ପାଣିପାଗ ବିଭାଗର ଆଲର୍ଟ : ଆସୁଛି ଆଉ ଏକ ଲଘୁଚାପ, ୧୩ରୁ ୧୫ ଯାଏଁ ପ୍ରବଳ ବର୍ଷା

Published By : Prameya-News7 Bureau | September 11, 2024 IST

ଭୁବନେଶ୍ୱର ୧୧।୦୯: ଆସନ୍ତା ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ ତାରିଖରେ ଏହା ଲଘୁଚାପ ରୂପ ନେବ । ପରେ ୨୪ରୁ ୪୮ ଘଣ୍ଟା ଭିତରେ ଏହା ଅବପାତରେ ପରିଣତ ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି । 

ସେହିପରି ଦକ୍ଷିଣ ଓଡ଼ିଶାରେ ଆସନ୍ତା ସପ୍ତାହ ଯାଏ ବର୍ଷା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ୧୩ରୁ ୧୫ ତାରିଖ ଭିତରେ ବାଲେଶ୍ୱର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଭାରୀ ବର୍ଷା ହେବ । ଦକ୍ଷିଣ ପଶ୍ଚିମବଙ୍ଗରେ ଏହି ଲଘୁଚାପ ସୃଷ୍ଟି ହେଲେ ୩ ଜିଲ୍ଲା ସହିତ ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଦେବଗଡ଼ ଓ ଝାରସୁଗୁଡ଼ାରେ ଭାରୀ ବର୍ଷା ହେବ । ୧୬ ତାରିଖରେ ଉତ୍ତର ପଶ୍ଚିମ ଓଡ଼ିଶାରେ ଭାରୀ ବର୍ଷା ହେବ । ଝାଡ଼ଖଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି ।

ତେବେ ଛତିଶଗଡ଼ ଉପରେ ଥିବା ଅବପାତ ଆହୁରି ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ବୁଧବାର ଏହା ପୁଣି ଥରେ ଘନୀଭୂତ ହୋଇ ଉତ୍ତର ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତରପ୍ରଦେଶ ଉପରେ ଅବପାତରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର ଦକ୍ଷିଣ ଓଡ଼ିଶାରେ ବର୍ଷା ହେବନି । 

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । କିନ୍ତୁ ଭାରୀ ବର୍ଷାର ସମ୍ଭାବନା ନାହିଁ । ୧୨, ୧୩ ଓ ୧୪ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଭାରୀ ବର୍ଷା ସମ୍ଭାବନା ଅଛି । ୧୩ ଓ ୧୪ ତାରିଖରେ ସୁନ୍ଦରଗଡ଼ରେ ଅଧିକ ବର୍ଷା ହୋଇପାରେ । ଏହି ତିନି ଦିନ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଅଛି । 

ଡ. ପଶୁପାଳକ ପୁଣି କହିଛନ୍ତି ଯେ, ଆସନ୍ତା ସପ୍ତାହରେ ଦକ୍ଷିଣ ଓଡ଼ିଶାରେ ସ୍ୱାଭାବିକର ଅଧା ବର୍ଷା ହୋଇପାରେ । ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୁଳ, ବୌଦ୍ଧ, ସମ୍ବଲପୁରରେ ସପ୍ତାହ ଭିତରେ କିଛି ବର୍ଷା ହେବ । ତେବେ ଧାନ ଫସଲ ପ୍ରଭାବିତ ହେବନି ବୋଲି ସେ କହିଛନ୍ତି । ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସପ୍ତାହ ଯାଏ ବିକ୍ଷିପ୍ତ ବର୍ଷା ହୋଇପାରେ । ଏଥିପାଇଁ ଧାନ ବିଲରେ ପାଣି ବାନ୍ଧି ରଖନ୍ତୁ ବୋଲି ଡ. ପଶୁପାଳକ ଆକଳନ କରି କହିଛନ୍ତି ।   

ଲଘୁଚାପ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ, ଲଗାଣ ବର୍ଷାରେ ଭାସିଲା ଦକ୍ଷିଣ ଓଡିଶା

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.