ବରଗଡ଼ ୦୫।୦୧ : ଜମୁଛି ବରଗଡ଼ ଧନୁଯାତ୍ରା । କଂସ ମହାରାଜଙ୍କ ନିମନ୍ତ୍ରଣ ରକ୍ଷା କରି ରାଜ ଅତିଥି ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ । ଯାତ୍ରାର ଦ୍ବିତୀୟ ଦିନରେ ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ରଙ୍ଗମହଲର ଉଦ୍ଘାଟନ କରିଛନ୍ତି କଂସ ମହାରାଜ । ରାଜଦରବାରରେ ଜମିଥିଲା ନୃତ୍ୟ ଗୀତର ଆସର ।
ସେହିପରି ଅନ୍ୟପଟେ କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସଙ୍କ ଭୟରେ ବାସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା ,ଉଗ୍ରସେନ ସହ ଭେଟ ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ପ୍ରଦାନ କରି ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନୀତ ହୋଇଛି | ତେବେ ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦଙ୍କ ଉପସ୍ଥିତରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଫିତା କାଟି ରଙ୍ଗ ମହଲର ଉଦ୍ଘାଟନ କରିଥିଲେ । ମହାରାଜ କଂସଙ୍କ ନିମନ୍ତ୍ରଣ ରକ୍ଷା କରି ରାଜ ଅତିଥି ହୋଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ ପ୍ରମୁଖ।