ବିଜେଡି ଯୁବ ନେତାଙ୍କ ଉପରେ ବର୍ଷିଲେ ଦେବାଶିଷ, କହିଲେ 'କାହା ଇସାରାରେ ଚାଲୁଛନ୍ତି ସେମାନଙ୍କୁ ଜଣା'

Published By : Prameya-News7 Bureau | April 09, 2025 IST

ଭୁବନେଶ୍ୱର ୦୯/୦୪: ବିଜେଡିରେ ଚାଲିଛି କି ଘମାସାନ? ବିଜେଡି ନେତାଙ୍କ ମଧ୍ୟରେ ଚାଲିଛି ଘନ ଘନ ବୈଠକ । କେତେବେଳେ ହୋଟେଲ ତ ଆଉ କେତେବେଳେ ନେତାଙ୍କ ଘରେ । ରୁଦ୍ଧଦ୍ୱାର ବୈଠକରେ କେଉଁ ପ୍ରସଙ୍ଗରେ ହେଉଛି ଆଲୋଚନା ତାହା ଜଣାପଡିନି । କିନ୍ତୁ ୱାକଫ୍ ବିଲକୁ ନେଇ ସସ୍ମିତଙ୍କ ସମର୍ଥନ ପରେ ଦଳରେ କମ୍ପନ ସୃଷ୍ଟି ହୋଇଛି। ଯୁବ ନେତା ଓ ବରିଷ୍ଠ ନେତାମାନେ ଅଲଗା ଅଲଗା ଭାବେ ବୈଠକ କରିବା ନେଇ ଚର୍ଚ୍ଚା ହେଉଥିବାବେଳେ ମୁହଁ ଖୋଲିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । 

ସୋସିଆଲ ମିଡିଆରେ ଝାଡିଛନ୍ତି ନିଜର ଅସନ୍ତୋଷ । ଖୋଲାଖୋଲି କହିଛନ୍ତି ଯେ, ବିଜେଡିରେ ଯୋଗ ଦେଇଥିବା ନୂଆ ନେତାଙ୍କୁ ଜଣା ନାହିଁ ଦଳର ଇତିହାସ । ସେମାନେ ନବୀନ ବାବୁ ଏବଂ ବିଜୁ ବାବୁଙ୍କ ଆଦର୍ଶ ମଧ୍ୟ ଜାଣି ନାହାନ୍ତି । ସେମାନେ କାହା ଇଶାରାରେ ପରିଚାଳିତ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦେବାଶିଷ । 

ସ୍ବାଭିମାନ ନଥିବା ସ୍ବାର୍ଥବାଦୀ ମାନେ ଦଳର ନୁହଁ କି ଓଡ଼ିଶାର ନୁହଁ ବୋଲି କହିଛନ୍ତି ଦେବାଶିଷ । ସେପଟେ ଦଳ ପରାଜୟ ପଛର କାରଣ ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି ଓଡ଼ିଆ ଅସ୍ମିତା ପାଇଁ ଦଳ ହାରିଲା । ହେଲେ ଅସ୍ମିତା ରକ୍ଷା କରିବା ଆମ ମୂଳ ଲକ୍ଷ୍ୟ  କହିଛନ୍ତି ଦେବାଶିଷ । ଆମ ନେତା ନବୀନ ବାବୁ । ଜୟ ଜଗନ୍ନାଥ । 

ସୂଚନା ଥାଉକି, ଭୁବନେଶ୍ବର ପଟିଆ ସ୍ଥିତ କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ଥିଲା ବିଜେଡି ନେତାଙ୍କ ମେଳି । ବୈଠକରେ ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକ ଚାଲିଥିବା ବେଳେ ହୋଟେଲ ଭିତରକୁ ବାହାର ଲୋକଙ୍କୁ ବାରଣ କରାଯାଇଥିଲା । ତେବେ ବୈଠକ ପରେ ବଡ଼ ବୟାନ ରଖିଛନ୍ତି ବରିଷ୍ଠ ନେତା । ନବୀନଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଛଡ଼ାଯିବନି ବୋଲି କହିଛନ୍ତି ଶଶିଭୂଷଣ ବେହେରା। 

ସେହିଭଳି ପ୍ରତାପ ଦେବଙ୍କ ଘରେ ଏକାଠି ହୋଇଛନ୍ତି ଅନ୍ୟ ଗୋଷ୍ଠୀର ନେତା । ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଦେବୀ ମିଶ୍ର ଏବଂ ପ୍ରଣବ ପ୍ରକାଶ ଦାସ । ଯାହାକୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେଡିର ଯୁବ ନେତା ସନ୍ଧ୍ୟାରେ ନବୀନଙ୍କୁ ଭେଟିବାର ସୂଚନା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.