ମଣିପାଲ ଟାଇଗର୍ସକୁ ପରାସ୍ତ କରି ଏଲ୍ଏଲସିରେ ବିଜୟ ଅଭିଯାନ ଆରମ୍ଭ କଲା କୋଣାର୍କ ସୂର୍ଯ୍ୟସ ଓଡ଼ିଶା

Published By : Prameya-News7 Bureau | September 21, 2024 IST

ଯୋଧପୁର: କୋଣାର୍କ ସୂର୍ଯ୍ୟସ୍ ଓଡ଼ିଶା, ଲିଜେଣ୍ଡସ ଲିଗ୍ କ୍ରିକେଟରେ ପ୍ରଥମ ବିଜୟ ହାସଲ କରିବା ସହ ଡିଫେଣ୍ଡିଂ ଚାମ୍ପିୟନ ମଣିପାଲ ଟାଇଗର୍ସକୁ ମାତ୍ର ୨ ରନରେ ପରାସ୍ତ କରିଛି । ଯଦିଓ ଏହା କମ୍ ସ୍କୋରିଂ ମ୍ୟାଚ୍ ଥିଲା, ତଥାପି ଉଭୟ ଦଳ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ଶେଷରେ କୋଣାର୍କ ସୂର୍ଯ୍ୟସ ଓଡ଼ିଶା ବିଜୟୀ ହୋଇଛି । 

ଟସ୍ ହାରି ବ୍ୟାଟିଂ କରିବା ପରେ କୋଣାର୍କ ସୂର୍ଯ୍ୟସ ଓଡ଼ିଶା ପକ୍ଷରୁ ରିଚାର୍ଡ ଲେଭି ଓ ଅମ୍ବାତି ରାୟୁଡୁ ଓପନିଂ କରିଥିଲେ । ରାୟୁଡୁ ୮ ରନ୍ କରି ଆଉଟ୍ ହେବା ପରେ ଦଳ ୩.୩ ଓଭରରେ ୩ ୱିକେଟ୍ ହରାଇ ୨୮ ରନ୍ କରିଥିଲା । ଲେଭି ୬ ରନ୍ କରିଥିବା ବେଳେ କେଭିନ୍ ଓ'ବ୍ରାଏନ୍ ୫ ବଲରୁ ୬ ରନ୍ ଯୋଡ଼ିଥିଲେ । ଦିଲଶାନ ମୁନାବୀରା ଷ୍ଟମ୍ପିଂ ହେବା ପୂର୍ବରୁ ୧୧ ରନ୍ କରିପାରିଥିଲେ । ରସ୍ ଟେଲର ୧୪ ରନ୍ ଯୋଡ଼ିଥିବା ବେଳେ ଶେଷରେ ନବୀନ ଷ୍ଟୁଆର୍ଟ ୧୭ ରନ୍ କରିଥିବା ବେଳେ ବିନୟ କୁମାର ୧୧* ରନ୍ କରି ଅପରାଜିତ ରହିଥିଲେ । ଅଧିନାୟକ ଇରଫାନ ପଠାନ ୧୮ ରନ୍ କରିଥିବା ବେଳେ ୟୁସୁଫ ପଠାନ ଓ ରାଜେଶ ବିଷ୍ନୋଇ ୩ ଲେଖାଏଁ ରନ୍ କରିଥିଲେ । ୨୦ ଓଭର ପରେ ଓଡ଼ିଶା ୯ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା। ମଣିପାଲ ଟାଇଗର୍ସ ପକ୍ଷରୁ ଓବୁସ୍ ପିନାର ୪ ଓଭରରେ ୧୦ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଅନୁରିତ ସିଂହ ୪ ଓଭରରେ ୨୬ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଅଧିନାୟକ ହରଭଜନ ସିଂହ, ଶେଲଡନ୍ କଟ୍ରେଲ, ରାହୁଲ ଶୁକ୍ଳା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୧୦୬ ରନର ଟାର୍ଗେଟକୁ ପିଛା କରୁଥିବା ମଣିପାଲ ଟାଇଗର୍ସ ରବିନ ଉଥାପ୍ପାଙ୍କ ସମେତ ପ୍ରାରମ୍ଭିକ ଓ୍ଵିକେଟ୍ ହରାଇ ସଂଘର୍ଷ କରିଥିଲା । ଦଳ ୨.୫ ଓଭରରେ ୪ ରନରେ ୩ ଓ୍ୱିକେଟ୍ ହରାଇ ଥିଲା । ଆଉଟ୍ ହେବା ପୂର୍ବରୁ ମନୋଜ ତିୱାରୀ ୨ ରନ୍ କରିଥିବା ବେଳେ ସୌରଭ ତିୱାରୀ ମାତ୍ର ୫ ରନ୍ ଯୋଡ଼ିଥିଲେ । ଗୁନାରତ୍ନେ ୧୫ ରନ୍ କରିଥିବା ବେଳେ ଡାନିଏଲ କ୍ରିଷ୍ଟିଆନ୍ (୩୦) ଓ ଓବୁସ୍ ପିନାର (୩୪) ସପ୍ତମ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ିଥିଲେ ମଧ୍ୟ ବିଜୟ ସୁନିଶ୍ଚିତ କରିବା ପାଇଁ ଏହା ଯଥେଷ୍ଟ ନଥିଲା । କୋଣାର୍କ ସୂର୍ଯ୍ୟ ଓଡ଼ିଶା ପକ୍ଷରୁ ଶବାଜ ନଦୀମ, ଦିଲଶାନ ମୁନାବୀରା ଓ ବିନୟ କୁମାର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ବେନ୍ ଲାଫ୍ଲିନ୍ ଓ ଇରଫାନ୍ ପଠାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.