ପଞ୍ଜାବର ସମସ୍ତ ସ୍କୁଲ୍‌-କଲେଜରେ ପଞ୍ଜାବୀ ବାଧ୍ୟତାମୂଳକ: ନିର୍ଦ୍ଦେଶନାମା ଜାରି

Published By : Prameya-News7 Bureau | February 26, 2025 IST

indiatoday

ନୂଆଦିଲ୍ଲୀ: ପଞ୍ଜାବର ସମସ୍ତ ସ୍କୁଲ୍‌ରେ ଏଣିକି ପଞ୍ଜାବୀ ଭାଷା ବାଧ୍ୟତାମୂଳକ ହେବ। ସ୍କୁଲ ଯେକୌଣସି ବୋର୍ଡର ହୋଇଥାଉ ନା କାହିଁକି ପଞ୍ଜାବୀକୁ ମୁଖ୍ୟ ବିଷୟ ଓ ବାଧ୍ୟତାମୂଳକ କରାଯିବ। ଏନେଇ ନେଇ ପଞ୍ଜାବ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ପଞ୍ଜାବ ସ୍କୁଲ ଶିକ୍ଷା ବୋର୍ଡ (PSEB), କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE), କିମ୍ବା ଭାରତୀୟ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (CISCE) ସହିତ ଅନୁବନ୍ଧିତ ସମସ୍ତ ସ୍କୁଲ୍‌ ସେମାନଙ୍କର ପାଠ୍ୟକ୍ରମରେ ପଞ୍ଜାବୀକୁ ଅନ୍ତର୍ଭୁକ୍ତ କରିବାକୁ ବାଧ୍ୟ। ସିବିଏସ୍‌ଇ ବୋର୍ଡ ନିଜ ପାଠ୍ୟ ବିଷୟରୁ ପଞ୍ଜାବୀ ଭାଷା ହଟାଇ ଦେବା ପରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଫର୍ମାଟ୍ ପାଇଁ CBSEର ଡ୍ରାଫ୍ଟ ସ୍କିମ୍‌ରୁ ପଞ୍ଜାବୀକୁ ହଟାଇ ଦିଆଯିବା ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ଏକାଧିକ ନେତା ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ ବୁଧବାର ବୋର୍ଡ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। CBSE କହିଛି ଯେ ଆସନ୍ତା ବର୍ଷ ଯୋଜନାର ସଂଶୋଧିତ ଡ୍ରାଫ୍ଟରେ ପଞ୍ଜାବୀକୁ ସାମିଲ କରାଯିବ। ଏହି ଯୋଜନାର ଲକ୍ଷ୍ୟ ହେଉଛି ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପ୍ରଚଳନ କରିବା। ଏଥିରେ ଗୋଟିଏ ଆଞ୍ଚଳିକ ଏବଂ ବିଦେଶୀ ଭାଷା ମୂଳରେ ରହିବ ବୋଲି ବୋର୍ଡ କହିଛି।

ପୂର୍ବରୁ, ପଞ୍ଜାବ ଶିକ୍ଷା ମନ୍ତ୍ରୀ ହରଜୋତ ସିଂହ ବେନ୍ସ ନୂଆ ଶିକ୍ଷା ନୀତି ଅନୁଯାୟୀ ନୂଆ ବୋର୍ଡ ପରୀକ୍ଷା ଫର୍ମାଟ୍ ପାଇଁ ସିବିଏସଇର ଡ୍ରାଫ୍ଟ ସ୍କିମ୍‌ରୁ ପଞ୍ଜାବୀକୁ ବାଦ ଦେବା ନେଇ କଡ଼ା ସମାଲୋଚନା କରିଥିଲେ। ବେନ୍ସ ଅଭିଯୋଗ କରିଥିଲେ ଯେ ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷାରେ ଦ୍ୱିତୀୟ ଭାଷା ବିକଳ୍ପ ଭାବରେ ପଞ୍ଜାବୀକୁ ହଟାଇବାକୁ ଯୋଜନା କରୁଛି। ସେହିପରି ଅକାଳୀ ଦଳ ନେତା ପରମ୍ବାନ୍ସ ରୋମାନା ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ପଞ୍ଜାବୀ ଭାଷାକୁ ଲିଭାଇ ଦେବାର ଷଡ଼ଯନ୍ତ୍ର ହେଉଛି ବୋଲି ଅଭିଯୋଗ କରିଥିଲେ।

ସିବିଏସ୍ଇ ବିଜ୍ଞପ୍ତିରେ ରାୟ, ଉରୁଙ୍ଗ, ତମାଙ୍ଗ, ଶେର୍ପା, ସଂସ୍କୃତ, ଉର୍ଦ୍ଦୁ, ମରାଠୀ, ଗୁଜୁରାଟୀ, ମଣିପୁରୀ, ତିବ୍ଦତୀୟ, ବୋଡୋ, ଟାଙ୍ଗଖୁଲ, ଭୁଟିଆ, କାଶ୍ମୀରୀ, ମିଜୋ, ଏବଂ ଥାଇ ଭଳି ଭାଷା ଅନ୍ତର୍ଭୁକ୍ତ ଥିଲା, କିନ୍ତୁ ପଞ୍ଜାବୀକୁ ଆଞ୍ଚଳିକ ଭାଷା ତାଲିକାରୁ ବାଦ ଦେଇଥିଲା।

ସୂଚନା ଥାଉଖି ମଙ୍ଗଳବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ  ଘୋଷଣା କରିଛି। ଏହା ଅନୁସାରେ ୨୦୨୫-୨୬ ଶିକ୍ଷାବର୍ଷରୁ ଦୁଇଟି ବୋର୍ଡ ପରୀକ୍ଷା ଆରମ୍ଭ ହେବ। ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁସାରେ ଏହି ପରିବର୍ତ୍ତନ କରାଯାଇଛି। ଯାହାର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପରୀକ୍ଷା ମାର୍କରେ ଉନ୍ନତି କରିବାର ସୁଯୋଗ ଦେବା ଶିକ୍ଷାଗତ ଚାପକୁ ହ୍ରାସ କରିବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.