ବଲିଉଡ୍‌ର ସୁପରଷ୍ଟାର; ଭୁଲ୍‌ରେ ମିଳିଥିଲା ପ୍ରଥମ ରୋଲ୍‌, ୬୦ ବର୍ଷ ଯାଏଁ କଲେ ବଲିଉଡରେ ରାଜ୍‌...

Published By : Prameya-News7 Bureau | October 13, 2024 IST

ନୂଆଦିଲ୍ଲୀ ୧୩।୧୦: ବଲିଉଡ୍‌ରେ କିଛି ଷ୍ଟାର ହୋଇଥାନ୍ତି ଆଉ କିଛି ସୁପରଷ୍ଟାର । କିନ୍ତୁ ଏପରି ଜଣେ ଦିଗ୍ଗଜ, ଯିଏକି ସିନେ ଜଗତର ଥିଲେ ଅଲରାଉଣ୍ଡର । ସେ ଥିଲେ ବଲିଉଡର ପ୍ରଥମ ସୁପରଷ୍ଟାର । ସିନେମାକୁ ଭଲ ପାଉଥିଲେ,  କିନ୍ତୁ କ୍ୟାମେରା ଠାରୁ ଦୂରରେ ରହିବାକୁ କରୁଥିଲେ ପସନ୍ଦ । ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେବାକୁ ଚାହୁଁଥିଲେ, କିନ୍ତୁ ହୋଇଥିଲେ ଲ୍ୟାବ ଟେକ୍ନିସିଆନ । ବିନା ଅଭିଜ୍ଞତାରେ କରିଥିଲେ ନିଜ ପ୍ରଥମ ଫିଲ୍ମ । କିନ୍ତୁ ଏହି ଫିଲ୍ମ୍‌ ହୋଇଥିଲା ଜବରଦସ୍ତ ହିଟ୍‌ । 

ଏହାପରେ କ୍ରମାଗତ ଦେଇଚାଲିଥିଲେ ହିଟ୍‌ ପରେ ହିଟ୍‌ ଫିଲ୍ମ । ଆଉ ହୋଇଥିଲେ ସୁପରଷ୍ଟାର । ଏପରି ଭାବେ ନିଜ ଜୀବନର ୬୦ ବର୍ଷ ବଲିଉଡ୍‌କୁ କରିଥିଲେ ଉତ୍ସର୍ଗ । ଭାରତୀୟ ସିନେମା ପ୍ରସିଦ୍ଧ ଅଭିନେତା । ଦାଦାମୁନି ଓରଫ ଅଶୋକ କୁମାର । ଦୁନିଆ ଛାଡିବାର ବିତିଗଲାଣି ୨୨ ବର୍ଷ । ଯେବେବି କୌଣସି ପୁରୁଣା ଫିଲ୍ମ ଦେଖିବେ ତେବେ ସବୁଥିରେ ନଜର ଆସିବେ ଅଶୋକ କୁମାର । ୬ ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ସେ ପ୍ରାୟ ୩୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । 

ଭାରତୀୟ ସିନେ ଜଗତର ବାଦଶାହା ଦାଦାମୁନି । ୧୯୧୧ ମସିହା ୧୩ ଅକ୍ଟୋବରରେ ହୋଇଥିଲେ ଜନ୍ମ । ୩ ଭାଇଙ୍କ ମଧ୍ୟରେ ଅଶୋକ ଥିଲେ ବଡ । ଜନ୍ମ ସମୟରେ ତାଙ୍କର ନାଁ ଥିଲା କୁମୁଦଲାଲ କୁଞ୍ଜିଲାଲ ଗାଙ୍ଗୁଲି। କିନ୍ତୁ ଅଭିନୟ ଜଗତରେ ଏଣ୍ଟ୍ରି କରିବା ପରେ ସେ ସମସ୍ତଙ୍କ ପାଇଁ ହୋଇଯାଇଥିଲେ ଦାଦାମୁନି । ମଲ୍ଟିଟ୍ୟାଲେଣ୍ଟେଡ୍‌ ଥିଲେ ଅଶୋକ । ସେ କେବଳ ଯେ ଜଣେ ଅଭିନେତା ଥିଲେ ତା ନୁହେଁ ସେ ଜଣେ ସିଙ୍ଗର, ଚିତ୍ରକାର, ଚେସ ଚାମ୍ପିୟନ ଏବଂ ଜ୍ୟୋତିଷଶାସ୍ତ୍ରରେ ଥିଲେ ପାରଙ୍ଗମ । ତାଙ୍କୁ ଜଣାଥିଲା ଅନେକ ଭାଷା । ସେ ଜର୍ମାନ, ଫରାସୀ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଉର୍ଦ୍ଦୁ, ବଙ୍ଗାଳୀ, ଗୁଜୁରାଟୀ ଭାଷା ଶିଖିଥିଲେ ।  ହିନ୍ଦୀ ଫିଲ୍ମର ପ୍ରଥମ ସୁପରଷ୍ଟାର ଏବଂ ଆଣ୍ଟି ହିରୋ ଭୂମିକାରେ ଅଭିନୟ କରିଥିବା ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ।  

