‘ୱାନ୍ ନେସନ ୱାନ୍ ଇଲେକ୍ସନ’: ବିଧେୟକ ଉପସ୍ଥାପନ ବେଳେ ସଂସଦରେ ନଥିଲେ ବିଜେପିର ୨୦ ସାଂସଦ, ପାର୍ଟିର କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତି!

Published By : Prameya-News7 Bureau | December 18, 2024 IST

ନୂଆଦିଲ୍ଲୀ ୧୮।୧୨: ଲୋସଭାରେ ମଙ୍ଗଳବାର ‘ୱାନ୍ ନେସନ ୱାନ୍ ଇଲେକ୍ସନ’ ବିଧେୟକ ଉପସ୍ଥାପନ କରାଯାଇଥିଲା। ଏହି ବିଧେୟକ ପାଇଁ ସଂସଦରେ ସବୁ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ବିଜେପି ପକ୍ଷରୁ ହ୍ୱିପ୍ ଜାରି କରାଯାଇଥିଲା। ଏହା ସତ୍ତ୍ୱେ ଦଳର ୨୦ ଜଣ ସାଂସଦ ବିଧେୟକ ଉପସ୍ଥାପନ କାଳରେ ସଦନରେ ନଥିଲେ। ସଂସଦରେ ଅନୁପସ୍ଥିତ ସାଂସଦଙ୍କୁ ପାର୍ଟି ନୋଟିସ୍ ଜାରି କରିପାରେ। ଏହି ବିଧେୟକ ପାଇଁ ବିଜେପି ସୋମବାର ସାଂସଦଙ୍କୁ ୩ ଧାଡିଆ ହ୍ୱିପ୍ ଜାରି କରିଥିଲା। 

ଏହି ହ୍ୱିପ ପରେ ଯେଉଁ ସାଂସଦମାନେ ଅନୁପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ ନିତିନ ଗଡ଼କରୀ, ଶାନ୍ତନୁ ଠାକୁର, ଜଗଦମ୍ବିକା ପାଲ, ବି.ୱାଇ.ରାଘବେନ୍ଦ୍ର, ଗିରିରାଜ ସିଂହ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଜୟ ବଘେଲ, ଉଦୟରାଜ ଭୋଂସ୍ଲେ, ଭାଗିରଥ ଚୌଧୁରୀ, ଜଗନ୍ନାଥ ସରକାର ଓ ଜୟନ୍ତ କୁମାର ରାୟଙ୍କ ସମେତ ୨୦ ଜଣ ସାଂସଦ ଅନୁପସ୍ଥିତ ଥିଲେ। ବିଜେପି ଏବେ ଅନୁପସ୍ଥିତ ସାଂସଦଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇବ। 

ସଂସଦରେ ୱାନ୍ ନେସନ ୱାନ୍ ଇଲେକ୍ସନ ବିଧେୟକ ଉପସ୍ଥାପନ କାଳରେ ସପକ୍ଷରେ ୨୬୯ଟି ଭୋଟ ମିଳିଥିଲା। ଏହା ପରଠାରୁ ବିଧେୟକକୁ ନେଇ ସରକାରଙ୍କ ଉପରେ ଅଙ୍ଗୁଳି ଉଠୁଛି। କଂଗ୍ରେସ ସାଂସଦ ମଣିକମ ଟାଗୋର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ନିର୍ବାଚନରେ ସରକାରଙ୍କୁ ସ୍ୱଭାବିକ ସଂଖ୍ୟାଗରିଷ୍ଠତା ମିଳିପାରିନଥିଲା, ଏଥିରେ ଦୁଇତୃତୀୟାଂଶ ବହୁମତ କିପରି ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। 

ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନିଷ ତିୱାରୀ ଏହି ବିଧେୟକକୁ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି। ଏଣୁ ସରକାର ଏହାକୁ ତତ୍କାଳ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି। ତିୱାରୀ କହିଛନ୍ତି ଯେ ଏହି ବିଲ ସମ୍ବିଧାନର ମୂଳ ଢାଞ୍ଚାକୁ ଉଲ୍ଲଂଘନ କରୁଛି, ଖାସ କରି ସମ୍ବିଧାନର ସପ୍ତମ ଅନୁସୂଚୀର ଏହା ପରିପନ୍ଥି ବୋଲି ସେ କହିଛନ୍ତି। ତିୱାରୀଙ୍କ ବିରୋଧ ପରେ ବିରୋଧୀ ଦଳର ଅନ୍ୟ ସାଂସଦମାନେ ମଧ୍ୟ ବିଧେୟକକୁ ବିରୋଧ କରିଛନ୍ତି ଓ ଏହାକୁ ସମ୍ବିଧାନ ଭାବନାର ବିପରୀତ ବୋଲି କହିଛନ୍ତି। ଏହି ବିଧେୟକକୁ ଏବେ ଜେପିସିକୁ ପଠାଇ ଦିଆଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.