ICUରେ ଇନ୍ଦିରା ଗାନ୍ଧିଙ୍କୁ କ’ଣ କହିଥିଲେ ଅମିତାଭ ? ଯାହା ଶୁଣି କାନ୍ଦି ପକାଇଥିଲେ ଆଇରନ ଲେଡି

Published By : Prameya-News7 Bureau | September 21, 2024 IST

ମୁମ୍ବାଇ୨୧/୯: ସୁପରହିଟ୍‌ ହୋଇଥିଲା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଫିଲ୍ମ କୁଲି । ହେଲେ ଫିଲ୍ମ ସୁଟିଂ ସମୟରେ ଅମିତାଭଙ୍କ ସହ ଘଟିଯାଇଥିଲା ଭୟଙ୍କର ଦୁର୍ଘଟଣା । କୋ-ଷ୍ଟାର ପୁନିତଙ୍କ ସହ ଫାଇଟ୍‌ ସମୟରେ ଅମିତାଭଙ୍କୁ ଗଭୀର ଆଘାତ ଲାଗିଥିଲା ।ଚିକିତ୍ସା ପାଇଁ ଅମିତାଭଙ୍କୁ ମୁମ୍ବାଇର ବ୍ରିଜକାଣ୍ଡି ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।ବହୁ ନାମୀଦାମୀ ଡାକ୍ତର ତାଙ୍କ ଚିକିତ୍ସାରେ ଲାଗିଥିଲେ । ଦେଶ ସାରା ବିଗ୍‌ବିଙ୍କ ପାଇଁ ଚାଲିଥିଲା ପ୍ରାର୍ଥନା । ଯେଉଁଥିରେ ଅମିତାଭଙ୍କ ଜୀବନ ଯାଉ ଯାଉ ବଞ୍ଚିଯାଇଥିଲା । ଯାହା ସହ ଯୋଡି ରହିଥିବା ଏକ ସିକ୍ରେଟ ଅମିତାଭଙ୍କ ଶ୍ବଶୁର ତରୁଣ କୁମାର ଭାଦୁଡି ନିଜ ଲେଖାରେ ସେୟାର କରିଥିଲେ । ଆଉ ପୁରା ଘଟଣା ସାମ୍ନାକୁ ଆସିଥିଲା। 

ଯେଉଁ ସମୟରେ ଅମିତାଭ ICUରେ ବଞ୍ଚିବାକୁ ସଂଘର୍ଷ କରୁଥିଲେ ସେହି ସମୟରେ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପୁଅ ରାଜୀବଙ୍କ ସହ କୌଣସି କାମରେ ଆମେରିକା ଯାଇଥିଲେ । ଯେତେବେଳେ ସେ ଏହି ଖବର ଶୁଣିଲେ ବ୍ୟତିବ୍ୟସ୍ତ ହୋଇପଡିଲେ । ସେ କହିଥିଲେ ଅମିତାଭଙ୍କ ଏମିତି ସମୟରେ ମୁଁ ଲସଆଞ୍ଜେଲସରେ ଅଛି । ଯଦି ମୁଁ ଭାରତରେ ଥାନ୍ତି ମୋର ପୁରା ପରିବାର ହସ୍‌ପିଟାଲରେ ଅମିତାଭଙ୍କ ସହ ଥାନ୍ତା । ଇନ୍ଦିରା ରାଜୀବଙ୍କୁ ତୁରନ୍ତ ଭାରତ ପଠାଇଥିଲେ। ଆଉ ନିଜେ ଯେତେବେଳେ ଭାରତ ଫେରିଲେ ପୁଅ ଓ ବୋହୁ ସହ ମୁମ୍ବାଇ ପହଞ୍ଚିଯାଇଥିଲେ ।

