ପରାଜୟ ପରେ ଆସିଲା ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ

Published By : Prameya-News7 Bureau | June 05, 2024 IST

ଭୁବନେଶ୍ଵର: ବିଧାନସଭା ନିର୍ବାଚନ ୨୦୨୪ରେ ପରାଜୟ ସହ ଓଡ଼ିଶାରେ  ଦୀର୍ଘ ୨୪ ବର୍ଷର ବିଜୁ ଜନତା ଦଳ  ସରକାରର ପତନ ଘଟିଛି।  ଏଥିସହ ଲୋକସଭାରେ ମଧ୍ୟ ଦଳ ମୂଳପୋଛ ହୋଇ ଯାଇଛି। ପାର୍ଟିର ଶୋଚନୀୟ ପରାଜୟ ପରେ ବୁଧବାର ପ୍ରଥମ ଥର ବିଜେଡି ପ୍ରମୁଖ ନବୀନ ପଟ୍ଟନାୟକଙ୍କ  ପ୍ରତିକ୍ରିୟା ସାମ୍ନାକୁ ଆସିଛି। ନବୀନ କହିଛନ୍ତି ଆମ ପ୍ରୟାସରେ ଏବେ ରାଜ୍ୟରେ କେବଳ ୧୦ ପ୍ରତିଶତ ଲୋକ ଦ୍ରାରିଦ୍ୟ ସୀମା ରେଖା ତଳେ ଅଛନ୍ତି। 

୨୦୨୪ ନିର୍ବାଚନରେ ହାରିବା ପରେ ବୁଧବାର ନବୀନ ନିବାସରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ବୈଠକ ବସିଥିଲା।  ଏଥିରେ ଅଧିକାଂଶ ବିଜୟୀ ବିଧାୟକ ଉପସ୍ଥିତ ଥିଲେ।  ଏହି ସମୟରେ ନବୀନ କହିଛନ୍ତି, ଯେବେ ମୁଁ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଲି ସେହି ସମୟରେ ଓଡ଼ିଶାର ୭୦ ପ୍ରତିଶତ ଲୋକ ଦ୍ରାରିଦ୍ର୍ୟ ସୀମା ରେଖା ତଳେ ଥିଲେ। କିନ୍ତୁ ଆମର ପ୍ରୟାସରେ ବର୍ତ୍ତମାନ ରାଜ୍ୟର କେବଳ ୧୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ଅଛନ୍ତି। କୃଷି ଓ ଜଳସେଚନ କ୍ଷେତ୍ରରେ ଆମର ଉଦ୍ୟମ ଓ ମହିଳା ସଶକ୍ତିକରଣ କାରଣରୁ ଏହି ଉପଲବ୍ଧି ହାସଲ କରିଛନ୍ତି। ଆମ ଦଳ ଓଡିଶାର ବିକାଶ ପାଇଁ କାମ କରିଛି ଏବଂ ଆମେ ଆଗାମୀ ସମୟରେ ରାଜ୍ୟ ପାଇଁ ୨୪ ଘଣ୍ଟା କାମ କରିବୁ। 




ସୂଚନାଯୋଗ୍ୟ, ଓଡିଶାରେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ୩ ମାସ ଶାସନର ପୂର୍ଣ୍ଣଛେଦ ପଡିଛି । ଏଥର ନିର୍ବାଚନରେ ଆଉ କାମ କଲାନି ନବୀନ ଯାଦୁ । ଦଳକୁ ମାତ୍ର ୫୧ଟି ଆସନ ମିଳିଛି । ଏପରିକି ନବୀନ ପଟ୍ଟନାୟକ ଖୋଦ୍ କଣ୍ଟାବାଞ୍ଜି ଆସନରୁ ୧୬ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି। ହିଞ୍ଜିଳିରୁ ଜିତି ସେ ନିଜର ସମ୍ମାନ ରକ୍ଷା କରି ପାରିଛନ୍ତି । 

ବିଜେଡି ୨୦୦୦ ମସିହାରୁ ୨୦୨୪ ଏ ପର୍ଯ୍ୟନ୍ତ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିଲା । ଦଳ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ କରି ସରକାରରେ ଥିଲା । ତେବେ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଆହୁରି ଦୃଢ ହୋଇ ୨୦୦୯, ୨୦୧୪ ଏବଂ ୨୦୧୯ରେ ୧୦୦ରୁ ଅଧିକ ସିଟ୍ ଜିତି ଲଗାତାର ୫ମ ଥର ସରକାର ଗଢିଥିଲା । କିନ୍ତୁ ଏଥର ଦଳକୁ ସରକାର ବିରୋଧୀ ହାୱାର ସମ୍ମୁଖୀନ ହେବାକୁ ପଡିଛି । ବିଶେଷ କରି ନବୀନ ପଟ୍ଟନାୟକଙ୍କ ନିଷ୍କ୍ରିୟତା ଏବଂ ଭିକେ ପାଣ୍ଡିଆନଙ୍କୁ ଆଗରେ ରଖିବା ଏବଂ ଦଳର ଅନ୍ୟ ସମସ୍ତ ନେତାଙ୍କୁ ଅଣଦେଖା କରିବା ବିଜେଡିକୁ ମହଙ୍ଗା ପଡିଛି ।

 

 

  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.