ନୂଆଦିଲ୍ଲୀ: ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିପାଇଁ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷର ହୋଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ରହିଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, 'ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ କଲ୍ୟାଣକାରୀ ଯୋଜନାରେ ରାଜନୈତିକ କାରଣ ଏବଂ ପୂର୍ବ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଓଡ଼ିଶାର ଲୋକ ଏହି ଯୋଜନାକୁ ବାଦ୍ ପଡ଼ିଥିଲେ । ଏହି ତ୍ରୁଟିକୁ ସୁଧିବା ପାଇଁ ବର୍ତ୍ତମାନର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜିର ଏହି ପବିତ୍ର ଦିନରେ ଏମଓୟୁ ସ୍ୱାକ୍ଷର ହେବା ସହ ଓଡ଼ିଶାବାସୀ ଏହି ଯୋଜନାରେ ଲାଭବାନ ହେବେ ବୋଲି ମୁଁ ଆଶାବାଦୀ ।' ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି । ଏହାସହ ଆଗାମୀ ଦିନରେ ରାଜ୍ୟର ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, 'ଓଡ଼ିଶାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଉଛି । ଆଜି ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଲେଖାଯାଇଛି ।'
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣକାରୀ ଯୋଜନାରେ ଆଜି ଓଡ଼ିଶା ସାମିଲ ହୋଇଛି । ଓଡ଼ିଶାରେ ବିକାଶକୁ ନେଇ ଦକ୍ଷତା ରହିଛି, ଆଗକୁ ବଢିବା ନେଇ ଉତ୍କଣ୍ଠା ରହିଛି, ସେହି ଇଚ୍ଛାକୁ ଜୁନ୍ ମାସରେ ଓଡ଼ିଶାବାସୀ ପ୍ରମାଣିତ କରିଛନ୍ତି । ପିଏମ୍ ମୋଦୀଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନା ସାରା ଦେଶରେ ଲାଗୁ ଥିଲା, କିନ୍ତୁ ଓଡ଼ିଶାବାସୀଙ୍କୁ ତାର ଲାଭ ମିଳୁ ନଥିଲା । କିନ୍ତୁ ସେହି ଲାଭ ନେବା ପାଇଁ, ବିକଶିତ ଭାରତ ସହ ବିକଶିତ ଓଡ଼ିଶା ଗଠନ ପାଇଁ ଡବଲ୍ ଇଞ୍ଜିନ ସରକାର ଗଢିଲେ । ଓଡ଼ିଶାରେ ସ୍ୱାସ୍ଥ୍ୟ ସହ ଆଇଟି କ୍ଷେତ୍ରର ପାଇଁ ବଡ଼ ସୁଯୋଗ ରହିଛି । ଓଡ଼ିଶାକୁ ଏକ ବଡ଼ ଆଇଟି ହବ୍ କରିବା ପାଇଁ ସମୟ ଆସିସାରିଛି । ଖୁବଶୀଘ୍ର ଓଡ଼ିଶା ଆଇଟି ହେବାକୁ ଯାଉଛି ।'
ଓଡ଼ିଶାରେ ଆୟୁଷ୍ମାନ ପାଇଁ MoU ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ବିରୋଧୀ ଦଳରେ ଥିବା ବେଳୁ ଏହି ଯୋଜନାକୁ ଲାଗୁ କରିବାକୁ ଦାବି କରିଥିଲୁ । ସରକାରକୁ ଆସିବା ପରେ ଆମେ ପ୍ରତିଶ୍ରୁତି ପାଳନ କରିଛୁ । ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଏହି ଯୋଜନାର ଉପକୃତ ହେବେ । ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ । ସାରା ଦେଶରେ ଯିଏ ଯେଉଁଠି ଥିଲେ ବି ଏହାର ସୁଯୋଗ ପାଇବେ । ଦେଶର ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ମିଳିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ୍ରେ ଚିକିତ୍ସା ମିଳିପାରିବ । ଏଥିରେ କ୍ୟାସ୍ଲେସ୍ ବ୍ୟବସ୍ଥା ରହିଛି । ଯୋଜନା ଜରିଆରେ ଦେଶର ୫୫ କୋଟି ହିତାଧିକାରୀ ଉପକୃତ ହେବେ । ଏହାସହ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ଏହି ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ମିଳୁଛି । ଯୋଜନା ଲାଗୁ ପରେ ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ମଧ୍ୟ ମିଳିବ । ଏହି ଯୋଜନା ଦ୍ୱାରା ୨୭ ଶହ ହସ୍ପିଟାଲରେ ହିତାଧିକାରୀ ଚିକିତ୍ସା ସୁବିଧା ପାଇପାରିବେ ।