କଳିକେଶ ସିଂହଦେଓ ହେଲେ ଭାରତୀୟ ରାଷ୍ଟ୍ରୀୟ ରାଇଫଲ ସଂଘର ନୂଆ ଅଧ୍ୟକ୍ଷ

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ ୨୧।୯:   କଳିକେଶ ନାରାୟଣ ସିଂହଦେଓ ଭାରତୀୟ ରାଷ୍ଟ୍ରୀୟ ରାଇଫଲ ସଂଘ(ଏନଆରଏଆଇ)ର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଏହି ନିର୍ବାଚନରେ ସିଂହଦେଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭି.କେ.ଧଳଙ୍କୁ ୩୬-୨୧ ଭୋଟରେ ପରାସ୍ତ କରିଛନ୍ତି। ଏହି ପଦବୀ ଗତବର୍ଷଠାରୁ ଖାଲି ପଡିଥିଲା। ଏଣୁ ଓଡିଶାର ପୂର୍ବତନ ସାଂସଦ ଏନଆରଏଆଇର ଦୈନିକ କାମଧନ୍ଦା ଦେଖରେଖ କରୁଥିଲେ। ଗତବର୍ଷ ରଣିନ୍ଦର ସିଂହ ଏହି ପଦବୀରୁ ଇସ୍ତଫା ଦେଇଥିଲେ। 

ଗତବର୍ଷ କ୍ରିଡା ମନ୍ତ୍ରାଳୟ ଏକ ନିର୍ଦ୍ଦେଶ ଜାରି କରିଥିଲେ, ଯେଉଁଥିରେ ରାଷ୍ଟ୍ରୀୟ ଖେଳ ମହାସଂଘର କୌଣସି ପଦାଧିକାରୀ ଜାତୀୟ କ୍ରିଡା କୋଡ ଅନୁସାରେ ୧୨ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ପଦବୀରେ ରହି ପାରିବେ ନାହିଁ। ମନ୍ତ୍ରାଳୟଙ୍କ ଏହି ନିର୍ଦ୍ଦେଶ ପରେ ରଣିନ୍ଦର ତାଙ୍କ ପଦବୀରୁ ଇସ୍ତଫା ଦେଇଥିବା ବେଳେ ସେବେଠାରୁ ପଦବୀ ରିକ୍ତ ପଡିଥିଲା ଓ ଉପାଧ୍ୟକ୍ଷ ଭାବେ କଳିକେଶ ଏହି ପଦବୀର କାର୍ଯ୍ୟ ଦେଖରେଖ କରିଆସୁଥିଲେ।

ରଣିନ୍ଦରଙ୍କ ୧୨ ବର୍ଷ ୨୯ ଡିସେମ୍ବର ୨୦୨୨ରେ ପୂରଣ ହୋଇ ସାରିଥିଲା। ଏଣୁ ସେ ଏପ୍ରିଲ ୨୦୨୩ରେ ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରଠାରୁ ଏନଆରଏଆଇର ବରିଷ୍ଠ ଉପାଧ୍ୟକ୍ଷ କଳିକେଶ ଏହି କାର୍ଯ୍ୟ ତୁଲାଇ ଆସୁଥିଲେ। କଳିକେଶ କାର୍ଯ୍ୟକାରୀ ମୁଖ୍ୟ ଅବସ୍ଥାପିତ ଥିବା ବେଳେ ଭାରତ ପ୍ୟାରିସ୍ ଅଲିମ୍ପିକ୍ ସୁଟିଂରେ ୩ଟି ପଦକ ଜିତିଛି। ତେବେ ଏହା ପୂର୍ବରୁ ଅନୁଷ୍ଠିତ ହୋଇଥିବା ରିଓ ଅଲିମ୍ପିକ ୨୦୧୬ ଓ ଟୋକିଓ ଅଲିମ୍ପିକ ୨୦୨୦ରେ ଭାରତୀୟ ସୁଟିଂ ଦଳ ଖାଲି ହାତରେ ଫେରିଥିଲା। କଳିକେଶ ୨୦୨୫ ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାପିତ ରହିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.