ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସ ଟ୍ରଫି; ଭାରତ-ଦକ୍ଷିଣ କୋରିଆ ସେମି ଫାଇନାଲ

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ, ୧୬ ।୯: ପୁରୁଷ  ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲ ମୁକାବିଲା । ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ କୋରିଆ । ଏହା ପୂର୍ବରୁ  ପ୍ରଥମ ସେମିରେ ପାକିସ୍ତାନ-ଚୀନ ମଧ୍ୟରେ ଖେଲାଯିବ । ଚଳିତ ପୁରୁଷ ହକି ଏସଆନ୍ ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ଅପରାଜେୟ ରହିଛି । ୫ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇ ସର୍ବାଧିକ ୧୫ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି । ପାଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଦକ୍ଷିଣ କୋରିଆ ରହିଛି । ଗୋଟିଏ ମ୍ୟାଚ୍‌ ବିଜୟ ଏବଂ ୩ଟି ଡ୍ର’ ସହ ମୋଟ୍‌ ୬ ପଏଣ୍ଟ ପାଇଛି ।

ଭାରତ ପୂର୍ବରୁ କୋରିଆ, ମାଲେସିଆ, ଜାପାନ, ଚୀନ ଓ ପାକିସ୍ତାନକୁ ପରାଜିତ କରି ଅପରାଜେୟ ରହିଛି ।  ଏହି ୫ଟି ମ୍ୟାଚ୍‌ରେ ଦଳ ମୋଟ୍‌ ୨୧ଟି  ଗୋଲ୍‌ ଦେଇଛି । ମାଲେସିଆ ବିପକ୍ଷରେ ସର୍ବାଧିକ ୮ଟି ଗୋଲ୍‌ ଦେଇଥିଲା । ଭାରତୀୟ ଦଳ ଯେଉଁଭଳି ପ୍ରଦର୍ଶନ   ଜାରି ରଖିଛି ତାହା ବେଶ ଅଦ୍ଭୁତ ରହିଛି ।   ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍‌ରେ ୨-୧ ଗୋଲରେ ବିଜୟୀ ହୋଇଥିଲା । ଡ୍ରାଗ୍‌ ଫ୍ଲିକର ସ୍ପେଶାଲିଷ୍ଟ ହର୍ମନପ୍ରୀତ  ସିଂ ଉଭୟ ଗୋଲ୍‌ ସ୍କୋର କରିଥିଲେ ।  କୋରିଆ ଦଳ ଜାପାନ, ପାକିସ୍ତାନ ଏବଂ ମାଲେସିଆ ସହ ମ୍ୟାଚ୍‌ ଅମୀମାଂସିତ ରଖି ପଏଣ୍ଟ ଭାଗ କରିଥିଲା । ଦଳ କେବଳ ଚୀନ୍ ବିପକ୍ଷରେ ବିଜୟୀ ହୋଇଥିଲା । ଶକ୍ତିଶାଳୀ ପାକିସ୍ତାନ ବିପକ୍ଷରେ  କୋରିଆ ଭଲ ପ୍ରଦର୍ଶନ କରିଥିଲା । ତେଣୁ ଦଳକୁ ଦୁର୍ବଳ ମନେ କରିବା ଅନୁଚିତ । 

ତେବେ ଆଜି ସେମି ଫାଇନାଲ ମ୍ୟାଚରେ ଭାରତୀୟ ଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇବ ।  କୋଚ୍ କ୍ରାଗ ଫୁଲଟନଙ୍କ ନେତୃତ୍ୱରେ  ଦଳ ଭଲ ପ୍ରଦର୍ଶନ କରୁଛି । ଗତ  ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଦଳର ପ୍ରଦର୍ଶନ ଅତି ଉଚ୍ଚକୋଟୀର ରହିଥିଲା ।  ଫଳରେ ଦଳ ଅଲିମ୍ପିକ୍ସରେ କ୍ରମାନ୍ୱୟରେ  ଦ୍ୱିତୀୟ ଥର ବ୍ରୋଞ୍ଜ ଜିତିବାରେ ସଫଳ  ହୋଇଥିଲା ।  କୋରିଆକୁ ପରାଜିତ କଲେ ଭାରତ ଫାଇନାଲରେ ପ୍ରବେଶ କରିବ । ପ୍ରଥମ ସେମିରେ ପାକିସ୍ତାନର ପଲା ଭାରି ରହିଛି ।   ତେଣୁ ଫାଇନାଲରେ ପୁଣି ଥରେ ଭାରତ ଓ ପାକିସ୍ତାନ ଭେଟ ହେବାର ଯଥେଷ୍ଟ  ସମ୍ଭାବନା ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.