ଭଦ୍ରକ: ଶିଳ୍ପର ଏନ୍ତୁଡ଼ି ଶାଳ ହେବ ଭଦ୍ରକ। ଏଥିପାଇଁ ପ୍ରସ୍ତୁତି ଚାଲିଛି। ସଂପୂର୍ଣ୍ଣ ଡାଟାବେସ୍ ତିଆରି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଧାମରା ହେବ ଶିଳ୍ପ କ୍ଷେତ୍ରର ହବ୍। ମଙ୍ଗଳବାର ଭଦ୍ରକ ଜିଲ୍ଲା ଗସ୍ତ ସମୟରେ ଏହି ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ସୂଚନାଥାଉକି, ମଙ୍ଗଳବାର ରାଜସ୍ବ ମନ୍ତ୍ରୀ ଭଦ୍ରକ ଗସ୍ତରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ରହିଥିଲେ।
ତେବେ ବୈଠକ ପରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଦୁଇ ମାସ ମଧ୍ୟ ଭଦ୍ରକ ଜିଲ୍ଲାରେ ଥିବା ଲଘୁ ଖଣିଜର ସ୍ଥିତି ସହ ଆର୍ଥିକ ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଡାଟା ବେସ ତିଆରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲାର ଧାମରା ଶିଳ୍ପ କ୍ଷେତ୍ରରେ ହବ୍ ହେବା ପାଇଁ ଯାଉଛି । ଭଦ୍ରକ ଜିଲ୍ଲା ହେବ ଉଦ୍ୟୋଗୀ ହବ୍। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି, ରାସ୍ତା ଘାଟର ସୁବିଧା ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ ।
ମନ୍ତ୍ରୀ ଆହୁରି କହିଛନ୍ତି ଜିଲ୍ଲାରେ ବସୁନ୍ଧରା ଯୋଜନାରେ ୪ ଡେସିମିଲ ଜମି ପ୍ରଦାନ କରାଯିବ। ଶିକ୍ଷା ଓ ସ୍ବାସ୍ଥ୍ୟ , ପାନୀୟ ଜଳ ସଂଯୋଗୀକରଣ ଆଦି ବିଷୟରେ ସମୀକ୍ଷା ହୋଇଛି। ସମ୍ପୂର୍ଣ୍ଣ ଡାଟାବେସ ଆସିବା ପରେ ପୁଣି ସମୀକ୍ଷା ହେବ। ଗରିବ କଲ୍ୟାଣ ଯୋଜନାର ଅଗ୍ରଗତି, ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଜମି ପଟ୍ଟା ବଣ୍ଟନ, ଜଙ୍ଗଲ ଜମିର ସୁରକ୍ଷା ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଛି ।
ଏହା ସହ ସୁରେଶ ପୂଜାରୀ କହିଛନ୍ତି ଆଧୁନିକ ଓ ବିକଶିତ ଓଡ଼ିଶା ଗଠନ ପାଇଁ ୧୪୫ ଏମଓୟୁରେ ୧୩ ଲକ୍ଷ କୋଟି ନିବେଶ ପାଇଁ ଚୁକ୍ତି ହୋଇଛି। ଆହୁରି ଅଧିକ ୨୦ ଶିଳ୍ପ ସଂସ୍ଥା ଚୁକ୍ତି ପାଇଁ ନିବେଶକାରୀ ଆସିବେ ବୋଲି ପ୍ରତିଶ୍ରୁତି ମିଳିଛି । ସମୁଦାୟ ୨୭ ଲକ୍ଷ କୋଟି ନିବେଶ ହେବ । ସେମାନଙ୍କ ପାଇଁ ଜଳ, ଜମି ଆଦି ଉପଲବ୍ଧ କରାଯିବ ବୋଳି କହିଛନ୍ତି ମନ୍ତ୍ରୀ।