ନୂଆଦିଲ୍ଲୀ: ଇସ୍ରାଏଲ ଏୟାରଷ୍ଟ୍ରାଇକରୁ ଅଳ୍ପକେ ବର୍ତ୍ତିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହା-ନିର୍ଦ୍ଦେଶକ ଟେଡ୍ରୋସ୍ ଏଡନାମ । ଗୁରୁବାର ୟେମନର ସନା ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ WHO ମହା ନିର୍ଦ୍ଦେଶକ ଥିବା ବେଳେ ଏୟାର ଷ୍ଟ୍ରାଇକ୍ ହୋଇଥିଲା । ଏହି ଆକ୍ରମଣରେ ପ୍ରାୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତାଙ୍କ ପାଇଲଟ୍ ସାମାନ୍ୟ ଭାବେ ଆହତ ହୋଇଛନ୍ତି ।
ଡବ୍ଲୁଏଚଓ ମହା ନିର୍ଦ୍ଦେଶକ ଟେଡ୍ରୋସ୍ ଏଡନାମ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ସଂଯୁକ୍ତ ରାଷ୍ଟ୍ର ସଦସ୍ୟ ବନ୍ଦୀମାନଙ୍କୁ ମୁକ୍ତ କରିବା ନେଇ ଆଲୋଚନା କରିବା, ୟେମନରେ ସ୍ବାସ୍ଥ୍ୟ ଏବଂ ମାନବୀୟ ସ୍ଥିତି ଉପରେ ଆକଳନ କରିବା ନେଇ ଯେଉଁ ମିଶନ ଆରମ୍ଭ ହୋଇଥିଲା ତାହା ଶେଷ ହୋଇଛି । ହେଲେ ବନ୍ଦୀମାନଙ୍କୁ ମୁକ୍ତ କରିବା ପ୍ରୟାସ ଜାରି ରହିବ । ପ୍ରାୟ ଦୁଇ ଘଣ୍ଟା ପର୍ବରୁ ତାଙ୍କ ଟିମ୍ ୟେମନର ସନା ଏୟାରପୋର୍ଟରୁ ଫ୍ଲାଇଟ୍ ନେଇଥାନ୍ତେ, ହେଲେ ଏହି ସମୟରେ ଇସ୍ରାଏଲ ପକ୍ଷରୁ ବିମାନବନ୍ଦର ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା । ତାଙ୍କ କ୍ରୁ ଷ୍ଟାଫ୍ ଏହି ଆକ୍ରମଣରେ ଆହତ ହୋଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଇସ୍ରାଏଲର ଏହି ବୋମା ବର୍ଷାରେ ଏୟାରପୋର୍ଟ ପ୍ରାୟ ୨ଜଣ ଷ୍ଟାଫଙ୍କ ମୃତ୍ୟୁ ହୋଇଛି । ତାଙ୍କ ବିମାନ ଉଡ଼ାଣ ଭରିବା ପୂର୍ବରୁ ଏୟାରପୋର୍ଟକୁ ଉଡ଼ାଇ ଦିଆଯାଇଛି । ତେଣୁ ବିମାନବନ୍ଦର ମରାମତି ହେବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଡବ୍ଲୁଏଚଓ ମହା ନିର୍ଦ୍ଦେଶକ କହିଛନ୍ତି । ସଂଯୁକ୍ତ ରାଷ୍ଟ୍ର ସଦସ୍ୟ, ଡବ୍ଲୁଏଚଓ ସହକର୍ମୀ ଏବଂ ସେ ନିଜ ସୁରକ୍ଷିତ ଅଛନ୍ତି ବୋଲି ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି । ସଂଯୁକ୍ତ ରାଷ୍ଟ୍ର ମହାସଚିବ ଅଣ୍ଟୋନିୟୋ ଗୁଟେରେସ ଏହି ହମଲାକୁ ନିନ୍ଦା କରିଛନ୍ତି । ଅନ୍ତର୍ଜାତିକ କୋର୍ଟ ଅଫ୍ ଜଷ୍ଟିସରେ ଏହି ଘଟଣାକୁ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।..