ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା

Published By : Prameya-News7 Bureau | September 21, 2024 IST

News7

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଆମ୍ ଆଦମୀ ପାର୍ଟି ନେତା ଆତିଶୀ ମର୍ଲେନା। ଶନିବାର ରାଜ ନିବାସ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦିଲ୍ଲୀ ଲେଫ୍ଟନାଣ୍ଟ ରାଜ୍ୟପାଳ ବିନୟ କୁମାର ସାକ୍ସେନା ଆତିଶୀଙ୍କୁ ଶପଥ ଗ୍ରହଣ କରାଇଥିଲେ। ଆତିଶୀ ଦିଲ୍ଲୀର ତୃତୀୟ ତଥା କନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ତାଙ୍କ ସହ AAP ବିଧାୟକ ଗୋପାଳ ରୟ, ସୌରଭ ଭରଦ୍ୱାଜ, କୈଳାଶ ଗେହଲଟ୍, ଇମ୍ରାନ ହୁସେନ୍ ଏବଂ ମୁକେଶ ଅହଲୱାଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ସୁଲତାନପୁର ମଜାର ବିଧାୟକ ମୁକେଶ ଅହଲୱାଟ ପ୍ରଥମ ଥର ପାଇଁ ଦିଲ୍ଲୀ ସରକାରରେ ମନ୍ତ୍ରୀ ହୋଇଛନ୍ତି। ଯେଉଁଠାରେ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୌଲାଶ ଗେହଲୋଟ୍, ଇମ୍ରାନ ହୁସେନ୍ ମଧ୍ୟ ଅରବିନ୍ଦ କେଜ୍ରିୱାଲ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।

ଏହାପୂର୍ବରୁ ସେପ୍ଟେମ୍ବର ୧୭ରେ ଅରବିନ୍ଦ କେଜ୍ରିୱାଲ ଏକ୍ସାଇଜ ନୀତି ସହ ଜଡିତ ଏକ ମାମଲାରେ ତିହାର ଜେଲରୁ ଜାମିନ ମଞ୍ଜୁର ହେବା ପରେ ସିଏମ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଆମ୍ ଆଦମୀ ପାର୍ଟି ବିଧାନସଭା ଦଳର ବୈଠକରେ ଆତିଶୀ ସର୍ବସମ୍ମତି କ୍ରମେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.