କଟକ ୨୧/୧୨: ନିରୋଗର ମନ୍ତ୍ର ହେଉଛି ଯୋଗ ଓ ଧ୍ୟାନ । ଧ୍ୟାନ ଦ୍ବାରା ଜଣେ ଫିଟ୍ ରହିବା ସହ ମାନସିକ ଶାନ୍ତି ପାଇଥାଏ । ଦୈନନ୍ଦିନ ଜୀବନରେ ଯଦି ମାତ୍ର କିଛି ସମୟ ଆମେ ନିଜ ପାଇଁ ଦେଇପାରିବା ତେବେ ଏକ ସୁସ୍ଥ ଏବଂ ନିରାମୟ ଜୀବନ ବଞ୍ଚିବାଟା ନିଶ୍ଚିତ। ଏହା ଆମେ ନୁହେଁ, ବରଂ ଚିକିତ୍ସା ବିଜ୍ଞାନୀ ମାନେ କହୁଛନ୍ତି। ସେଥିପାଇଁତ ବିଶ୍ବ ସ୍ତରରେ ଡିସେମ୍ବର୨୧ କୁ ଅନ୍ତର୍ଜାତୀୟ ଧ୍ୟାନ ଦିବସ ରୂପେ ପାଳନ କରାଯାଉଛି।
ୟେ ହେଉଛନ୍ତି ୮୬ ବର୍ଷ ବୟସରେ ପାଦ ଥାପିସାରିଥିବା ବରିଷ୍ଠ ଭେଷଜ ବିଶେଷଜ୍ଞ, ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ। ଏତେ ବୟସରେ ବି ସେ କେତେ ଆକ୍ଟିଭ ଅଛନ୍ତି । ଏବେବି ଦୈନିକ ରୋଗୀ ସେବାରେ ତାଙ୍କର ପ୍ରାୟ ୮ ଘଣ୍ଟା ସମୟ ବିତୁଛି। ନିଜର ମାନସିକ ଏବଂ ଶାରୀରିକ ସୁସ୍ଥତା ବାବଦରେ ଡାକ୍ତର ତ୍ରିପାଠୀ କୁହନ୍ତିଯେ, ସେ ଜଣେ ଯୋଗୀ। ଯୋଗ ପ୍ରାଣାୟାମ ସହିତ ଦୈନିକ ଧ୍ୟାନ କରିବା ହେଲା ତାଙ୍କର ଅଭ୍ୟାସ। ଜଣେ ଅନୁଭବୀ ଚିକିତ୍ସକ ଭାବେ ସେ ପରାମର୍ଶ ଦିଅନ୍ତି ଯେ, ସୁସ୍ଥ ଶରୀର ପାଇଁ ଦୈନନ୍ଦିନ ଜୀବନ ସହିତ ଧ୍ୟାନକୁ ଯୋଡ଼ିଦେଲେ ମଣିଷ ୧୦୦ ବର୍ଷ ଯାଏଁ ବିନା ଔଷଧରେ ମଧ୍ୟ ବଞ୍ଚିପାରିବ।ଯୋଗ, ପ୍ରାଣାୟାମ ଏବଂ ଧ୍ୟାନ ।
ବିଶ୍ବକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ଅବଦାନ। ଯାହାକୁ ଏବେ ବିଶ୍ବ ସମୁଦାୟ ଗ୍ରହଣ କରିସାରିଲେଣି। ଜୁନ ୨୧ ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସର ମାନ୍ୟତା ପାଇସାରିଛି ।ଡିସେମ୍ବର ୨୧ କୁ ଅନ୍ତର୍ଜାତୀୟ ଧ୍ୟାନ ଦିବସ ଭାବରେ ପାଳନ କରାଯାଉଛି । ଏହା ପଛର ବୈଜ୍ଞାନିକ କାରଣ ହେଉଛି ଡିସେମ୍ବର ୨୧ ହେଉଛି ସବୁଠାରୁ କ୍ଷୁଦ୍ରତମ ଦିନ। ଏବେ ପରଠାରୁ ସୂର୍ଯ୍ୟ ଉତ୍ତରାୟଣ ହେବେ, ଅର୍ଥାତ ଧିରେ ଧିରେ ଦିନର ଅବଧି ବଢିବ। ସେହି ଅନୁସାରେ ଶରୀର ଏବଂ ମନକୁ ସୁସ୍ଥ ରଖିବାକୁ ହେଲେ ମନୁଷ୍ୟ ଦୈନିକ ଧ୍ୟାନ କରିବା ଦରକାର ବୋଲି ଡାକ୍ତର ମାନେ ପରାମର୍ଶ ଦିଅନ୍ତି। ତେଣେ ଶିକ୍ଷାବିତ ମାନଙ୍କ ମତରେ ଜଣେ ଭଲ ଏବଂ ସଫଳ ବିଦ୍ୟାର୍ଥୀ ହେବାକୁ, ଦୈନିକ ଯୋଗ ପ୍ରାଣାୟାମ ସହିତ ଧ୍ୟାନ କରିବାଟା ନିହାତି ଆବଶ୍ୟକ।ପରିବର୍ତ୍ତିତ ବିଶ୍ବରେ ମଣିଷ ଧିରେ ଧିରେ ବସ୍ତୁବାଦୀ ହୋଇ ପଡୁଛି । ଯାହା ଅନେକ ସମସ୍ୟା ଓ ରୋଗକୁ ଟାଣି ଆଣୁଛି । ନିଜକୁ ସୁସ୍ଥ ଓ ନିରୋଗ ରଖିବା ସହ ଦୀର୍ଘ ଜୀବନ ବଞ୍ଚିବା ଲାଗି ଯୋଗ ମହୋଷଧୀ କହିଲେ କିଛି ଭୁଲ ହେବନି । କେବଳ ଏହାକୁ ସ୍ବୀକାର କଲେ ହେବନି ଦୈନନ୍ଦିନ ଜୀବନରେ ପ୍ରୟୋଗ ବି ଜରୁରୀ ।