ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କର ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ବୁଜିଲେ ଆଖି

Published By : Prameya-News7 Bureau | February 17, 2025 IST

ଭୁବନେଶ୍ୱର ୧୭।୦୨ : ପାତ୍ରପଡ଼ା ଓଭରବ୍ରିଜ୍‌ରେ ମୋ ବସ୍‌ ଦୁର୍ଘଟଣା ଘଟଣା । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ସୋମବାର ଦିନ ଏମ୍‌ସ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । 

ଶୁକ୍ରବାର ରାତିରେ ଡିଏନ୍ ରେଗାଲିଆ ମଲ୍ ନିକଟ ପାତ୍ରପଡ଼ା ଓଭରବ୍ରିଜ୍ ଆରମ୍ଭରୁ ଛିଡ଼ା ହୋଇଥିଲେ ୮-୧୦ ଲୋକ । ନାଇଟ୍‌ କୋଚ ବସ୍‌କୁ ଅପେକ୍ଷା କରିଥିଲେ ସଭିଏଁ। ଖଣ୍ଡଗିରି ପଟୁ ଦ୍ରୁତଗତିରେ ମାଡି଼ ଆସିଲା ଏକ ‘ମୋ ବସ୍‌’। ୪ଜଣଙ୍କ ଉପରେ ସିଧା ଚଢ଼ିଗଲା । ଲୋକମାନେ ହୋ ହଲ୍ଲା କରିବାରୁ ବସ୍‌ର ସ୍ପିଡ୍‌ ଆହୁରି ବଢ଼ିଲା। ଏପିରିକି ଏକ ସ୍କୁଟିକୁ ଦେଢ଼ କିମି ଯାଏଁ ଘୋଷାଡି଼ ନେଇଥିଲା । ଆଉ ପ୍ରାୟ ୧୦ କିମି ପିଛା କରିବା ପରେ ବସ୍‌କୁ ଅଟକାଇଲେ ଲୋକେ। ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ ଘଟିଛି। ମହିଳାଙ୍କ ସ୍ୱାମୀ ସମେତ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଏମ୍‌ସ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସୋମବାର ଚିକିତ୍ସାଧିନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏବେ ବି ଆହୁରି ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଛି।  ଏହି ଘଟଣାରେ ଅଭିଯୁକ୍ତ ବସ୍ ଡ୍ରାଇଭରକୁ ଗିରଫ କରି ଜେଲ୍ ପଠାଇଛି ତମାଣ୍ଡୋ ଥାନା ପୋଲିସ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.