ଆମେରିକା ଏବଂ ଭାରତ ମଧ୍ୟରେ ‘ମେଗା ଡିଲ୍‌’, ଡ୍ରୋନଠୁ ସେମିକଣ୍ଡକ୍ଟର ଯାଏଁ...ଏହି ସବୁ କ୍ଷେତ୍ରରେ ସହଯୋଗ ପାଇଁ ସହମତି

Published By : Prameya-News7 Bureau | September 22, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବୈଠକ କରିଛନ୍ତି । ଏହି ଅବସରରେ ଦୁଇ ନେତା ପରସ୍ପର ହିତରେ ଦ୍ୱିପାକ୍ଷିକ ସହଯୋଗକୁ ବଢାଇବା ଉପାୟ ଉପରେ ଚର୍ଚ୍ଚା କରିଛନ୍ତି । ଏହାସହ ଭାରତ-ପ୍ରଶାନ୍ତ କ୍ଷେତ୍ର ସହ ବୈଶ୍ୱିକ ଏବଂ କ୍ଷେତ୍ରୀୟ ମୁଦ୍ଦା ଉପରେ ବିଚାର ବିମର୍ଶ କରିଛନ୍ତି ।  

ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନର ଐତିହାସିକ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶାଂସ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଏହି ଦ୍ୱିପାକ୍ଷିକ ବାର୍ତ୍ତା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ହୋଇଛି । 

ଡ୍ରୋନ୍ ଏବଂ ଯୁଦ୍ଧ ବିମାନକୁ ନେଇ ବଡ଼ ଡିଲ୍

ଭାରତ ଏବଂ ଆମେରିକା ମଧ୍ୟରେ ଡ୍ରୋନ୍ ଏବଂ ଯୁଦ୍ଧ ବିମାନ କ୍ରୟ ନେଇ ଏକ ବଡ଼ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଭାରତ ଆମେରିକାରୁ ୩୧ ଜେନେରାଲ ଅଟମିକ୍ସ ଏମକ୍ୟୁ-୯ ବି (୧୬ ସ୍କାଇ ଗାର୍ଡିୟନ ଏବଂ ୧୫ ସି’ ଗାର୍ଡିୟନ) ଡ୍ରୋନ କିଣିବାକୁ ଯାଉଛି । ଆମେରିକା ଫେବ୍ରୁଆରୀରେ ଭାରତୀୟ ସେନାକୁ ୩.୯୯ ବିଲିୟନ ଡଲାରର ଆନୁମାନିକ ମୂଲ୍ୟରେ ୩୧ ଏମକ୍ୟୁ-୯ ବି ଡ୍ରୋନ୍ ବିକ୍ରିକୁ ମଞ୍ଜୁରି ଦେଇଥିଲା ।  

C-130J ସୁପର ହରକ୍ୟୁଲିସକୁ ନେଇ ବୁଝାମଣା

ଭାରତ ଏବଂ ଆମେରିକା ମଧ୍ୟରେ ଲକହିଡ୍ ମାର୍ଟିନ ଏବଂ ଟାଟା ଆଡଭାନ୍ସଡ୍ ସିଷ୍ଟମ ଲିମିଟେଡ୍‌ର ମିଳିତ ବୁଝାମଣା ଉପରେ ମଧ୍ୟ ଆଲୋଚନା ହୋଇଛି । ଏହି ଚୁକ୍ତି ସି-୧୩୦ଜେ ସୁପର୍ ହରକ୍ୟୁଲିସ ବିମାନ ପାଇଁ ଏମଆରଓ ସୁବିଧା ସ୍ଥାପିତ କରିବା ପାଇଁ ହୋଇଛି । ଯାହା ବୈଶ୍ୱିକ ମିଶନରେ ଭାରତ ପାଇଁ ଏକ ବଡ଼ ଉପଯୋଗୀ ହୋଇପାରେ । ଏହା ପ୍ରତିରକ୍ଷା ଏବଂ ଏୟରୋସ୍ପେସ୍ କ୍ଷେତ୍ରରେ ଆମେରିକା-ଭାରତ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ସେମିକଣ୍ଡକ୍ଟର ନିର୍ମାଣରେ ଭାରତକୁ ସହଯୋଗ କରିବ ଆମେରିକା

ଭାରତ ଏବଂ ଆମେରିକା ମଧ୍ୟରେ ସେମିକଣ୍ଡକ୍ଟର ନିର୍ମାଣକୁ ନେଇ ମଧ୍ୟ ଏକ ବଡ଼ ବୁଝାମଣା ହୋଇଛି । ଦୁଇ ଦେଶ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଆଡଭାନ୍ସ ସେନସିଂ, ସଂଚାର ଏବଂ ପାୱାର ଇଲେକ୍ଟ୍ରୋନିକ୍ସ ଉପରେ କେନ୍ଦ୍ରିତ ଏକ ନୂଆ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର ପ୍ରଶାଂସା କରିଛନ୍ତି । ଏହି ପ୍ଲାଣ୍ଟ କୋଲକାତାରେ ପ୍ରତିଷ୍ଠା କରାଯିବ । ପିଏମ୍ ମୋଦୀ କହିଛନ୍ତି ଯେ ଏହାଦ୍ୱାରା ଭାରତକୁ ସେମି, ଥର୍ଡଟେକ୍ ଏବଂ ୟୁଏସ୍ ସ୍ପେସ୍ ଫୋର୍ସ ମଧ୍ୟରେ ରଣନୈତିକ ଟେକ୍ ବୁଝାମଣାକୁ ସକ୍ଷମ କରାଯିବ ।

ଗ୍ରୀନ ଏନର୍ଜି ସେକ୍ଟର

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ବାଇଡେନ ସୁରକ୍ଷିତ ବୈଶ୍ୱିକ ସ୍ୱଚ୍ଛା ଉର୍ଜା ଯୋଗାଣ ଶୃଙ୍ଖଳା ପାଇଁ ୟୁଏସ୍-ଇଣ୍ଡିଆ ରୋଡ୍‌ମ୍ୟାପକୁ ପ୍ରଶଂସା କରିଛନ୍ତି । ଏହି ମାମଲାରେ ଏବେ ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକା ଏବଂ ଭାରତ ଅକ୍ଷୟ ଉର୍ଜା, ଉର୍ଜ ଭଣ୍ଡାର, ପାୱାର ଗ୍ରିଡ୍, ଟ୍ରାନ୍ସମିଶନ ପ୍ରଯୁକ୍ତି, ଉଚ୍ଚ ଦକ୍ଷତା ବିଶିଷ୍ଟ କୁଲିଂ ସିଷ୍ଟମ, ଶୂନ୍ୟ ଅଙ୍ଗାରକାମ୍ଲ ନିର୍ଗମନ ଗାଡ଼ି ଏବଂ ଅନ୍ୟ ବିକଶିତ ସ୍ୱଚ୍ଛ ପ୍ରଯୁକ୍ତି ଉପରେ ମିଳିତ ଭାବେ କାମ କରିବେ । ଦୁଇ ଦେଶ ଏହା ଉପରେ ମିଳିତ ଭାବେ ୧ ବିଲିୟନ ଡଲାରର ସହାୟତା ପ୍ରଦାନ କରିବେ ।

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.