ଫିଲ୍ମ ଇଣ୍ଡଷ୍ଟ୍ରିରେ ହଠାତ୍ ହୋଇଥିଲା ଏଣ୍ଟ୍ରି । ୧୯୩୬ରେ ତାଙ୍କର ଆରମ୍ଭ ହୋଇଥିଲା ଅଭିନୟର ଯାତ୍ରା । ସେ 'ଜୀବନ ନୈୟା'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଅଶୋକଙ୍କୁ ଆକସ୍ମିକ୍‌ ଭାବେ ମିଳିଥିଲା ଏଣ୍ଟ୍ରି । ଦେବିକା ରାନୀ ଏହି ଫିଲ୍ମର ଥିଲେ ଅଭିନେତ୍ରୀ । ଯିଏ କି ସେହି ସମୟରେ ଡ୍ରାଗନ ଲେଡି ଭାବରେ ଜଣାଶୁଣା ଥିଲେ । ଏହି ଫିଲ୍ମ ହୋଇଥିଲା ସୁପରହିଟ୍‌ । ଏହି ସକ୍ସେସ୍‌ ଆଉ ଅଟକିନଥିଲା । ୬ ଦଶକ ଯାଏଁ ବଲିଉଡ୍‌ରେ ରାଜ୍‌ କରିଥିଲେ   ଅଶୋକ । ସେ 'ପୋଲିସ୍ ବାଲେ ଅର ଚୋର', 'କିସମତ୍', 'ମହଲ', 'ପରିଣୀତା', 'କାନୁନ', 'ଗୁମରାହ', 'ଚଲତି କା ନାମ ଗାଡି', 'ଆର୍ଶୀବାଦ' ଭଳି ଫିଲ୍ମରେ ଅଭିନୟ କରିଥିଲେ। 

୧୯୮୮ରେ ଅଶୋକ କୁମାରଙ୍କୁ ମିଳିଥିଲା ଦାଦାସାହେବ ଫାଲକେ ପୁରସ୍କାର । ଏହାର ବର୍ଷକ ପୂର୍ବରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅଶୋକ କୁମାର ଜଣେ ଫ୍ୟାମିଲି ମ୍ୟାନ ଥିଲେ । ସେ ତାଙ୍କ ପରିବାରକୁ ବହୁତ ଭଲ ପାଉଥିଲେ । ସବୁଠାରୁ ବଡ କଥା ହେଉଛି ଅଶୋକ ୧୯୮୭ ମସିହାରୁ ତାଙ୍କ ଜନ୍ମଦିନ ପାଳନ କରିବା ବନ୍ଦ କରି ଦେଇଥିଲେ । ବାସ୍ତବରେ ସେଦିନ ତାଙ୍କ ସାନଭାଇ କିଶୋର କୁମାରଙ୍କର ମୃତ୍ୟୁ ହୋଇଥିଲା । ଆଉ ଏକ ଦୁଃଖର କଥା ହେଉଛି ଅଶୋକଙ୍କ ପିତାଙ୍କର ମୃତ୍ୟୁ ମଧ୍ୟ ସେହି ୧୩ ଅକ୍ଟୋବରରେ ହୋଇଥିଲା । ଏହାପରେ ୧୦ ଡିସେମ୍ବର ୨୦୦୧ରେ ଦାଦାମୁନି ଦୁନିଆକୁ କହିଥିଲେ ଅଲ୍‌ବିଦା । ଆଉ ଏକ ଯୁଗର ହୋଇଥିଲା ଅନ୍ତ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.