ଶିଖ କମେଣ୍ଟକୁ ନେଇ ମୁହଁ ଖୋଲିଲେ ରାହୁଲ ଗାନ୍ଧି, ଜାଣନ୍ତୁ ଟ୍ୱିଟ୍ କରି କହିଲେ କ’ଣ?

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ ୨୧।୯: ରାହୁଲ ଗାନ୍ଧିଙ୍କ ଆମେରିକା ଗସ୍ତକୁ ନେଇ ବିଜେପି ଲଗାତାର କଂଗ୍ରେସକୁ ଟାର୍ଗେଟ୍ କରି ଆସୁଛି। ବିଜେପି ଅଭିଯୋଗ କରୁଛି ଯେ ରାହୁଲ ଗାନ୍ଧି ରିଜର୍ଭେସନ ଓ ଶିଖଙ୍କୁ ନେଇ ବିଦେଶରେ ବିବାଦୀୟ ବୟାନ ଦେଇଛନ୍ତି। ଏହା ଉପରେ ପ୍ରଥମ ଥର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ବିଜେପି ଆମେରିକାରେ ମୋ ବୟାନକୁ ନେଇ ମିଛ ଅପପ୍ରଚାର ଚଳେଇଛି। ଏହି ପୁରା ବିବାଦରେ ରାହୁଲ ଗାନ୍ଧି ଏକ୍ସରେ ତାଙ୍କ ୧୦ ସେପ୍ଟେମ୍ବର ଭାଷଣର ଭିଡିଓ ଆଟାଚ୍ କରି ବିଜେପି ଉପରେ ପାଲଟା ଆକ୍ରମଣ କରିଛନ୍ତି। 

ସେପ୍ଟେମ୍ବର ୧୦ ତାରିଖ ଦିନ ରାହୁଲ ଗାନ୍ଧି ୱାସିଂଟନ ଡିସିରେ ଏକ ସଭାକୁ ସମ୍ବୋଧିତ କରି କହିଥିଲେ ଯେ ‘ଲଢେଇ ଏହି କଥାକୁ ନେଇ ଯେ ଜଣେ ଶିଖଙ୍କୁ ଭାରତରେ ପଗଡି ପିନ୍ଧିବାକୁ ଅନୁମତି ଅଛି, ନା ଜଣେ ଶିଖଙ୍କୁ ଭାରତରେ କଡ଼ା ପିନ୍ଧିବାକୁ ଅନୁମତି ଅଛି ନାଶିଖକୁ ଗୁରୁଦ୍ୱାର ଯିବାକୁ ଅନୁମତି ଅଛି? ଏହି କଥାକୁ ନେଇ ଲଢେଇ ଓ ଏହା ସବୁ ଧର୍ମ ପାଇଁ’। ରାହୁଲ ଗାନ୍ଧିଙ୍କ ଏହି ବୟାନକୁ ନେଇ ବିଜେପି ଦେଶରେ ଲଗାତାର ତାଙ୍କୁ ଟାର୍ଗେଟ କରିଆସୁଛି। 


ବିଜେପିର କହିବା କଥା ହେଉଛି ରାହୁଲ ଗାନ୍ଧି ଶିଖମାନଙ୍କ ଅପମାନ କରିଛନ୍ତି। କେବଳ ଏତିକି ନୁହେଁ କେନ୍ଦ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ତାଙ୍କୁ ଆତଙ୍କବାଦୀ ବୋଲି ମଧ୍ୟ କହିଛନ୍ତି। ଏଣୁ ପୁରା ବିବାଦ ମଧ୍ୟରେ ରାହୁଲ ଗାନ୍ଧି ଏକ୍ସରେ ୧୦ ସେପ୍ଟେମ୍ବରର ଭାଷଣ ଆଟାଚ୍ କରି ବିଜେପି ଉପରେ ପାଲଟା ଆକ୍ରମଣ କରିଛନ୍ତି। କହିଛନ୍ତି ବିଜେପି ମୋ ଆମେରିକା ବୟାନକୁ ନେଇ ମିଛ ଅପପ୍ରଚାର ଚଳାଇଛି। ମୁଁ ଉଭୟ ଭାରତ ଓ ବିଦେଶରେ ରହୁଥିବା ଶିଖ ଭାଇଭଉଣୀଙ୍କୁ ପଚାରୁଛି ମୁଁ ଯାହା ବି କହିଛି ସେଥିରେ କିଛି ଭୁଲ ଅଛିକି ?


ସେ କହିଛନ୍ତି ଭାରତ ଏପରି ଦେଶ ହେବା  ଉଚିତ ନୁହେଁ ଯେଉଁଠି ପ୍ରତ୍ୟେକ ଶିଖ୍ ଓ ପ୍ରତ୍ୟେକ ଭାରତୀୟ ବିନା କୌଣସି ଡରରେ ନିଜ ଧର୍ମ ପାଳନ କରିବା ଉଚିତ?ସବୁ ବେଳ ଭଳି ବିଜେପି ଏଥର ମଧ୍ୟ ମିଥ୍ୟାର ଆଶ୍ରୟ ନେଇଛି। ସେମାନେ ମୋତେ ଚୁପ କରାଇବା ପାଇଁ ବ୍ୟଗ୍ର, କାରଣ ସେମାନେ ସତକୁ ସହନ କରିପାରନ୍ତିନି। ହେଲେ ମୁଁ ସେହି ମୂଲ୍ୟ ଲାଗି କହିବି ଯାହା ଭାରତକୁ ପରିଭାଷିତ କରେ, ବିବିଧତାରେ ହିଁ ଆମର ଏକତାକୁ ଦର୍ଶାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.