କଜାକସ୍ତାନରେ ପ୍ଲେନ୍‌ କ୍ରାସ୍‌ ପାଇଁ ଋଷର ହାତ? ବାହ୍ୟ ହସ୍ତକ୍ଷେପକୁ ଦାୟୀ କଲେ ବିଶେଷଜ୍ଞ

Published By : Prameya-News7 Bureau | December 27, 2024 IST

News7

ନୂଆଦିଲ୍ଲୀ: ଅଜରବୈଜାନ ଏୟାରଲାଇନ୍ସ ବିମାନ ଦୁର୍ଘଟଣା ପାଇଁ ଋଷ ଦାୟୀ କି? କଜାକସ୍ତାନରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ବଡ଼ ପଦକ୍ଷେପ ନେଇଛି ଆଜେରବାଇଜାନ। ଋଷକୁ ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଶୁକ୍ରବାର ଘୋଷଣା କରିଛି ଏୟାର ଲାଇନ୍ସ। ବିମାନ ଦୁର୍ଘଟଣା ହେବା ପରେ ସମ୍ଭାବ୍ୟ ବିମାନ ସୁରକ୍ଷା ବିପଦ ଦର୍ଶାଇ କମ୍ପାନୀ ଏହି ଘୋଷଣା କରିଛି। ଦୁର୍ଘଟଣା ପାଇଁ ବାହ୍ୟ ହସ୍ତକ୍ଷେପକୁ ଦାୟୀ କରିଛନ୍ତି ବିଶେଷଜ୍ଞ।

ଆଜେରବାଇଜାନ ଏୟାରଲାଇନ୍ସର ଏମ୍ବ୍ରାୟର-୧୯୦ ବିମାନ ବୁଧବାର ରାଜଧାନୀ ବାକୁ ରୁ ରୁଷିଆର ଗ୍ରୋଜନୀ ସହର ନର୍ଥ କାକସକୁ ଯାତ୍ରା କରିଥିଲା। ଟେକ୍ ଅଫ୍ ହେବାର କିଛି ସମୟ ପରେ ଏହାର ମାର୍ଗ ପରିବର୍ତ୍ତନ କରାଯାଇଥିଲା। କାସପିଆନ୍ ସାଗର ପାର ହେବା ପରେ କାଜାଖସ୍ତାନର ଅକଟାଉରେ ଅବତରଣ କରିବାକୁ ଉଦ୍ୟମ କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। 

ବିମାନକୁ ଋଷୀୟ ଏୟାରପୋର୍ଟରେ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିନଥିଲା। ଏଣୁ ବିମାନକୁ କାଜାକିସ୍ତାନର ଅକତାଉକୁ ନେବାକୁ ପଡିଥିଲା। ଏହା ମଧ୍ୟ ଦାବି କରାଯାଉଛି ଯେ ଉଡାଣ କାଳରେ ବିମାନର ଜିପିଏସ୍ ନେଭିଗେସନ ପ୍ରଣାଳୀ ଜାମ୍ ହୋଇଯାଇଥିଲା। ଫଳରେ ପରିସ୍ଥିତି ଅଧିକ ଉଦବେଗଜନକ ହୋଇଥିଲା ଓ ବିମାନକୁ ଦୀର୍ଘ ସମୟ ଧରି ଆକାଶରେ ରହିବାକୁ ପଡିଥିଲା।

ଆଜେରବାଇଜାନ, କାଜାଖସ୍ତାନ ଏବଂ ଋଷର ଅଧିକାରୀମାନେ ସରକାରୀ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଦୁର୍ଘଟଣାର ସମ୍ଭାବ୍ୟ କାରଣ ସମ୍ପର୍କରେ ସୂଚନା ଦେଇ ନାହାଁନ୍ତି, କିନ୍ତୁ ଆଜେରବାଇଜାନର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହି ଦୁର୍ଘଟଣା ପାଇଁ ମସ୍କୋକୁ ଦାୟୀ କରିଛନ୍ତି। 

ସେ ଋଷକୁ ଆନୁଷ୍ଠାନିକ ଭାବେ କ୍ଷମା ମାଗିବାକୁ କହିଛନ୍ତି। ମୁସାବେକୋଭଙ୍କ ବିବୃତ୍ତି ବିଷୟରେ ପଚରାଯିବାରୁ କ୍ରେମଲିନ ମୁଖପାତ୍ର କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି। ଯେତେବେଳେ ଏହି ଦୁର୍ଘଟଣାର ସରକାରୀ ତଦନ୍ତ ଆରମ୍ଭ ହୋଇଥିଲା, କିଛି ବିମାନ ବିଶେଷଜ୍ଞ କହିଛନ୍ତି ଋଷର ବାୟୁ ପ୍ରତିରକ୍ଷା ସିଷ୍ଟମ ଦ୍ୱାରା ଏହା ହୋଇଥାଇପାରେ ବୋଲି ମତ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.