ଯେତେବେଳେ ଇନ୍ଦିରା ହସ୍‌ପିଟାଲରେ ପହଞ୍ଚିଲେ ସେତେବେଳେ ଅମିତାଭଙ୍କ ଶ୍ବଶୁର ତରୁଣ କୁମାର ଭାଦୁଡି ସେଠାରେ ଉପସ୍ଥିତ ଥିଲେ । ତାଙ୍କ ମୁଣ୍ଡ ତଳକୁ ଥିଲା ଓ ଆଖି ଲୁହରେ ଭର୍ତ୍ତି ହୋଇଥିଲା । ICUରେ ନିସ୍ତେଜ ହୋଇ ପଡିଥିଲେ ବିଗ୍‌ ବି । ତାଙ୍କ ଶରୀରରେ ଅନେକ ଟ୍ୟୁବ ଲାଗିଥିଲା ।ଇନ୍ଦିରାଙ୍କୁ ଦେଖି କଷ୍ଟରେ ଜର୍ଜରିତ ଅମିତାଭଙ୍କ ପାଟିରୁ ବାହାରିଥିଲା ଆଣ୍ଟି ବହୁତ କଷ୍ଟ ହେଉଛି ମୁଁ ଶୋଇପାରୁନି । ଏତିକି ଶୁଣି କୋହ ଲୁହ ସମ୍ବାଳି ପାରିନଥିଲେ ଇନ୍ଦିରା । ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଏମିତି ସ୍ଥିତିରେ ମାଆଙ୍କୁ ସମ୍ଭାଳି ଥିଲେ ରାଜୀବ । କିଛି ସମୟ ପରେ ଇନ୍ଦିରା ଅମିତାଭଙ୍କୁ ଆଶ୍ବାସନା ଦେଇ କହିଥିଲେ ଏଥିରେ ଚିନ୍ତା କରିବାର କିଛି କାରଣ ନାହିଁ ବେଟା । ମୁଁ ବି କେବେ କେବେ ଶୋଇପାରେନି । ହେଲେ ଯେତେବେଳେ ନିଦ ଆସେ ଆରାମ ମିଳିଥାଏ । ତୁମେ ବି ଜଲଦି ଶୋଇପଡିବ । ଆଉ କଷ୍ଟ ହେବନି । ଏତିକି କହି ଇନ୍ଦିରା ଗାନ୍ଧି ଆଇସିୟୁ ବାହାରକୁ ଆସି ପିଇବାକୁ ପାଣି ମାଗିଥିଲେ ।

ଅମିତାଭଙ୍କ ଶରୀରରେ କ୍ଷତ ଏତେ ଗଭୀର ଥିଲା କି ଚିକିତ୍ସା କରୁଥିବା ଡାକ୍ତର ବି ବଞ୍ଚିବା ଆଶା ଛାଡିଦେଇଥିଲେ । ବିଗ୍‌ ବି କୋମାକୁ ପଳାଇଥିଲେ ଆଉ ତାଙ୍କୁ କ୍ଲିନିକାଲି ଡେଡ ଘୋଷଣା କରାଯାଇସାରିଥିଲା ।ହେଲେ ଅମିତାଭଙ୍କୁ ଭଲ ପାଉଥିବା କୋଟି କୋଟି ଲୋକଙ୍କ ପ୍ରାର୍ଥନା ଓ ବିଶ୍ବାସ କାମରେ ଆସିଲା । ମରଣ ମୁହଁରୁ ଫେରିଆସିଥିଲେ ଅମିତାଭ । 

୧୯୮୨ ଅଗଷ୍ଟ ୨ରେ ହସ୍‌ପିଟାଲରୁ ଡିସଚାର୍ଜ ହେଇଥିଲେ ଅମିତାଭ । ଧିରେ ଧିରେ ଠିକ ହେବାକୁ ଲାଗିଥିଲେ । ମରଣ ମୁହଁରୁ ଫେରି ଆସିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଥିଲେ ଅମିତାଭ । ଆଉ କହିଥିଲେ ଦେଶବାସୀଙ୍କ ଭଲପାଇବା ଓ ପ୍ରାର୍ଥନା ପାଇଁ ମୁଁ ଆଜି ନୂଆ ଜୀବନ ପାଇଛି । ଏହି ଦିନକୁ ସବୁବେଳେ ମନେ ରଖିବି । 


ତରୁଣ ଲେଖିଛନ୍ତି ପୁରା ଦେଶର ଲୋକେ ଅମିତାଭଙ୍କ ପାଇଁ ପ୍ରାର୍ଥନା କରୁଥିଲେ। ଘରେ ଘରେ ଦୀପ ଜଳୁଥିଲା । ପୁରା ଦେଶ ଜଣେ ମଣିଷ ପାଇଁ ପ୍ରାର୍ଥନା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ଅମିତାଭ ବଞ୍ଚିଗଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା ଏ ଚମତ୍କାର ଭଗବାନଙ୍କ ଛଡା ଆଉ କିଏ କରିପାରିବ । ହେଲେ ମୁଁ ଏକଥାକୁ ବିଶ୍ବାସ କରୁନି । ଅମିତାଭ ଯଦି ବଞ୍ଚିନଥାନ୍ତା ଲୋକେ ଡାକ୍ତରକୁ ଦୋଷ ଦେଇଥାନ୍ତେ ହେଲେ ଏବେ ଯେତେବେଳେ ସେ ବଞ୍ଚିଗଲା ଲୋକ ଡାକ୍ତରଙ୍କୁ କାହିଁକି ପ୍ରଶଂସା କରୁନାହାନ୍ତି । ଆଉ ସେମାନଙ୍କୁ ଲାଗୁଛି କି ଏହା ଭଗବାନଙ୍କ ଚମତ୍କାର ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.