ଆହୁରି ଦୁଇ ଦିନ ବଢିପାରେ ବାଲିଯାତ୍ରା, ସରକାରଙ୍କୁ ନିବେଦନ କଲେ କଟକ ମେୟର

Published By : Prameya-News7 Bureau | December 04, 2023 IST

କଟକ ୦୪/୧୨: ଚଳିତ ବର୍ଷ ବାଲିଯାତ୍ରା କୁ ଅଧିକ ଗୋଟିଏ କିମ୍ବା ଦୁଇଦିନ ବୃଦ୍ଧି କରାଇବା ପାଇଁ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି କଟକ ମେୟର ସୁବାସ ସିଂ। ଗତକାଲି ଏନେଇ ଭୁବନେଶ୍ୱର ଯାଇ ରାଜ୍ୟ ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ଦିଆଯାଇଛି । ଆଜି ଏହା ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେଇ ପାରନ୍ତି ବୋଲି ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ।

ସୂଚନାଥାଉକି, ବାଲିଯାତ୍ରା ଆଉ ଦୁଇଦିନ ବୃଦ୍ଧି କରିବାକୁ କଟକ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ବାଲିଯାତ୍ରା ସୂଚାରୁ ଢଙ୍ଗରେ ପରିଚାଳିତ ହେଉଛି । ବ୍ୟବସାୟୀଙ୍କ ବ୍ୟବସାୟ ଲାଗି ଭରପୂର ସୁଯୋଗ ମିଳୁଛି । ତେଣୁ ବାଲିଯାତ୍ରାକୁ ଅନ୍ତତଃପକ୍ଷେ ଦୁଇଦିନ ବୃଦ୍ଧି କରାଯାଇ ୬ ତାରିଖ ବୁଧବାର ଯାଏ ମେଳା ଆୟୋଜନ କରିବାକୁ ଅନୁମତି ଦିଆଯାଉ ବୋଲି ମେୟର ଶ୍ରୀ ସିଂହ ଅନୁରୋଧ କରିଛନ୍ତି ।

ରବିବାର ସହରର ସବୁ ରାସ୍ତାରେ ଚକ, ଅଖ ଜାମ୍‌ । ମେଳା ପଡ଼ିଆ ଜନସମୁଦ୍ର । ଭିଡ଼ ଭିତରେ ଯେତିକି ମେଳା ବୁଲିଲେ, ସେହି ତୁଳନାରେ ଅନେକ ଅଧାରାସ୍ତାରୁ ନିରାଶ ହେଇ ଫେରିଗଲେ । ସମ୍ପୂର୍ଣ୍ଣ କଟକ ସହରଟା ଟ୍ରାଫିକ୍‌ ଭିତରେ ଛନ୍ଦି ହୋଇପଡ଼ିଥିଲା । ମେଳା ପଡିଆକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାର ପ୍ରାୟ ୫ କିଲୋମିଟର ପରିଧି ଭିତରେ ରହିଥିବା ଲୋକେ ଭିଡ଼ରେ ଫସିଗଲେ । ସ୍ଥିତି ଏମିତି ହେଲା ଯେ ପୁଲିସ ଓ ପ୍ରଶାସନ ଉଭୟେ ହାତ ଟେକିଦେଲେ ।

wp:html /wp:html

ଅସମ୍ଭାଳ ଭିଡ଼ରେ ବାଲିଯାତ୍ରା ପଡ଼ିଆରେ ସୋରିଷ ପକାଇବାକୁ ଜାଗା ନଥିଲା । ବାଲିଯାତ୍ରା ପାଇଁ କରାଯାଇଥିବା ୧୫ ପାର୍କିଂ ଷ୍ଟାଣ୍ଡ୍‌ ଦିନ ୩ଟାରୁ ବୋଝେଇ ହୋଇସାରିଥିଲା । ସବୁ ରୋ’ ଭିତରେ ଧାଡ଼ି ବାନ୍ଧିବା ଭଳି ଲୋକେ ଛିଡ଼ା ହୋଇ ରହିଥିଲେ । ବେଳେବେଳେ ଭିଡ଼ ଅଟକିଯାଉଥିଲା ଯେ ଆଗକୁ ବଢୁନଥିଲା । ଅନେକ ବି ଅଣନିଶ୍ୱାସୀ ହୋଇପଡ଼ୁଥିଲେ ।

ଅନ୍ୟପକ୍ଷରେ ଭିଡ଼ର ସୁଯୋଗ ନେଇ ବ୍ୟବସାୟୀ ଆଜି ହାତଖୋଲା ବେପାର କରିଛନ୍ତି । ଆଜି ଦିନ ଭିତରେ ପ୍ରାୟ ୧୨ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ଆସିଥିବା ବେଳେ ପ୍ରାୟ ୩୦କୋଟି ଟଙ୍କାରୁ ଅଧିକ କାରବାର ହୋଇଥିବା ଅନୁମାନ କରାଯାଉଛି । କେବଳ ଓରମାସ୍‌ରେ ୧୦ କୋଟିରୁ ଅଧିକ ବ୍ୟବସାୟ ହୋଇଥିବା ଆକଳନ କରାଯାଇଛି । ବାଲିଯାତ୍ରାର ଆଠ ଦିନ ଭିତରେ କାଲିଥିଲା ରବିବାର । ତେଣୁ ଆଶା ଠାରୁ ଦୁଇ ଗୁଣା ଭିଡ଼ ଥିଲା । କିନ୍ତୁ ପ୍ରଶାସନ ଓ ପୁଲିସ ପକ୍ଷରୁ ଯେଭଳି ପଦକ୍ଷେପ ନିଆଯିବା କଥା ତାହା ନିଆଯାଇନଥିଲା ।

ଫୁଲାଫାଙ୍କିଆ ପ୍ରସ୍ତୁତି ଯୋଗୁଁ ସହରଟା ଟ୍ରାଫିକ୍‌ ଭିତରେ ସମ୍ପୂର୍ଣ୍ଣ ଛନ୍ଦି ହୋଇପଡ଼ିଥିଲା । ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଇଥିଲା । ଯେମିତିକି ବାଲିଯାତ୍ରା ପଡିଆରୁ ରିଂ ରୋଡ୍‌ ବେଲ୍‌ଭ୍ୟୁ ଛକ ଯାଏ ଗାଡ଼ିମୋଟର ଧାଡ଼ି ବାନ୍ଧିଥିଲା । ଯାହାଫଳରେ ସନ୍ଧ୍ୟା ପରଠାରୁ ବେଲ୍‌ଭ୍ୟୁ ଠାରୁ ଜୁଡିସିଆଲ୍‌ ଏକାଡେମୀ ଦେଇ ଗାଡ଼ିମୋଟର କିଛି ସମୟ ଛଡ଼ାଯାଇନଥିଲା । ସେହିପରି ଯୋବ୍ରା ଆନିକଟ୍‌ ଉପରେ ଗାଡ଼ିମୋଟର ଧାଡ଼ି କରି ଛିଡ଼ା ହୋଇଥିଲା । ସେପଟେ ମଧୁସୂଦନ ସେତୁ ଉପର ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା ।

you can also read....

wp:embed {"url":"https://www.prameyanews7.com/sachin-jigar-in-cuttack-baliyatra-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sachin-jigar-in-cuttack-baliyatra-2023/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.