜର ଏବଂ ୱାକି-ଟକି ଆକ୍ରମଣରେ ହେଜବୁଲ୍ଲାର ଅନେକ କମାଣ୍ଡରଙ୍କ ମୃତ୍ୟୁ ହୋଇସାରିଛି ।

ଅନ୍ୟପଟେ ହେଜବୁଲ୍ଲା ମଧ୍ୟ ଇସ୍ରାଏଲ୍ ଉପରେ କାଉଣ୍ଟର ଆଟାକ୍ କରୁଛି । ରବିବାର ଇସ୍ରାଏଲୀ ମିଡିଆ ରିପୋର୍ଟ କରିଥିଲା ଯେ ହେଜବୁଲ୍ଲା ଉତ୍ତର ଇସ୍ରାଏଲରେ ୧୦୦ରୁ ଅଧିକ ରେକଟ୍ ମାଡ଼ କରିଥିଲା । ତେବେ ଏହି ଆକ୍ରମଣରେ କୌଣସି ମୃତାହତ ସୂଚନା ନାହିଁ । ଅଧିକାଂଶ ଆକ୍ରମଣକୁ ସିନ ବେଟ୍ ଏବଂ ଇସ୍ରାଏଲୀ ବାୟୁ ରକ୍ଷା ପ୍ରଣାଳୀ ଦ୍ୱାରା ହିଁ ଆକାଶରେ ଧ୍ୱଂସ କରାଯାଇଥିଲା ।

ହେଜବୁଲ୍ଲା ଏବଂ ଇସ୍ରାଏଲ୍ ମଧ୍ୟରେ ବଢୁଥିବା ସଂଘର୍ଷରେ ଆମେରିକା ସମେତ ଅନେକ ଦେଶକୁ ଚିନ୍ତାରେ ପକାଇଛି । ଶନିବାର ରାତିରେ ଆମେରିକୀୟ ବୈଦେଶିକ ବିଭାଗ ଲେବାନନରେ ଥିବା ନିଜ ନାଗରିକଙ୍କୁ ଆଗ୍ରହ କରି ଶୀଘ୍ର ଦେଶ ଛାଡ଼ିବା ପାଇଁ କହିଛନ୍ତି । ଆମେରିକା ଏହା ପଛରେ ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷକୁ ଦର୍ଶାଇଛି । ସମାନ ଢଙ୍ଗର ପରାମର୍ଶ ଫ୍ରାନ୍ସ, ବ୍ରିଟେନ ଏବଂ କାନାଡା ସହ ଅନେକ ଦେଶ ଦ୍ୱାରା ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.