ଚୋରି କରି ଘରେ ଲୁଚାଇ ରଖିଥିଲା,ଚଢାଉ କରି ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | September 10, 2024 IST

ଭଦ୍ରକ ୧୦/୯: ଭଦ୍ରକରେ ମାଆ କୋଳରୁ ଚୋରି ହୋଇଥିବା ଶିଶୁ କନ୍ୟା ଉଦ୍ଧାର । ଚୋରି କରିଥିବା ମହିଳାଙ୍କ ରାଜଘାଟ ଛକ ସ୍ଥିତ ଭଡାଘରୁ ଉଦ୍ଧାର କରିଛି ପୋଲିସ । ମହିଳା ପିଲାଟିକୁ ଘର ଭିତରେ ଲୁଚାଇ ରଖିଥିଲେ । ସିଟି ଡିଏସପି ଅଂଶୁମାନ ଦ୍ବିବେଦୀଙ୍କ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଛି । ଶିଶୁ କନ୍ୟାକୁ ଚୋରି କରିଥିବା ମହିଳାଙ୍କୁ ମଧ୍ୟ ଅଟକ ରଖାଯାଇଛି । 

ଭଦ୍ରକ ଗ୍ରାମାଞ୍ଚଳ ଥାନା ମଉଦା ଗାଁର ଏ ଘଟଣା ମଙ୍ଗଳବାର ସକାଳୁ ହଇଚଇ ସୃଷ୍ଟି କରିଥିଲା । ଗତ ୪ ତାରିଖ ଭୋରରେ ଆମ୍ବୁଲାନ୍ସ ନ ଆସିବାରୁ ରାସ୍ତାକଡରେ ପ୍ରସବ କରିଥିଲେ ଜଣେ ମହିଳା । ଆଉ ଶିଶୁ କନ୍ୟାକୁ ଜନ୍ମ ଦେବାର ୬ ଘଣ୍ଟା ପରେ ଉଦ୍ଧାର ହୋଇଥିଲେ ଉଭୟ। ସେହି ସମୟରେ ଜଣେ ମହିଳା ଆସି ଆମ୍ବୁଲାନ୍ସରେ ଉଦ୍ଧାର କରିନେଇଥିଲେ ମେଡିକାଲ। ମହିଳାଙ୍କ ରକ୍ତ ଅଭାବ ହେତୁ ତାଙ୍କୁ ଆମ୍ବୁଲାନ୍ସ ରେ ନିଆଯାଇଥିଲା କଟକ ମେଡିକାଲ । ସାଙ୍ଗରେ ଯାଇଥିଲେ ସହାୟତା କରିଥିବା ମହିଳା । ସେଠାରୁ ଡିସ୍‌ଚାର୍ଜ ହେବା ପରେ ଟ୍ରେନ ଯୋଗେ ଭଦ୍ରକ ଆଣିଥିଲେ । ହେଲେ ଷ୍ଟେସନ ଠାରୁ କିଛି ଦୂରରେ ଅସୁସ୍ଥ ମା’କୁ ରାସ୍ତାରେ ବସାଇ ଦେଇ ନବଜାତ ଶିଶୁକୁ ନେଇ ପଳାଇଯାଇଥିଲେ ସେ ।ଦୀର୍ଘ ସମୟ ଅପେକ୍ଷା ପରେ ଝିଅକୁ ନପାଇ ମହିଳା ଜଣକ ପୁଣି ପୋଷ୍ଟ ଅଫିସ ଛକକୁ ଆସି ବହୁ ଖୋଜାଖୋଜି କରିଥିଲେ। ମହିଳା ଜଣଙ୍କ ନିରକ୍ଷର ହୋଇଥିବାରୁ ଥାନାକୁ ଯାଇ ଏତଲା ଦେଇନଥିଲେ । ଘଟଣା ପରେ ମୁକ୍ତାଶ୍ରୟ କେନ୍ଦ୍ର କର୍ମଚାରୀ ରିୟାଜ ଅହମଦଙ୍କୁ ଯୋଗାଯୋଗ ପରେ ଚାଇଲ୍ଡ ଲାଇନ ମହିଳାଙ୍କୁ ଉଦ୍ଧାର କରିଥିଲା । ମାମଲାରେ ଭଦ୍ରକ ଟାଉନ୍ ପୋଲିସ ବି ପହଞ୍ଚିଥିଲା । ମହିଳାଙ୍କୁ କାଉନସେଲିଂ ପରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନବଜାତ ଶିଶୁକୁ ନେଇଥିବା ମହିଳାଙ୍କ ଚିତ୍ର କ୍ୟାମେରାରେ କଏଦ ହୋଇଥିଲା ।  ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଶିଶୁ କନ୍ୟାକୁ ଉଦ୍ଧାର କରିଛି ପୋଲିସ ।

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.