କଟକ ୨୭।୧୨: ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲାର ୫୪ ହଜାର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଛି । କୃଷି ବିଭାଗ ଏପରି ଏକ ପ୍ରାଥମିକ ଆକଳନ କରିଛି । କିନ୍ତୁ ଚୂଡ଼ାନ୍ତ ରିପୋର୍ଟ ଆସିଲା ବେଳକୁ ହୁଏତ କିଛି ଅଲଗା ତଥ୍ୟ ସାମ୍ନାକୁ ଆସିପାରେ । କୃଷି ବିଭାଗର ପ୍ରାଥମିକ ରିପୋର୍ଟ କହୁଛି, କେବଳ କଟକ ଜିଲ୍ଲାରେ ୫୪ ହଜାର ହେକ୍ଟର ଚାଷ ଜମିରୁ ଫସଲ ଉଜୁଡ଼ି ଯାଇଛି । ତେବେ ଚୂଡ଼ାନ୍ତ ରିପୋର୍ଟ ଆସିବାକୁ ବାକି ଅଛି । ଏତିକି ବେଳେ ଚାଷୀଙ୍କ ସ୍ୱାର୍ଥ ପାଇଁ ଅଣ୍ଟା ଭିଡିଛି ବିରୋଧୀ ଦଳ ବିଜେଡି । କଟକ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟିଛି । ଦଳ ଦାବି କରିଛି ଯେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅବିଳମ୍ବେ କ୍ଷତିପୂରଣ ଦିଆଯାଉ । ଏଥିରେ କୌଣସି ପ୍ରକାର ଅବହେଳା ହେଲେ ଦଳ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।
ସରକାରୀ ରିପୋର୍ଟ କହୁଛି, ଚଳିତ ବର୍ଷ ଖରିଫ ଋତୁ ପାଇଁ ୧ ଲକ୍ଷ ୨୩ ହଜାର ୩ ଶହ ହେକ୍ଟର ଜମିରେ କଟକ ଜିଲ୍ଲାର ଚାଷୀ ମାନେ ଧାନ ଚାଷ କରିଥିଲେ । ଡିସେମ୍ବର ସୁଦ୍ଧା ୬୨ ହଜାର ହେକ୍ଟର ଜମିରୁ ଧାନ କଟା ଆସିଥିଲା, ଅବଶିଷ୍ଟ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବର୍ଷା ଦାଉ ସାଜିଛି । ବିଲରୁ ପାଣି ନଛାଡ଼ିବା ଯାଏଁ ଧାନ କଟା ହେବାଟା ଏକ ପ୍ରକାର ଅସମ୍ଭବ । ଏତିକି ବେଳେ କ୍ଷୟକ୍ଷତି ଜନିତ ରିପୋର୍ଟ ପ୍ରସ୍ତୁତି ପାଇଁ ମଧ୍ୟ ଚେଷ୍ଟା ଚାଲିଛି । କ୍ଷତିଗ୍ରସ୍ତ ଚାଷୀ ମାନେ ୩ ଦିନ ଭିତରେ ନାମ ପଞ୍ଜିକରଣ କରିବାକୁ କୁହାଯାଇଛି । ଆବଶ୍ୟକ ପଡ଼ିଲେ ବୀମା କମ୍ପାନୀ ମାନେ ଚାଷୀ ମାନଙ୍କୁ ଅଧିକ ମହଲତ ଦେବେ ବୋଲି ଜିଲ୍ଲାପାଳ କହୁଛନ୍ତି । କିନ୍ତୁ ପ୍ରଶ୍ନ ହେଲା, ଚାଷୀ ପ୍ରଥମେ ତାର ଫସଲକୁ ବଞ୍ଚାଇବ ନା ନାମ ପଞ୍ଜିକରଣ ଲାଗି ଗୋଡ଼ କାଢ଼ିବ ।
You Can Read:
୨୪ ବର୍ଷ ଧରି ଯାହା ଚାଲିଥିଲା ଆଉ ଚାଲିବନି, ୪୦ ଲକ୍ଷ ଜାଲ୍ ରାସନକାର୍ଡଧାରୀ ବାହାରିଲେଣି : ଯୋଗାଣ ମନ୍ତ୍ରୀ