ଅଲ୍ ଜଜିରାର ପ୍ରୋଜେକ୍ଟ ଟାଇଗର ରିପୋର୍ଟ ଘୃଣାରେ ଭର୍ତ୍ତି, କେନ୍ଦ୍ରମନ୍ତ୍ରୀ କହିଲେ- ଭାରତରେ ବଢୁଛି ବାଘଙ୍କ ସଂଖ୍ୟା

Published By : Prameya-News7 Bureau | April 10, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପ୍ରୋଜେକ୍ଟ ଟାଇଗର ରିପୋର୍ଟ ଉପରେ ମିଡିଆ ସଂସ୍ଥା ଅଲ୍ ଜଜିରାକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଅଲ୍ ଜରିରା ଯେଉଁ ଦିନ ପ୍ରୋପାଗଣ୍ଡା ଛାଡ଼ି ସାମ୍ୱାଦିକତା କରିବ ସେ ଦିନ ତାକୁ ପ୍ରଶଂସା କରାଯିବ । ଉଲ୍ଲେଖଯୋଗ୍ୟ ଯେ ଅଲ ଜଜିରା ନିଜ ରିପୋର୍ଟରେ ଦାବି କରିଥିଲା ଯେ ଭାରତର ବ୍ୟାଘ୍ର ସଂରକ୍ଷଣ ରଣନୀତି ଆମେରିକୀୟ ପରିବେଶବାଦରୁ ଗଭୀର ରୂପେ ପ୍ରଭାବିତ, ଏହି କାରଣରୁ ଦଶନ୍ଧି ଦଶନ୍ଧି ଧରି ଜଙ୍ଗଲରେ ବାସ କରୁଥିବା ଅନେକ ସମୁଦାୟ ପଳାୟନ କରୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ଭାରତ ଏକମାତ୍ର ଦେଶ ଯେଉଁଠି ବାଘଙ୍କ ସଂଖ୍ୟା ବଢିଛି । କେନ୍ଦ୍ରମନ୍ତ୍ରୀ ଅଲ୍ ଜଜିରାର ରିପୋର୍ଟର ଫଟୋକୁ ପୋଷ୍ଟ କରି ଲେଖିଛନ୍ତି, ଭାରତ ଏକମାତ୍ର ଦେଶ ଯେଉଁଠି ବାଘଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଦ୍ରୁତ ଗତିରେ ବଢିଛି । ଅନ୍ୟ ଦେଶରେ ବାଘଙ୍କ ସଂଖ୍ୟା ସ୍ଥିର କିମ୍ୱା ହ୍ରାସ ପାଇଛି । ସେ ଅଲ ଜଜିରାକୁ ସମାଲୋଚନା କରି କହିଛନ୍ତି ଯେ ଏହି କାରଣରୁ 'ଘୃଣାରୁ ଅନୁପ୍ରାଣିତ, ପ୍ରୋପାଗଣ୍ଡା ମିଡିଆ ଅଲ ଜଜିରାର ହୃଦୟ ଜଳିବା ସ୍ୱଭାବିତ ଅଟେ ।

wp:html /wp:html

କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ଯଦି ଅଲ୍ ଜରିରା ପ୍ରୋପାଗଣ୍ଡା ଛାଡ଼ି ସାମ୍ୱାଦିକତା କରେ, ତେବେ ଏହି କଥାକୁ ପ୍ରଶଂସା କରିବାରେ ସକ୍ଷମ ହେବ ଯେ ଭାରତର ଟାଇଗର ଏଜେଣ୍ଡା ସମାବେଶୀ ଏବଂ ସଫଳ, କାରଣ ଏହା ସ୍ଥାନୀୟ ସମୁଦାୟର ଭାଗିଦାରୀରେ ରହିଛି । ଆମ ବ୍ୟାଘ୍ର ସଂରକ୍ଷଣ ସ୍ଥାନୀୟ ଲୋକଙ୍କ ପାଇଁ ବାର୍ଷିକ ୫୦ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରୁଛି' ।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୯ରେ ଦେଶର ବାଘ ଗଣନା ରିପୋର୍ଟ ଜାରି କରିଥିଲେ । ରିପୋର୍ଟ ଅନୁସାରେ, ଦେଶରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଭାରତରେ ବାଘଙ୍କ ସଂଖ୍ୟା ବଢି ୩ ହଜାର ୧୬୭ ହୋଇଛି । ୨୦୦୬ରେ ଏହି ସଂଖ୍ୟା ୧୪୧୧ ରହିଥିଲା । ଏହା ପୂର୍ବରୁ ୨୦୧୮-୨୦୧୯ରେ ଜାରି ବାଘ ଗଣନାରେ ୨୯୬୭ ସଂଖ୍ୟା ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.