ଭୁବନେଶ୍ୱର ୧୮।୦୯ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶହେ ଦିନର ଉପଲବ୍ଧିର ରିପୋର୍ଟ ଦେଲା ବିଜେପି। ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ପାଳନ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକର ଗୋଟି ଗୋଟି ହିସାବ ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ।
ଦେଶରେ ବିଜେପି ଏନଡିଏ ନେତୃତ୍ବ ସରକାରର ତୃତୀୟ ପାଳିର ଶହେ ଦିନ ପୂରଣ ହୋଇଛି। ଗୁରୁବାର ଓଡ଼ିଶାରେ ସରକାରଙ୍କ ଶହେ ଦିନ ପୂରିବ। ସରକାର ଗଠନର ଶହେ ଦିନ ଭିତରେ ସବୁ ପ୍ରତିଶ୍ରୁତି ପୂରଣ କରିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିଛି, ରତ୍ନଭଣ୍ଡାର ଖୋଲିଛି, ଶ୍ରୀମନ୍ଦିର ବିକାଶ ପାଇଁ ୨ଶହ କୋଟି ଟଙ୍କାର କର୍ପସ ଫଣ୍ଡ ହୋଇଛି । ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ବଢିଛି । ଚାଷୀଙ୍କୁ ୩୧ଶହ ଟଙ୍କା ଧାନର ଏମଏସପି ମିଳିବାର ପ୍ରତିଶ୍ରୁତି ପାଳନ ହୋଇଛି । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବ । ୨୫ ଲକ୍ଷ ମହିଳାଙ୍କୁ ୧୨ଶହ ୫୦ କୋଟି ଟଙ୍କା ସୁଭଦ୍ରା ଯୋଜନାରେ ଦେଇଛନ୍ତି ।
ଓଡ଼ିଶାରେ ଜାତୀୟ ରାଜପଥ ବିକାଶ ପାଇଁ ବ୍ୟାପକ ଅନୁଦାନ ମିଳିଛି । ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଟଙ୍କା କେନ୍ଦ୍ର ସରକାର ଦେବେ । ରେଳ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ନିରନ୍ତର ସହାୟତା ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ଶିଳ୍ପ ହେବାର ଭଲ ପରିବେଶ ତିଆରି ହେବା ଆରମ୍ଭ ହୋଇଛି । ଚିଟଫଣ୍ଡ କ୍ଷତଗ୍ରସ୍ତଙ୍କ ପାଇଁ କମିଟି ଗଠନ ହୋଇଛି । ତୁରନ୍ତ ନିଷ୍ପତ୍ତି ନିଆଯିବ । ଓଡ଼ିଶାବାସୀଙ୍କ ବିଶ୍ବାସକୁ ନେଇ କାମ କରିବେ ସରକାର ।
ଗୁରୁବାର ପୁରୀରେ ସରକାର ଶହେ ଦିନ ପୂରଣର ସେଲିବ୍ରେସନ କରିବ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ I ମୁଖ୍ୟମନ୍ତ୍ରୀଙ୍କ ସହ ଅଧିକାଂଶ ମନ୍ତ୍ରୀ ମଣ୍ଡଳ ସଦସ୍ୟ ଦଳର ତୁଙ୍ଗ ନେତା ମାନେ କାର୍ଯ୍ଯକ୍ରମରେ ଯୋଗ ଦେବେ । ଆସନ୍ତା ୨୦, ୨୧, ୨୨ ତାରିଖରେ ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀ ସ୍ତରରେ ଆୟୋଜିତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ I ବିଭିନ୍ନ ସ୍ଥାନରେ ମନ୍ତ୍ରୀ ମାନେ ଉପସ୍ଥିତ ରହିବେ ।