ଆତିଶି ହେଲେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ, ଶପଥଗ୍ରହଣ ପରେ ଅରବିନ୍ଦ କେଜରିୱାଲଙ୍କ ପାଦ ଛୁଇଁ ନେଲେ ଆଶିର୍ବାଦ

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ ୨୧।୯: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶି ମର୍ଲେନା ଖୁବ୍ ଶୀଘ୍ର ଚଢିଛନ୍ତି ସଫଳତାର ସିଡ଼ି। ୨୦୨୦ ମସିହାରେ ସେ ପ୍ରଥମ ଥର ଆମଆଦମୀ ପାର୍ଟି (ଆପ)ର ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୨୩ରେ ପ୍ରଥମ ଥର ମନ୍ତ୍ରୀ ହୋଇଥିବା ବେଳେ ମାତ୍ର ବର୍ଷକ ପରେ ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି। ଆତିଶୀଙ୍କ ପୂର୍ବରୁ କଂଗ୍ରେସର ଶୀଲା ଦିକ୍ଷୀତ ଓ ବିଜେପିର ସୁଷମା ସ୍ୱରାଜ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ। 

ଆତିଶୀଙ୍କ ରାଜନୈତିକ ଯାତ୍ରା ଅତ୍ୟନ୍ତ ଚିତାକର୍ଷକ। ସେ ଆପ୍ ସ୍ଥାପନା କାଳରେ ପାର୍ଟି ସହ ସମ୍ପୃକ୍ତ ହୋଇଥିଲେ। ୨୦୧୩ ମସିହାରେ ପାର୍ଟି ଯେତେବେଳେ ଦିଲ୍ଲୀରେ ପ୍ରଥମ ନିର୍ବାଚନ ଲଢିଲା ଆତିଶି ମନିଫେଷ୍ଟୋ ଡ୍ରାଫ୍ଟ କମିଟିରେ ସଦସ୍ୟା ଥିଲେ ଓ ପାର୍ଟିର ପ୍ରଥମ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଶିକ୍ଷା,ସ୍ୱାସ୍ଥ୍ୟ ଓ ମହିଳା ସମ୍ପର୍କିତ ପ୍ରସଙ୍ଗରେ ଆତିଶିଙ୍କ ବିଶେଷ ଦକ୍ଷତା ରହିଛି ଓ ପାର୍ଟିର ନିୟମଗୁଡିକୁ ଆକାର ଦେବାରେ ତାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। 


ପାର୍ଟି ମୁଖପାତ୍ର ଭାବେ ଅନେକ ମଞ୍ଚରେ ଆତିଶି ଦଳର ପକ୍ଷକୁ ମଜଭୁତ କରିଛନ୍ତି।  କେଜରିୱାଲଙ୍କ ଇସ୍ତଫା ପରେ ଆତିଶିଙ୍କ କାନ୍ଧରେ ଦଳର ଭାର ପଡିଛି। କାରଣ ଦିଲ୍ଲୀର ଜନତା ଆପ ଠାରୁ ଯେଉଁ ଆଶା ରଖୁଛନ୍ତି ତାହାକୁ ପୂରଣ କରିବାର ଚ୍ୟାଲେଞ୍ଜ ଏବେ ଆତିଶିଙ୍କ ଉପରେ। କାରଣ ଅରବିନ୍ଦ କେଜରିୱାଲ ଜଣେ ବିଫଳ ମୁଖ୍ୟମନ୍ତ୍ରୀ ସାବ୍ୟସ୍ତ ହୋଇଛନ୍ତି। ତେବେ ରାଜନୈତିକ ବିଶେଷଜ୍ଞ ଆତିଶିଙ୍କୁ ଅରବିନ୍ଦ କେଜରିୱାଲଙ୍କ ମୁଖା ବୋଲି କହିବାକୁ ପଛଉ ନାହାନ୍ତି। 


ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବା ପରେ ଆତିଶିଙ୍କୁ କେଜରିୱାଲଙ୍କ ପାଦ ଛୁଇଁ ଆଶିର୍ବାଦ ନେଉଥିବାର ଦେଖାଯାଇଛି। ଆତିଶିଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ୬ ମାସର କାର୍ଯ୍ୟକାଳ ମିଳିଛି। ତେବେ ଏହି ସମୟ ତାଙ୍କ ଲାଗି ଚ୍ୟାଲେଞ୍ଜରେ ଭରା ରହିଛି। ଆଗାମୀ ନିର୍ବାଚନରେ ପାର୍ଟିର ସ୍ଥିତିକୁ ମଜଭୁତ କରିବା ଓ ଜନତାଙ୍କ ବିଶ୍ୱାସ ଜିତିବା ତାଙ୍କର ପ୍ରାଥମିକତା ହେବ।  ତେବେ ରାଜନୀତିରେ ତାଙ୍କର ଏତେଟା ଅଭିଜ୍ଞତା ନଥିବାରୁ ସେ ମୁଖ୍ୟମନ୍ତ୍ରୀ ହେବା ଯୋଗୁ ଏବେ ପ୍ରଶ୍ନ କରାଯାଉଛି। ଏଣୁ ନିର୍ବାଚନ ପୂର୍ବର ସ୍ୱଳ୍ପ ଅବଧିରେ ବିରୋଧୀ ଦଳମାନେ ପ୍ରସଙ୍ଗକୁ ଜୋରସୋରରେ ଉଠାଇ ପାରନ୍ତି ବୋଲି ଆକଳନ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.