ବାତ୍ୟାକୁ ନେଇ ASIର ପଦକ୍ଷେପ, ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଦୁଇ ଦିନ ବନ୍ଦ ରହିବ ଐତିହାସିକ କୀର୍ତ୍ତିରାଜି

Published By : Prameya-News7 Bureau | October 22, 2024 IST

ପୁରୀ: ଧୀରେ ଧୀରେ ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଦାନା’। ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛି ପ୍ରଶାସନ। ଏମିତିରେ ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରେ ଥିବା ସମସ୍ତ ଐତିହ୍ୟ କୀର୍ତ୍ତିରାଜିର ଯେଭଳି ବାତ୍ୟାରେ କୌଣସି କ୍ଷତି ନହୁଏ ସେନେଇ ଏଏସଆଇ ପକ୍ଷରୁ ଅଧିକାରୀମାନଙ୍କୁ ଚିଠିରେ ଯୋଗେ ନିର୍ଦ୍ଦେଶ ଦିଆଯାଇଛି।

ଐତିହ୍ୟ କୀର୍ତ୍ତିରାଜି ଗୁଡିକରେ ଲାଗିଥିବା ଲୁହା ସ୍କାଫୋଲ୍ଡିଙ୍ଗ ଯେଭଳି ପବନ ଦ୍ବାରା କୌଣସି ସମସ୍ୟା ସୃଷ୍ଟି ନହୁଏ ସେଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଓଭର ହେଡ ପାଣି ଟାଙ୍କି ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିଜି ସେଟ୍ ଗୁଡିକ ପାଇଁ ପର୍ଯ୍ୟାପ୍ତ ପରିମାଣରେ ତେଲ ମହଜୁଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 

ପ୍ରବଳ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଜଳବନ୍ଦୀ ସମସ୍ୟା ହେବାର ଆଶଙ୍କା ଥିବାରୁ ଜଳ ନିଷ୍କାସନ ପାଇଁ ପମ୍ପସେଟର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବା ସହ ମନ୍ଦିରର ବିଭିନ୍ନ ଅଂଶରେ ପାଣି ନିଷ୍କାସନ ପାଇଁ ଯେଭଳି କୌଣସି ଅସୁବିଧା ନହୁଏ ସେ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି। 

ସୂଚନାଥାଉକି, ୨୪ ଓ ୨୫ ତାରିଖରେ ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁପା‌ରେ ବାତ୍ୟା। ଏହି ସମୟରେ ୧୦୦ରୁ ୧୨୦ କିମି ବେଗରେ ପବନ ବହିବା ନେଇ ଆକଳନ କରାଯାଉଛି। ଏଣୁ ଏଏସଆଇ ଅଧିନରେ ଥିବା ସଂଗ୍ରହାଳୟ ଏବଂ ସମସ୍ତ ଐତିହ୍ୟ କୀର୍ତ୍ତିରାଜି ଗୁଡିକୁ ୨୪ ଓ ୨୫ ଦୁଇଦିନ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.