ପିଏମ୍ ମୋଦୀ ଆମେରିକା ପହଞ୍ଚିବା ପୂର୍ବରୁ ଖାଲିସ୍ତାନ ସମର୍ଥକଙ୍କ ସହ ବୈଠକ କଲା ହ୍ୱାଇଟ୍ ହାଉସ୍, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ନିଜ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ଆମେରିକା ଗସ୍ତରେ ବାହାରି ସାରିଛନ୍ତି । କିନ୍ତୁ ସେ ଆମେରିକା ପହଞ୍ଚିବାର କିଛି ଘଣ୍ଟା ପୂର୍ବରୁ ହିଁ ହ୍ୱାଇଟ୍ ହାଉସ୍ ସଦସ୍ୟ ଖାଲିସ୍ତାନ ସମର୍ଥଙ୍କ ସହ ବୈଠକ କରିଛନ୍ତି । ହ୍ୱାଇଟ୍ ହାଉସ୍ ପକ୍ଷରୁ ଖାଲିସ୍ତାନ ସମର୍ଥକଙ୍କୁ ଏହି ବୈଠକରେ ଆମେରିକା ମାଟିରେ ଯେକୌଣସି ବିଦେଶୀ ଆକ୍ରମଣରୁ ସୁରକ୍ଷାର ଭରସା ଦିଆଯାଇଛି । ଅଧିକାରୀମାନେ ଭରସା ଦେଇ କହିଛନ୍ତି ଯେ ଆମେରିକା ସୀମା ଭିତରେ ଥିବା ସମସ୍ତ ଆମେରିକୀୟ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିବଦ୍ଧ ।  

ଉଲ୍ଲେଖଯୋଗ୍ୟ ଯେ ଖାଲିସ୍ତାନ ସମର୍ଥକ ଏବଂ ହ୍ୱାଇଟ୍ ହାଉସ୍ ପ୍ରତିନିଧିଙ୍କ ମଧ୍ୟରେ ଏହି ବୈଠକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧାର୍ଯ୍ୟ କାର୍ଯ୍ୟକ୍ରମ ପୂର୍ବରୁ ହୋଇଛି । ଏହି ବୈଠକର ଆୟୋଜନ ହ୍ୱାଇଟ୍ ହାଉସ୍‌ରେ ହୋଇଥିଲା । ଏଥିରେ ଆମେରିକୀୟ ଶିଖ୍ କକସ୍ ସମିତିର ପ୍ରତିପାଲ ସିଂହ ଭାଗ ନେଇଥିଲେ । ପ୍ରତିପାତ ସିଂହ ବୈଠକ ପରେ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ଯେ ଶିଖ ଆମେରିକୀୟଙ୍କ ଜୀବନ ରକ୍ଷା ଏବଂ ଆମ ସମୁଦାୟର ସୁରକ୍ଷା ପାଇଁ ବରିଷ୍ଠ ଫେଡେରାଲ ଅଧିକାରୀଙ୍କୁ ଧ୍ୟନ୍ୟବାଦ ଜଣାଇବାର ସୁଯୋଗ ମିଳିଛି । 

ଉଲ୍ଲେଖଯୋଗ୍ୟ ଯେ ଏହା ପ୍ରଥମ ଥର ଯେତେବେଳେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଖାଲିସ୍ତାନ ସମର୍ଥକଙ୍କ ସହ ବୈଠକ କରିଛି । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହା ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ହ୍ୱାଇଟ୍ ହାଉସ୍ ପକ୍ଷରୁ ହିଁ ଏହି ବୈଠକ ଆରମ୍ଭ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଖାଲିସ୍ତାନ ସମର୍ଥକକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ରହିଛି । କିଛି ଦିନ ପୂର୍ବେ ଖାଲିସ୍ତାନୀ ପନ୍ନୁ ମାମଲାରେ ଆମେରିକାର ଏକ କୋର୍ଟ ଭାରତ ସରକାର, ଏନଏସଏ ଅଜିତ୍ ଡୋଭାଲ ଏବଂ ପୂର୍ବତନ ର’ ମୁଖ୍ୟଙ୍କୁ ସମନ ଜାରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.