ବିମାନ ଯାତ୍ରାର ଖରାପ ଅଭିଜ୍ଞତାର ଭିଡିଓ ସେୟାର କଲେ ଯାତ୍ରୀ, ପୂରା ଟଙ୍କା ଫେରାଇଲା ଏୟାରଇଣ୍ଡିଆ

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ ୨୧।୦୯: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସିଇଓ ଅନୀପ  ପଟେଲ ନିକଟରେ ଏୟାରଇଣ୍ଡିଆର ଏକ ବିମାନରେ  ସିକାଗୋରୁ ନୂଆଦିଲ୍ଲୀ ଆସିଥିଲେ । ସେ ଫାଷ୍ଟ କ୍ଲାସ୍‌   ଟିକଟ କରିଥିଲେ ମଧ୍ୟ ଯାତ୍ରା ସମୟରେ ଅତି ଖରାପ   ସ୍ଥିତିର ସାମ୍ନା କରିଥିଲେ । ପରବର୍ତ୍ତୀ ସମୟରେ ଯଦିଓ  ସେ ଏୟାରଇଣ୍ଡିଆକୁ ଏଥିନେଇ କୌଣସି ଆନୁଷ୍ଠାନିକ  ଅଭିଯୋଗ କରିନଥିଲେ, ତେବେ ତାଙ୍କର ଖରାପ   ଅଭିଜ୍ଞତାକୁ ସୋସିଆଲ ମିଡିଆରେ ଏକ ଭିଡିଓ   ଜରିଆରେ ସେୟାର କରିଥିଲେ ସେ । 

ଏହାପରେ  ଏୟାରଲାଇନ୍ସ ତାଙ୍କୁ ଟିକଟ ବାବଦ ପୂରା ଅର୍ଥ ୫.୨୭  ଲକ୍ଷ ଫେରାଇ ଦେଇଛି ।  କାପାଟେଲ୍‌ ଇନ୍‌ଭେଷ୍ଟମେଣ୍ଟର ସିଇଓ ଅନୀପ ପଟେଲ  ଦୁଇ ଦିନ ତଳେ ସୋସିଆଲ୍‌ ମିଡିଆରେ ସେହି ଭିଡିଓ  ପୋଷ୍ଟ କରିଥିଲେ । କ୍ୟାପସନ୍‌ରେ ସେ ଲେଖିଥିଲେ,  ମୁଁ ନିକଟରେ ଏୟାର ଇଣ୍ଡିଆର ବିମାନରେ ସିକାଗୋରୁ  ନୂଆଦିଲ୍ଲୀ ଅଭିମୁଖେ ୧୫ ଘଣ୍ଟାର ଯାତ୍ରା କରିଥିଲି । କିନ୍ତୁ  ସେହି ଯାତ୍ରା ଏକ ଦୁଃସ୍ୱପ୍ନ ଭଳି ଥିଲା । ମୁଁ ଏୟାରଇଣ୍ଡିଆ   ସଂପର୍କରେ ନକାରାତ୍ମକ କଥା ପୂର୍ବରୁ ଶୁଣିଥିଲି । କିନ୍ତୁ  ନୂଆ ମ୍ୟାନେଜମେଣ୍ଟ ଆସିବା ପରେ ସ୍ଥିତି ବଦଳିଥିବ  ବୋଲି ଭାବିଥିଲି । କିନ୍ତୁ ପ୍ରକୃତ ସ୍ଥିତି ସେଭଳି ନଥିଲା ।  ବିମାନରେ କୌଣସି ୱାଇଫାଇ ବ୍ୟବସ୍ଥା ନଥିଲା ।  ହେଡ୍‌ଫୋନ୍‌ ଖରାପ ଥିଲା ।

ଫାଷ୍ଟକ୍ଲାସ୍‌ କ୍ୟାବିନ୍‌ରେ  ସବୁକିଛି ଭଙ୍ଗା, ଅପରିଷ୍କାର ଥିଲା । ବଳକା ଖାଦ୍ୟ ଓ  ଅଳିଆ ସେହିଭଳି ଅବସ୍ଥାରେ ପଡି଼ରହିଥିଲା । ବିମାନର  ଖାଦ୍ୟ ଯୋଗାଣ ସେବାକୁ ବି ସେ ସମାଲୋଚନା  କରିଥିଲେ । ଲେଖିଥିଲେ, ମେନ୍ୟୁରେ ଥିବା ୩୦   ପ୍ରତିଶତ ଆଇଟମ ଉପଲବ୍ଧ ନଥିଲା । ଯାହା ଥିଲା,  ଯିଏ ଆଗ ଅର୍ଡର କରୁଥିଲା ତାକୁ ମିଳୁଥିଲା । ଯଦି  କେହି ଏୟାରଇଣ୍ଡିଆର ବିମାନରେ ଯାଉଥିବେ ତେବେ  ସାବଧାନ ହେବାକୁ ସେ ଲେଖିଥିଲେ । ତାଙ୍କ ଭିଡିଓକୁ  ୭୦ ଲକ୍ଷ ଲୋକ ଦେଖିଲେ । ଭିଡିଓଟି ଭାଇରାଲ୍‌  ହେବାପରେ ଏୟାରଇଣ୍ଡିଆ ପକ୍ଷରୁ ତାଙ୍କୁ ଫୋନ୍‌  କରାଯାଇ ଯାତ୍ରା ବାବଦ ଦେୟକୁ ଫେରସ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.