ସମ୍ଭାବ୍ୟ ବାତ୍ୟାର ମୁକାବିଲା ପ୍ରସ୍ତୁତି, ୯ ମନ୍ତ୍ରୀଙ୍କୁ ୯ ଜିଲ୍ଲାର ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published By : Prameya-News7 Bureau | October 22, 2024 IST

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରୁଛନ୍ତି । ଜିରୋ କାଜୁଆଲିଟି ଲକ୍ଷ୍ୟ ରଖି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଭିଜ୍ଞ ପ୍ରଶାସନିକ ଅଧିକାରୀଙ୍କୁ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ତଦାରଖ ପାଇଁ ନିଯୁକ୍ତି ଦେଇଛନ୍ତି । ଏହାରି ଭିତରେ ଆଉ ଏକ ବଡ଼ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାତ୍ୟା ମୁକାବିଲା ପରିଚାଳନାର ନିରୀକ୍ଷଣ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି । 

୯ ଜଣ ମନ୍ତ୍ରୀଙ୍କୁ ନଅ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଜଗତସିଂହପୁର-ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ବାଲେଶ୍ୱର-ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ

ଭଦ୍ରକ- କ୍ରୀଡ଼ା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ

ମୟୂରଭଞ୍ଜ- ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

ପୁରୀ- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

କେନ୍ଦ୍ରାପଡ଼ା- ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ଗଞ୍ଜାମ- ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

କେନ୍ଦୁଝର- ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

କଟକ- ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ସେପଟେ ବାତ୍ୟା ପ୍ରସ୍ତୁତିର ଆକଳନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଠିକ୍ ସମୟରେ ସ୍ଥାନାନ୍ତର ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

·   ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହୋର୍ଡିଂ ହଟାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

·   ସରକାରଙ୍କ ତରଫରୁ ୬ ହଜାରରୁ ଉର୍ଦ୍ଧ୍ୱ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି । 

·   ୩ ହଜାରରୁ ଉର୍ଦ୍ଧ୍ୱ ସମ୍ବେଦନଶୀଳ ସ୍ଥାନମାନଙ୍କରୁ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଚିହ୍ନଟ କରାଯାଇଛି।

·   ଆବଶ୍ୟକସ୍ଥଳେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । 

·   ୮ ହଜାରରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳାମାନଙ୍କୁ ନିରାପଦ ପ୍ରସବ ପାଇଁ ଡାକ୍ତାରଖାନାକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି । 

·   ୭୦୦ ଶହରୁ ଉର୍ଦ୍ଧ୍ୱ ବିଦ୍ୟୁତ୍ ଗ୍ୟାଙ୍ଗମ୍ୟାନମାନଙ୍କୁ ବାତ୍ୟା ପରବର୍ତ୍ତୀ ସମୟରେ ପୁନଃ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପ୍ରସ୍ତୁତ ରଖାଯାଇଛି । 

·   ବାତ୍ୟା ପରବର୍ତ୍ତୀ ସମୟରେ ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ୫ ହଜାର ପ୍ୟାକେଟରୁ ଉର୍ଦ୍ଧ୍ୱ ପଲିଥିନ୍ ମହଜୁଦ୍ ରଖାଯାଇଛି ।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.