ମୁମ୍ବାଇ 13/10 : 'ଡନ୍ କୋ ପକଡନା ମୁସ୍କିଲ୍ ହି ନହିଁ, ନାମୁମକିନ୍ ହୈ'
'ହମ୍ ଜହାଁସେ ଖଡେ ହୋ ଜାତେ ହେଁ, ଲାଇନ୍ ୱହିଁ ସେ ସୁରୁ ହୋତି ହୈ'
ମନେ ପଡ଼ୁଛି ଏହି ଡାଇଲଗ୍। ଯେତେ ପୁରୁଣା ହେଲେ ବି ସେତେ ତାଜା ଲାଗେ ସେ ଡାଇଲଗ୍। ସେଥିପାଇଁ ତ ଆମେ ତାଙ୍କର ବଡ଼ ଫ୍ୟାନ୍। ଶୋଲେ , ସରାବୀ, ଡନ୍, ମୁକନ୍ଦର କା ଶିକନ୍ଦର, ବାଗବାନ ଭଲି ଚମତ୍କାର ଫିଲ୍ମରେ ଅଭିନୟ କରି ରେକର୍ଡ ସୃଷ୍ଟି କରିଛନ୍ତି ସେ... ବଲିଉଡ୍ ସେହେନସାହ ଅମିତାଭ୍ ବଚ୍ଚନ। ସଂଘର୍ଷ, ଉତଥାନ ପତ୍ତନ ଦେଇ ସେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ୧୯୬୯ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ତାପରେ ନଜର ଆସିଥିଲେ ୨ରୁ ୩ ଫ୍ଲପ୍ ସିନେମାରେ। ବିଫଳତା ପରେ କାମ ପାଇ ନଥିଲେ ଅମିତାଭ। ଯେତେବେଳେ ବୟସ ୩୦ ହୋଇଥିଲା ସେତେବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ ।
ସେଥିରୁ ହିଟ୍ ହୋଇଥିଲା ମାତ୍ର ୨ଟି। ଗୋଟିଏ 'ବମ୍ବେ ଟୁ ଗୋଆ' ଓ ଅନ୍ୟଟି 'ଆନନ୍ଦ'। ଫିଲ୍ମ 'ଆନନ୍ଦ'ରେ ସେ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ । ୧୯୭୩ରେ ରିଲିଜ ଫିଲ୍ମ ଜଞ୍ଜିରରୁ ସଫଳତାର ସିଡି ଚଢ଼ିଥିଲେ ବିଗ୍ ବି । ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କ କ୍ରାଇମ୍ ଥ୍ରୀଲର୍ ଜଞ୍ଜିର ସିନେମାରେ ପୋଲିସ ଇନିସପେକ୍ଟର ବିଜୟ ଭୂମିକାରେ ଅଭିନୟ କରି ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ୍ ଧାରା ସୃଷ୍ଟି କରିଥିଲେ । ରାତାରାତି ପାଲଟିଗଲେ ସୁପରଷ୍ଟାର୍ । ଜଞ୍ଜିର ପରେ ଆଉ ପଛକୁ ଫେରି ନାହାନ୍ତି ଅମିତାଭ ବଚ୍ଚନ । ବଲିଉଡକୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ଆଜି ବି ୱାର୍କ ଫ୍ରଣ୍ଟରେ ଆକ୍ଟିଭ ରହିଛନ୍ତି ଅମିତାଭ ।
ତାଙ୍କ ଫିଲ୍ମ ଯେମିତି ସୁପରହିଟ୍ ତାଙ୍କ ଲାଇଫ ଷ୍ଟାଇଲ୍ ବି ସେମିତି ଜବରଦସ୍ତ। କୋଟି କୋଟି ସମ୍ପତ୍ତିର ମାଲିକ ଅମିତାଭ୍। ଭାରତ ବ୍ୟତୀତ ଦୁବାଇ ଏବଂ ପ୍ୟାରିସ୍ ରେ ଅମିତାଭଙ୍କର ରହିଛି ସମ୍ପତ୍ତି। ତାଙ୍କ ବାସଭବନ ଜଲସା ମୁମ୍ବାଇର ଜୁହୁରେ ରହିଛି। ଯାହା ଖୁବ୍ ବିଳାଷପୂର୍ଣ୍ଣ। ଇଣ୍ଟେରିଅର ଆଖି ଝଲସି ଯିବା ଭଳି। ଜଲସା ବ୍ୟତୀତ ତାଙ୍କର ସମୁଦ୍ର କୂଳରେ ଏକ ଆପାର୍ଟମେଣ୍ଟ ଅଛି। ଏହା ବ୍ୟତିତ ମୁମ୍ବାଇରେ ରହିଛି ଅନେକ ସମ୍ପତ୍ତି। ଅମିତାଭ ବଚ୍ଚନ ବିଳାସପୂର୍ଣ୍ଣ ଘଣ୍ଟାର ରଖିଛନ୍ତି ସ୍ୱତନ୍ତ୍ର କଲେକ୍ସନ। ଯେଉଁଥିରେ ରୋଲକ୍ସ ଏବଂ ପାଟେକ ଫିଲିପେ ପରି ପ୍ରତିଷ୍ଠିତ ବ୍ରାଣ୍ଡ୍ ରହିଛି। ଅମିତାଭ ବଚ୍ଚନଙ୍କ ଚିତ୍ତାକର୍ଷକ କାର ସଂଗ୍ରହରେ ଏକ ରୋଲ୍ସ ରୋଏସ୍ ଫାଣ୍ଟମ୍, ମର୍ସିଡିଜ୍ ବେଞ୍ଜ୍ GL 63 AMG, ରେଞ୍ଜ ରୋଭର 4.4D AB LWB, ପୋର୍ସେ କେମନ ଏବଂ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ରହିଛି।
ସୁନା ଅଳଙ୍କାର କଥା କହିଲେ ଅମିତାଭ ବଚ୍ଚନଙ୍କ ଜବରଦସ୍ତ କଲେକ୍ସନ। ଯାହାର ମୂଲ୍ୟ 28.91 କୋଟି ହୋଇଥିବାବେଳେ ତାଙ୍କର ସୁନା ବିନିଯୋଗର ମୂଲ୍ୟ ₹ 2.09 କୋଟି । ରୂପା ₹ 5.30 କୋଟି ଟଙ୍କାର ରହିଛି। ଏହି ପୁଞ୍ଜି ବିନିଯୋଗର ମୋଟ ମୂଲ୍ୟ ପ୍ରାୟ 36.3 କୋଟିରେ ପହଞ୍ଚିଛି। ଅମିତାଭ ବଚ୍ଚନଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ 471 କୋଟିରୁ ଅଧିକ ହୋଇଥିବାବେଳେ ତାଙ୍କର ଅସ୍ଥାବର ସମ୍ପତ୍ତି 332 କୋଟିରୁ ଅଧିକ । ଜୟା ବଚ୍ଚନଙ୍କ ସହିତ ମିଶିଲେ ସେମାନଙ୍କର ମୋଟ ସମ୍ପତ୍ତି ମୂଲ୍ୟ1,001 କୋଟିରୁ ଅଧିକ ।
Also Read- ବାବା ସିଦ୍ଦିକ୍ଙ୍କର ବଲିଉଡ୍ ସହ ଥିଲା ଘନିଷ୍ଠ ସମ୍ପର୍କ, ଗୋଟିଏ ଫୋନ କଲରେ ଲାଗୁଥିଲା ଅଭିନେତାଙ୍କ ଗହଳି