ସଂରକ୍ଷଣକୁ ନେଇ କଂଗ୍ରେସକୁ ବିଜେପିର ଟାର୍ଗେଟ, ଉପସ୍ଥାପନ କଲା ୧୯୮୪ର ବିଜ୍ଞାପନ

Published By : Prameya-News7 Bureau | November 11, 2024 IST

ନୂଆଦିଲ୍ଲୀ ୧୧।୧୧: ବିଜେପି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଏକ ହୈ ତୋ ସେଫ ହୈ’ ସ୍ଲୋଗାନକୁ ନେଇ ବିରୋଧୀଙ୍କ ସମାଲୋଚନାର ଜବାବ ଦେଇଛି। ଏଥିରେ ବିଜେପି ୧୯୮୪ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସର ବିଜ୍ଞାପନକୁ ଉପସ୍ଥାପନ କରିଛି। ବିଜେପି ଆଇଟି ମୁଖ୍ୟ ଅମିତ ମାଲବ୍ୟ ଏକ୍ସ ରେ ବିଜ୍ଞାପନର ଏକ ଫଟୋ ସେୟାର କରି କଂଗ୍ରେସ ଉପରେ ଏସସି, ଏସଟି ଏବଂ ଓବିସି ସଂରକ୍ଷଣ ସମାପ୍ତି ନିମନ୍ତେ ପ୍ରସ୍ତୁତିର ଅଭିଯୋଗ ଆଣିଛନ୍ତି। 


୧୯୮୪ ମସିହାରେ କଂଗ୍ରେସ (ଆଇ) ଜାତି ପରିଚୟ ବିରୋଧରେ ଭୋଟ ମାଗିଥିଲା। ସେ ସେତେବେଳେ ସଂରକ୍ଷଣ ସମାପ୍ତ କରିବାକୁ ଚାହୁଁଥିଲା ଓ ବିଚିତ୍ର ତର୍କ ଦେଉଥିଲା। କିନ୍ତୁ ଏବେ ସେହି କଂଗ୍ରେସ କିପରି କ୍ଷମତାକୁ ଫେରିବ ସେଥି ପାଇଁ ଜାତି ଆଧାରରେ ଭାରତକୁ ଭାଗଭାଗ କରିବାକୁ ଚାହୁଁଛି ବୋଲି ମାଲବ୍ୟ ତାଙ୍କ ଟ୍ୱିଟ୍‌ ରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ୧୯୮୪ରେ କଂଗ୍ରେସ ଏସସି, ଏସଟି ଏବଂ ଓବିସି  ସଂରକ୍ଷଣ ସମାପ୍ତ କରିବାକୁ ପ୍ରସ୍ତୁତିରେ ଥିଲା। ସେ କହିଛନ୍ତି ଯେ ଏହି ବିଜ୍ଞପାନକୁ ଏବେ ଏହାର ଏକ ଉଦାହରଣ ବୋଲି କୁହାଯାଇପାରେ। 



କେବଳ ଏତିକି ନୁହେଁ ନିକଟରେ ରାହୁଲ ଗାନ୍ଧି ତାଙ୍କ ଆମେରିକା ଗସ୍ତ କାଳରେ ମଧ୍ୟ ସଂରକ୍ଷଣ ସମାପ୍ତିର କଥା କହିଥିଲେ। ଏଣୁ କଂଗ୍ରେସ ଭରସାରେ ପଛୁଆ ଜାତିଙ୍କୁ ସଂରକ୍ଷଣର କୌଣସି ଲାଭ ମିଳିବ ନାହିଁ, ଯଦି ମିଳିବ ତାହା କେବଳ ଅଳ୍ପ ସଂଖ୍ୟକ ବର୍ଗଙ୍କୁ ମିଳିବ ବୋଲି ମାଲବ୍ୟ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ କଂଗ୍ରେସ ଉପରେ ପଛୁଆ ଜାତିଙ୍କ ସଂରକ୍ଷଣକୁ ବିରୋଧ କରୁଥିବାର ଅଭିଯୋଗ ଆଣିଥିଲେ। ସେହିପରି ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ‘ମେରା ବୁଥ ସବସେ ମଜଭୁତ’ ଅନଲାଇନ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ କଂଗ୍ରେସ ବିଜ୍ଞାପନର ମଧ୍ୟ ଉଦାହରଣ ଦେଇଥିଲେ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.