୨୩ରେ ପୁଣି ଲଘୁଚାପ : ଏବେ ପାଗ ଶୁଖିଲା, ୨୨ରୁ ପ୍ରବଳ ବର୍ଷା

Published By : Prameya-News7 Bureau | September 17, 2024 IST

ଭୁବନେଶ୍ୱର ୧୭।୦୯ : ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ମଙ୍ଗଳବାର ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ମଙ୍ଗଳବାରଠାରୁ  ଏହାର ପ୍ରଭାବ ରହିବନି ଓ ପାଗ  ପ୍ରାୟତଃ ଶୁଖିଲା ରହିବ । ୧୭ ଓ ୧୮  ତାରିଖରେ ବିଶେଷ ବର୍ଷା ନାହିଁ ଓ ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଆସନ୍ତା ୨୩ ତାରିଖରେ ଉତ୍ତର ପଶ୍ଚିମ  ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି  ହୋଇପାରେ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି  ପୂର୍ବାନୁମାନ କରିଛନ୍ତି। 

ଆସନ୍ତା ୨୨  ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୩ ତାରିଖ  ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ମୟୂରଭଞ୍ଜ,  ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହୋଇପାରେ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ମଧ୍ୟ  ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । 

ଗତ ୨୪ ଘଣ୍ଟାରେ  ବାଲେଶ୍ୱରରେ ସର୍ବାଧିକ ୧୦୩ମିମି ବର୍ଷା ହୋଇଛି । ବାରିପଦାରେ ୭୯,  ଦାରିଙ୍ଗିବାଡ଼ିରେ ୪୧, ଢେଙ୍କାନାଳରେ ୨୭ ଓ କେନ୍ଦୁଝରରେ ୨୬ମିମି ବର୍ଷା   ରେକର୍ଡ ହୋଇଛି। ସୋମବାର ସକାଳୁ ନେଇ ସନ୍ଧ୍ୟା ଭିତରେ ଭଦ୍ରକରେ ୪୯ମିମି, ଯାଜପୁରରେ ୨୫, ଦାରିଙ୍ଗିବାଡ଼ିରେ ୧୦ ଓ ବାଲେଶ୍ୱରରେ ୭ମିମି ବର୍ଷା ହୋଇଛି। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁ   ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ପାର୍‌ କରିଛି ।  ଜାମଶୋଳାଘାଟଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଯାଇଛି।  ସେହିଭଳି ମଥାନି ରୋଡ୍‌ ବ୍ରିଜ୍‌ ପାଖରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଯାଇଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ବଢୁଛି । 

ସୋମବାର ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ବାଲେଶ୍ୱର   ଜିଲ୍ଲା ସମେତ ମୟୂରଭଞ୍ଜ ଓ ସୁନ୍ଦରଗଡ଼ର ସ୍ଥିତି ସମୀକ୍ଷା କରିଛନ୍ତି । ବାଲେଶ୍ୱରରେ ୧୦ଟି ଅଗ୍ନିଶମ ଟିମ୍‌, ୬ଟି ଓଡ୍ରାଫ ଟିମ୍‌ ଓ ଗୋଟିଏ  ଏନଡିଆରଏଫ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି । ସେହିଭଳି ମୟୂରଭଞ୍ଜରେ  ୧୨ଟି ଅଗ୍ନିଶମ, ୭ଟି ଓଡ୍ରାଫ୍‌ ଓ ୧ଟି ଏନଡିଆରଏଫ ଟିମ୍‌ ରଖାଯାଇଛି । ଅଧିକ ବର୍ଷା ହୋଇଥିବାରୁ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ସମ୍ବେଦନଶୀଳ ଅଞ୍ଚଳରେ ଏଡିଏମ, ଉପଜିଲ୍ଲାପାଳ ଓ ଅନ୍ୟ  ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିଭଳି ଜିଲ୍ଲାସ୍ତରରେ କଣ୍ଟ୍ରୋଲ  ରୁମ୍‌ ତଦାରଖ ଦାୟିତ୍ୱରେ ବରିଷ୍ଠ ଅଧିକାରୀଙ୍କୁ ରଖିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.