ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ବିଧାନସଭା ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବଡ଼ ଘୋଷଣା । ଦିଲ୍ଲୀବାସୀଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ବୟସ୍କ ଏବଂ ମହିଳା ପରେ ମନ୍ଦିର ପୂଜାରୀ ଏବଂ ଗୁରୁଦ୍ବାରା ଶିଖ୍ଗୁରୁଙ୍କୁ ନୂଆବର୍ଷରେ ଉପହାର ଦେଇଛନ୍ତି । ସେମାନଙ୍କୁ ପୂଜାରୀ ଏବଂ ଶିଖଗୁରୁ ଯୋଜନା ମାଧ୍ୟମରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି ।
ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଦିଲ୍ଲୀ ସରକାରଙ୍କ ଯୋଜନାକୁ ନେଇ ସେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବାକୁ ଯାଉଛନ୍ତି । ଏହାର ନାଁ ହେଉଛି ପୂଜାରୀ ଓ ଗ୍ରନ୍ଥି ସମ୍ମାନ ଯୋଜନା । ଏହି ସ୍କିମ୍ ଆଧାରରେ ମନ୍ଦିରର ପୂଜାରୀ ଏବଂ ଗୁରୁଦ୍ବାରାର ଶିଖଗୁରୁ ମାନଙ୍କୁ ଏକ ସମ୍ମାନ ରାଶି ମିଳିବ । ପ୍ରତିମାସରେ ୧୮ ହଜାର ଟଙ୍କା ଲେଖାଏଁ ମିଳିବା ନେଇ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଦେଶରେ ପ୍ରଥମ କରି ପାଇଁ ଏଭଳି ଯୋଜନା ଘୋଷଣା ହୋଇଛି । ଯେଉଁ ମାନେ ମନ୍ଦିରରେ ପିଢୀ ପିଢୀ ଧରି କର୍ମକାଣ୍ଡ କରି ଆସୁଛନ୍ତି । ପରିବାରକୁ ଧ୍ୟାନ ନଦେଇ ନିଜ କାମ ଉପରେ ଏକାଗ୍ରତା ରଖିଆସିଛନ୍ତି ସେମାନଙ୍କ ପାଇଁ ଆମ୍ ଆଦମୀ ପାର୍ଟି ସରକାର ପ୍ରଥମ କରି ପୂଜାରୀ ଏବଂ ଗ୍ରନ୍ଥି ସମ୍ମାନ ଯୋଜନା ଆଣିଛନ୍ତି । ଏହି ଯୋଜନା ଦ୍ବାରା ବହୁ ସଂଖ୍ୟାରେ ପୂଜାରୀ ଏବଂ ଶିଖଗୁରୁ ଉପକୃତ ହେବେ ।
କେବେ ଆରମ୍ଭ ହେବା ଏହାର ପଞ୍ଜୀକରଣ:-
ଦିଲ୍ଲୀ ପୂଜାରୀ ଏବଂ ଗ୍ରନ୍ଥି ସମ୍ମାନ ଯୋଜନା ଡିସେମ୍ବର ୩୧ ତାରିଖରେ ଶୁଭାରମ୍ଭ । ସେହି ଦିନ ଠାରୁ ପଞ୍ଜୀକରଣ ଆରମ୍ଭ ହେବା ବୋଲି ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । କନଡ ପ୍ଲେସରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେହି ଠାରୁ ପୂଜାରୀଙ୍କ ନାଁ ରେଜିଷ୍ଟ୍ରାଶନ ଆରମ୍ଭ ହେବ । ଦିଲ୍ଲୀର ସମସ୍ତ ମନ୍ଦିର ଏବଂ ଗୁରୁଦ୍ବାରା ଯାଇ ଆପ୍ ବିଧାୟକ ଏବଂ ଆଶାୟୀ ପ୍ରାର୍ଥୀମାନେ ପୂଜାରୀ ଏବଂ ଶିଖଗୁରୁଙ୍କ ନାମ ପଞ୍ଜୀକରଣ କରିବେ । ଏହି ଯୋଜନା ଘୋଷଣା ମାଧ୍ୟମରେ ଅରବିନ୍ଦ କେଜ୍ରିଓ୍ବାଲ ଭାରତୀୟ ଜନତା ପାର୍ଟିକୁ ମଧ୍ୟ ଟାଗେଟ୍ କରିଛନ୍ତି । ବିଜେପିକୁ ସମର୍ଥନ ନକରିବାକୁ ଦିଲ୍ଲୀବାସୀଙ୍କୁ ଅପିଲ୍ କରିଛନ୍ତି ଆପ୍ ମୁଖ୍ୟ । ବିଜେପି ଦିଲ୍ଲୀରେ ମହିଳା ସମ୍ମାନ ପଞ୍ଜୀକରଣକୁ ବନ୍ଦ କରିବାକୁ ପୋଲିସକୁ ପଠାଇଥିଲା ବୋଲି କେଜ୍ରିଓ୍ବାଲ ଅଭିଯୋଗ କରିଛନ୍ତି ।..