ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଆଉ କିଛି ସମୟରେ ଅପେକ୍ଷା, ଘୋଷଣା ହେବ ନାଁ…

Published By : Prameya-News7 Bureau | June 11, 2024 IST

ଭୁବନେଶ୍ୱର ୧୧।୦୬ :  ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ସାଧାରଣରେ ବଢ଼ୁଛି ଉତ୍କଣ୍ଠା । ହେଲେ ଏଥି ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। କାରଣ ଶପଥ ଗ୍ରହଣ ଉତ୍ସବ ପାଇଁ ଦିନ ଓ ସମୟ ଧାର୍ଯ୍ୟ ହୋଇସାରିଥିଲେ ହେଁ, ଏଯାଏଁ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ । ଏହାରି ଭିତରେ ବିଜେପି ସଂସଦୀୟ ବୋର୍ଡ଼ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବଙ୍କୁ  ଓଡ଼ିଶା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ମଙ୍ଗଳବାର ଏହି ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶା ଆସିବେ । ଆଉ ବିଜେପି ବିଧାୟକ ଦଳ ବୈଠକରେ ଯୋଗ ଦେବେ । ସେଠାରେ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । 

ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନଥିଲେ ମଧ୍ୟ ଅନେକ ନେତାଙ୍କ ନାଁକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା ଆଲୋଚନା। ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ହେଲେ ସେ କେନ୍ଦ୍ର କ୍ୟାବିନେଟ୍‌ରେ ସାମିଲ ହେବା ପରେ ଏବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନାଁକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ନିର୍ବାଚନ ପୂର୍ବରୁ ମେଣ୍ଟକୁ ବିରୋଧ କରିବା ସହ ରାଜ୍ୟରେ ବିଜେପି ସରକାର ଆଣିବାରେ ମନମୋହନଙ୍କ ଭୂମିକା ଏଭଳି ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । 

ସେହିଭଳି ବ୍ରଜରାଜନଗରରୁ ନବନିର୍ବାଚିତ ବିଧାୟକ ସୁରେଶ ପୂଜାରୀଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ରହିଛି । ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ସାଂସଦ ସୁରେଶ ପୂଜାରୀ ରାଜ୍ୟ ବିଜେପିର ଜଣେ ବରିଷ୍ଠ ତଥା ଅଭିଜ୍ଞ ରାଜନେତା । ସେହିପରି ପାଟଣାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ହେଉଛି । ସରକାରକୁ ପ୍ରଗତିଶୀଳ ଓ ଲୋକଙ୍କ ସରକାରରେ ପରିଣତ କରିବାକୁ ଏକ ଦକ୍ଷ ମନ୍ତ୍ରୀ ମଣ୍ଡଳ କରିବାକୁ ଯୋଜନା କରିଛି ଦଳ । ରାଜ୍ୟ ବିଜେପି ମନ୍ତ୍ରୀ ମଣ୍ଡଳରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି ବୋଲି କୁହାଯାଉଛି । ମହିଳା କୋଟାରେ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଓ ଆଦିବାସୀ ଚେହେରା ତଥା କେନ୍ଦୁଝର ବିଧାୟକ ମୋହନ ମାଝି  ଏହି ରେସ୍‌ରେ ଥିବା ଚର୍ଚ୍ଚା ହେଉଛି । ସେହିଭଳି ଯୁବ ଚେହେରା ଭାବେ ଚିଲିକା ବିଧାୟକ ପୃଥ୍ବୀରାଜ ହରିଚନ୍ଦନ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ନାଁକୁ ନେଇ ମଧ୍ୟ ଆଲୋଚନା ହେଉଛି । ମନ୍ତ୍ରୀମଣ୍ଡଳରେ ସାମିଲ ପାଇଁ ୩୦ରୁ ଅଧିକ ବିଧାୟକ ଲବିରେ ଥିବା କୁହାଯାଉଛି । ଏବେ ଅପେକ୍ଷା କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.