ବାତ୍ୟାରେ ଉଜୁଡ଼ିଯିବ ଫସଲ, ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କାରେ ଚାଷୀ

Published By : Prameya-News7 Bureau | October 22, 2024 IST

ଚଣ୍ଡିଖୋଲ: ଆସୁଛି ବାତ୍ୟା। ପାଣିପାଗ ବିଭାଗର ସୂଚନା ପରେ ଚାଷୀ କୂଳ ଛାନିଆ। ଯଦି ବାତ୍ୟା ପ୍ରଭାବରେ ବର୍ଷା ସାଙ୍ଗକୁ ପବନ ହୁଏ ତାହେଲେ ଧାନ ଚାଷ ସହ ପନିପରିବା ଚାଷ ବି କ୍ଷତି ସହିବ। ଏମିତିରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କାରେ ଯାଜପୁର ଜିଲ୍ଲା ଧର୍ମଶାଳା ଓ ରସୁଲପୁର ଅଞ୍ଚଳର ଚାଷୀ। 

ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ। ବାତ୍ୟା ଭୟରେ କିଏ ବିଲରୁ ଧାନ କାଟି ନେଉଛନ୍ତି ତ’ ପୁଣି ଚାଷୀ ନିଜ ସୁନାର ଫସଲକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ ଚଳାଇଛି। ଫସଲ ନଷ୍ଟ ହେବା ଆଶଙ୍କା କରି ଅମଳ ଫସଲକୁ ସୁରକ୍ଷିତ ସ୍ଥାନକୁ ନେଇଯାଉଛନ୍ତି । 

ବିଶେଷ କରି ରସୁଲପୁର ବ୍ଲକରେ ଏବେ କୋବି ଫସଲ ଅମଳ ହେବାର ପୂର୍ବ ପର୍ଯ୍ୟାୟରେ। ଆଗୁଆ ଲଗାଯାଇଥିବା ଫୁଲ କୋବି କଢ଼ ଧରିଲାଣି। ଗୋଟିଏ ସପ୍ତାହ ପରେ କଟାଯିବ। ସେହିପରି କାକୁଡି, ବାଇଗଣ, ଭେଣ୍ଡି, ଝୁଡ଼ଙ୍ଗ ଆଦି ବିଭିନ୍ନ ପନିପରିବା ଅମଳ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଯଦି ଅଧିକ ବର୍ଷା କିମ୍ବା ବାତ୍ୟା ହୁଏ ତାହେଲେ ଏହି ପରିବା ଫସଲ ନଷ୍ଟ ହେବ। 

କିଆରୀରେ ପାଣି ରହି ଫସଲକୁ କ୍ଷତି ପହଞ୍ଚାଇବ। ଏହା ସହ ଏଥିରେ ଖର୍ଚ୍ଚ ହୋଇଥିବା ଅର୍ଥ ସମ୍ପୂର୍ଣ୍ଣ ପାଣିରେ ପଡିଯିବ ଭାବି ଚିନ୍ତାରେ ଚାଷୀ । ଏପଟେ ସାମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ସହ ସଜାଗ ଥିବା କହିଛନ୍ତି ଯାଜପୁର ଜିଲ୍ଲାପାଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.