ନୂଆଦିଲ୍ଲୀ: କ୍ୟାବିନେଟ ସମ୍ପ୍ରସାରଣ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବୁଧବାର (୨୬ ଫେବୃଆରୀ) ତାଙ୍କ କ୍ୟାବିନେଟର ୭ ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଶପଥ ପାଠ କରାଇଛନ୍ତି। ନୂଆ ମନ୍ତ୍ରୀ ହୋଇଥିବା ଏହି ୭ ନେତା ବିଜେପିର ବିଧାୟକ। ଆଗକୁ ବିହାରରେ ବିଧାନସଭା ନିର୍ବାଚନ ଥିବା ବେଳେ ନୀତୀଶଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ନୂଆ ୭ ମନ୍ତ୍ରୀଙ୍କ ଶପଥ ପରେ ଏବେ ନୀତିଶ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ଆଜିର କ୍ୟାବିନେଟ୍ ସମ୍ପ୍ରସାରଣରେ ସବୁଠାରୁ ବଡ଼ କଥା ହେଲା ନୀତୀଶ କୁମାର ତାଙ୍କ ଦଳ ଜେଡିୟୁରୁ ନୁହେଁ ବରଂ ବିଜେପିର ୭ ନେତାଙ୍କୁ କ୍ୟାବିନେଟ୍ ପାହ୍ୟା ଦେଇଛନ୍ତି। ପୂର୍ବରୁ ମଧ୍ୟ ନୀତୀଶ ସରକାରରେ ଅଧିକ ବିଜେପି ମନ୍ତ୍ରୀ ଥିଲେ। ଏବେ ଏହି ସଂଖ୍ୟା ଆହୁରି ବଢ଼ି ଯାଇଛି। ନୀତୀଶ ସରକାରରେ ପୂର୍ବରୁ ୧୫ ବିଜେପି ମନ୍ତ୍ରୀ ଥିଲେ। ଯେଉଁଥିରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ବି ହୋଇଥିଲେ। ଯେଉଁଥିରେ ଜଣେ ମନ୍ତ୍ରୀ ଦିଲ୍ଲୀପ ଜୟସ୍ୱାଲ ଇସ୍ତଫା ଦେଇଥିଲେ।
ସେହିପରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମିଶାଇ ଜେଡିୟୁର ପୂର୍ବରୁ ୧୩ ମନ୍ତ୍ରୀ ଥିଲେ। ଜେଡିୟୁ ମନ୍ତ୍ରୀ ସଂଖ୍ୟା ସେତିକିରେ ସୀମିତ ରହିଥିବା ବେଳେ ବିଜେପି ମନ୍ତ୍ରୀ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ସହିତ ସାଧାରଣ ପ୍ରଶାସନ, ଗୃହ, କ୍ୟାବିନେଟ ସଚିବାଳୟ ଆଦି ବିଭାଗ ବଣ୍ଟନ କରି ନାହାନ୍ତି।
ପଢନ୍ତୁ- ପଞ୍ଜାବର ସମସ୍ତ ସ୍କୁଲ୍-କଲେଜରେ ପଞ୍ଜାବୀ ବାଧ୍ୟତାମୂଳକ: ନିର୍ଦ୍ଦେଶନାମା ଜାରି
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ନୀତୀଶ ସରକାରରେ ମନ୍ତ୍ରୀଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ବୁଧବାର ଶପଥ ନେଇଥିବା ୭ ବିଧାୟକଙ୍କ ମଧ୍ୟରେ ଜୀବେଶ ମିଶ୍ର, ସଞ୍ଜୟ ସାରୋଗୀ, ଡକ୍ଟର ସୁନୀଲ, ରାଜୁ ସିଂହ, ମୋତି ଲାଲ ପ୍ରସାଦ, ବିଜୟ କୁମାର ମଣ୍ଡଳ ଏବଂ କୃଷ୍ଣ କୁମାର ମଣ୍ଟୁ ସାମିଲ ଅଛନ୍ତି।