ନୂଆଦିଲ୍ଲୀ: ବର୍ଡର-ଗାଭାସ୍କାର ଟ୍ରଫିର ତୃତୀୟ ମ୍ୟାଚ୍ ଅର୍ଥାତ୍ ଗାବା ଟେଷ୍ଟ ଡ୍ର’ ହୋଇଛି । ପଞ୍ଚମ ଦିନରେ ଖରାପ ଲାଇଟ୍ ଏବଂ ବର୍ଷା ଯୋଗୁ ମ୍ୟାଚକୁ ଅମ୍ପାୟାର ଡ୍ର’ ଘୋଷଣା କରିଛନ୍ତି । ଶେଷ ଦିନରେ ଟିମ୍ ଇଣ୍ଡିଆ ସାମ୍ନାରେ ୫୪ ଓଭରରେ ୨୭୫ ରନର ଟାର୍ଗେଟ୍ କରିଥିଲେ । ଭାରତୀୟ ଦଳ ଦ୍ବିତୀୟ ଇନିଂସରେ କୌଣସି ଓ୍ବିକେଟ୍ ନହରାଇ ମାତ୍ର ୮ ରନ୍ କରିଥିଲା । ମାତ୍ର ଖେଳରେ ବାଧକ ସାଜିଥିଲା ଖରାପ ଲାଇଟ୍ । ପରେ ବର୍ଷା ଜାରି ରହିବାକୁ ବ୍ରିସବେନ୍ ଟେଷ୍ଟ ଡ୍ର’ ଘୋଷଣା କରାଯାଇଛି । ପ୍ରଥମ ଇନିଂସରେ ଶତକୀୟ ପାଳି ଖେଳିଥିବା ଟ୍ରାଭିସ୍ ହେଡ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।
ବାରମ୍ବାର ବର୍ଷା ପାଇଁ ଡ୍ର’ ହେଲା ଗାବା ଟେଷ୍ଟ । ବ୍ରିସବେନ ଟେଷ୍ଟରେ ଟସ୍ ଜିତି ଘରୋଇ ଅଷ୍ଟ୍ରେଲିଆ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ କଙ୍ଗାରୁ ଦଳ ୪୪୫ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ଟ୍ରାବିସ୍ ହେଡ୍ ପୁଣି ଥରେ ଭାରତୀୟ ଦଳକୁ ଟେନସନ ଦେଇଥିଲେ । ଆଡିଲେଟ ପରେ ଗାବାରେ ବ୍ୟାକ ଟୁ ବ୍ୟାକ୍ ଶତକ ମାରିଥିଲେ । ହେଡ୍ 152 ରନର ଆକର୍ଷଣୀୟ ପାଳି ଖେଳିଥିଲେ । ତାଙ୍କୁ ସାଥ୍ ଦେଇଥିଲେ ଷ୍ଟିଭ୍ ସ୍ମିଥ୍ । ସେ ମଧ୍ୟରେ ଶତକୀୟ ଇନିଂସ ଖେଳିଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ ଯଶପ୍ରୀତ ବୁମରାଙ୍କୁ ସର୍ବାଧିକ ୬ଟି ଓ୍ବିକେଟ୍ ମିଳିଥିଲା । ପରେ ରୋହିତ୍ ସେନା ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା । ମାତ୍ର ଅଷ୍ଟ୍ରେଲିଆର ଘାତକ ବୋଲିଂ ସାମ୍ନାରେ ଆଣ୍ଠେଇଥିଲେ ଭାରତୀୟ ବ୍ୟାଟର । କେଏଲ ରାହୁଲଙ୍କୁ ଛାଡ଼ି ପୂରା ଟପ୍ ଅର୍ଡର ଭୁଶୁଡ଼ି ପଡ଼ିଥିଲା । ରାହୁଲ ସାଥି ଦେଇଥିଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ରାହୁଲ ୮୪ ଏବଂ ଜାଡେଜା ୭୭ ରନ୍ର ଜବରଦସ୍ତ ଇନିଂସ ଖେଳିଥିଲେ । ଶେଷ ଓ୍ବିକେଟରେ ଯଶପ୍ରୀତ ବୁମରା ଏବଂ ଆକାଶଦୀପ ଟିମ୍ ଇଣ୍ଡିଆକୁ ଫଲୋ-ଅନରୁ ବଞ୍ଚାଇଥିଲେ । ଦଳ ସମସ୍ତ ଓ୍ବିକେଟ୍ ହରାଇ ମାତ୍ର ୨୬୦ ରନ କରିବାରେ ସକ୍ଷମ ହୋଇଥିଲା ।
ଦ୍ବିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଶିକାର ହୋଇଥିଲେ ଘରୋଇ ଟିମର ବ୍ୟାଟର ମାନେ । ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଏବଂ ଆକାଶଦୀପ କଙ୍ଗାରୁ ବ୍ୟାଟରଙ୍କୁ ଚକମା ଦେଇଥିଲେ । ଦଳ ମାତ୍ର ୮୯ ରନରେ ୭ ଓ୍ବିକେଟ୍ ହରାଇବା ପରେ ପାଳି ଘୋଷଣା କରିଥିଲା । ଫଳରେ ଟିମ୍ ଇଣ୍ଡିଆ ସାମ୍ନା ଦ୍ବିତୀୟ ଇନିଂସରେ ୨୭୫ ରନର ଟାର୍ଗେଟ୍ ରହିଥିଲା । ମ୍ୟାଚ୍ ବିଜୟ ଆଶାରେ ଗାବା ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଭାରତ ଦୁଇ ଓପନର । ଭାରତ ମାତ୍ର ୮ ରନ କରିଥିବା ବେଳେ ଖରପ ଆଲୋକ ଏବଂ ବର୍ଷା ସାଜିଥିଲା ବାଧକ । ଫଳରେ ଖେଳକୁ ଅଟକାଇ ଦିଆଯାଇଥିଲା । ପରେ ଦୁଇ ଦଳର ଅଧିନାୟକଙ୍କ ନିଷ୍ପତ୍ତିରେ ମ୍ୟାଚକୁ ଡ୍ର’ ଘୋଷଣା କରାଯାଇଥିଲା । ଟ୍ରାବିସ୍ ହେଡ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଅନ୍ୟପଟେ ଗାବା ଟେଷ୍ଟ ଡ୍ର’ ହେବା ପରେ ଦୁଇ ଦଳ ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିବା କଷ୍ଟ ହୋଇଛି । ଟିମ୍ ଇଣ୍ଡିଆ ଫାଇନାଲ ଖେଳିବା ସେତେଟା ସହଜ ନୁହେଁ ବୋଲି କୁହାଯାଉଛି ।...