ବିକାଶ ଯୋଜନାକୁ ମେହବୁବା ମୁଫ୍ତିଙ୍କ ବିରୋଧ, କହିଲେ ଜମ୍ମୁ-କାଶ୍ମୀର ପାଇଁ ବିପଦଜନକ

Published By : Prameya-News7 Bureau | December 18, 2024 IST

ଶ୍ରୀନଗର ୧୮।୧୨: ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍ତି ବୁଧବାର ସାଟେଲାଇଟ୍ ଟାଉନସିପ୍ ଯୋଜନା, ବାରାମୂଲା-ରାଜୌରୀ ଜାତୀୟ ରାଜପଥ, ଶ୍ରୀନଗର ସର୍କୁଲାର ରୋଡ ଓ ପହଲଗାମ ପର୍ଯ୍ୟନ୍ତ ରେଳବାଇ ପ୍ରକଳ୍ପ ସମ୍ପ୍ରସାରଣ ସମେତ ପ୍ରସ୍ତାବିତ ବିଭିନ୍ନ ବିକାଶ ପ୍ରକଳ୍ପକୁ କଡା ସମାଲୋଚନା କରିଛନ୍ତି ଓ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ସତର୍କ କରିଛନ୍ତି ଯେ ଏପରି ବିକାଶମୂଳକ ଯୋଜନା ରାଜ୍ୟ ପାଇଁ ପ୍ରାକୃତିକ ବିପର୍ଯ୍ୟୟକୁ ଡାକି ଆଣିପାରେ। 

ମେହବୁବା ମୁଫ୍ତି ପ୍ରସ୍ତାବିତ ୩,୩୦୦ କୋଟି ଟଙ୍କାର ରାଜୌରୀ-ବାରାମୂଲା ରାଜମାର୍ଗ ପ୍ରକଳ୍ପକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି, କହିଛନ୍ତି ଏହା ପରିବେଶ ସହିତ ଆର୍ଥିକ ବିପତ୍ତି ମଧ୍ୟ ଆଣିପାରେ। ଏବେକା ମୋଗଲ ରୋଡ ସମାନ୍ତରରେ ଯାଉଥିବା ଏହି ପ୍ରକଳ୍ପକୁ ସୀମା ସଡ଼କ ସଙ୍ଗଠନ (ବିଆରଓ)କୁ ନ୍ୟସ୍ତ କରାଯାଇଛି। ତେବେ ମୁଫ୍ତି ଏପରି ଦୋହରୀକରଣର ଆବଶ୍ୟକତାକୁ ନେଇ ପ୍ରଶ୍ନ କରିଛନ୍ତି ଓ ପରିବେଶ ପ୍ରଭାବ ଦୂର କରିବାରେ ବିଫଳ ହୋଇଥିବାରୁ ସରକାରଙ୍କୁ ସମାଲୋଚନା କରିଛନ୍ତି। 

ମେହବୁବା ମୁଫ୍ତି ହିମାଳୟରେ ଭିତ୍ତିଭୂମିକ ବିକାଶର ପରିଣାମର ଉଦାହରଣ ଦେଇ କହିଛନ୍ତି ଯେ ଆମେ ଯୋଶୀ ମଠ (ଉତ୍ତରାଖଣ୍ଡା)ରେ ପରିବେଶ ସୁରକ୍ଷା ଉପାୟ ଅଣଦେଖା କରିବାର ଦୁଃଖଦ ପରିଣତି ଦେଖି ସାରିଛେ। ଏଠାରେ ଭିତ୍ତିଭୂମି ପ୍ରକଳ୍ପ ଲାଗି ହଜାର ହଜାର ଗଛ କାଟି ଦିଆଗଲା। ଫଳରେ ରାଜ୍ୟରେ ଲୋକଙ୍କ ଜୀବିକା ଉଛନ୍ନ ହୋଇଥିବା ବେଳେ ଅଞ୍ଚଳ ଜଳମଗ୍ନ ହେଉଛି। ଏଣୁ ଜମ୍ମୁ-କାଶ୍ମୀରରେ ସେଭଳି ଆମେ ଭୁଲର ପୁନରାବୃତ୍ତି ହେବାକୁ ଦେବୁନାହିଁ। 

ମେହବୁବା ମୁଫ୍ତି ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କୁ ଟାଉନସିପ୍ ଲାଗି ୧୫ ହଜାର ଏକର ଉର୍ବର କୃଷି ଭୂମିର ପୂପାନ୍ତରଣ ରୋକିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଏପରି ପଦକ୍ଷେପ ଯାହା କାଶ୍ମୀରର ପରିବେଶ ସନ୍ତୁଳନକୁ ବିଗାଡିପାରେ। ରାଜ୍ୟର କୃଷି ଅର୍ଥ ବ୍ୟବସ୍ଥାକୁ ବିପଦରେ ପକାଇପାରେ। ଏହି ପ୍ରକଳ୍ପର ପାରଦର୍ଶିତା ନାହିଁ ବୋଲି ସେ କହିଛନ୍ତି। ଏହି ଟାଉନସିପ୍ ଶ୍ରୀନଗରର ଜନଗହଳି ହ୍ରାସ କରିପାରିବ କି, ଏହା ସ୍ଥାନୀୟ ଜନତାଙ୍କୁ ଘର ଦେବା ପାଇଁ ନା ଏହା ବାହାର ଲୋକଙ୍କ ନିମନ୍ତେ ବିକଶିତ କରାଯାଉଛି ସେ ନେଇ ପ୍ରଶ୍ନ କରିଛନ୍ତି। 

ମେହବୁବା କହିଛନ୍ତି ଯେ  ଶ୍ରୀନଗର ରିଂରୋଡ କଡରେ ୩୦ଟି ସାଟେଲାଇଟ ଟାଉନସିପ୍ ନିର୍ମାଣ ନିମନ୍ତେ ସରକାରଙ୍କ ଯୋଜନା ରହିଛି। ଏହା ଏକ ଏପରି ପ୍ରକଳ୍ପ ଯେଉଁଥି ପାଇଁ ୧୫ ହଜାର ଏକର ଉର୍ବର କୃଷି ଭୂମିର ଆବଶ୍ୟକତା ପଡିବ। ଏଥିରେ କେବଳ କୃଷି ନୁହେଁ ବଗିଚା ତୋଟାମଧ୍ୟ ରହିଛି। ଏଥିରେ ଅନେକ ଆହ୍ୱାନ ରହିଛି ଯାହାକୁ ମୁଖ୍ୟମନ୍ତ୍ରୀ ପ୍ରଭାବିତ କରିପାରିବେନି, ହେଲେ ଏହା ଏପରି କଥା ଯାହା ଉପରେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଇ ପାରିବେ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.