ମୁମ୍ବାଇ: ମଝି ସମୁଦ୍ରରେ କିପରି ବୁଡିଲା ‘ନିଲକମଲ’? ଦୁର୍ଘଟଣା କାଳର ଘଟଣା ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ

Published By : Prameya-News7 Bureau | December 18, 2024 IST

ମୁମ୍ବାଇ ୧୮।୧୨:  ଗେଟୱେ ଅଫ ଇଣ୍ଡିଆରୁ ଏଲିଫେଣ୍ଟା ନିମନ୍ତେ ବାହାରି ଥିବା ‘ନିଲ କମଲ’ ନାମକ ଏକ  ଫେରିବୋଟ ମଝି ସମୁଦ୍ରରେ ବୁଡି ଯାଇଛି। ଏହି ଦୁର୍ଘଟଣାରେ ୧୦୧ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା କର୍ମଚାରୀ ଅଛନ୍ତି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ  ହୋଇଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀ ଦୁର୍ଘଟଣା ସମୟର ଘଟଣା ସମ୍ପର୍କରେ କହିଛନ୍ତି। ଏଥିରେ ଏକ ସ୍ପିଡ ବୋଟ୍  ଫେରିବୋଟକୁ ଧକ୍କା ଦେବାରୁ ଏପରି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି। 

ଏହି ଦୁର୍ଘଟଣା ବୁଧବାର ସନ୍ଧ୍ୟା ୩ଟା ୫୫ ମିନିଟରେ ହୋଇଛି। ଏଲିଫେଣ୍ଟା ଯାଉଥିବା ନିଲକମଲ ଉରଣ, କରଞ୍ଜା ନିକଟରେ ଓଲଟି ପଡିଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଫେରିବୋଟରେ ୧୧୦ରୁ ଅଧିକ ଯାତ୍ରୀ ଥିଲେ। ସୂଚନା ଅନୁସାରେ ଅଧିକାଂଶ ଯାତ୍ରୀ ଉଦ୍ଧାର ହୋଇଛନ୍ତି। ତେବେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଟ୍ୱିଟ୍‌ କରି ଦୁର୍ଘଟଣା ସୂଚନା ଦେଇଛନ୍ତି। 


ଦୁର୍ଘଟଣାର ତୁରନ୍ତ ପରେ ନୌସେନା, କୋଷ୍ଟଗାର୍ଡ ଓ  ମେରିନ ପୋଲିସ ଦୁର୍ଘଟଣାସ୍ଥଳକୁ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଣୁ ଅଧିକାଂଶ ଯାତ୍ରୀ ଉଦ୍ଧାର ହୋଇ ପାରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ସ୍ପିଡ ବୋଟକୁ ଜଣେ ଲୋକ ଦ୍ରୁତ ବେଗରେ ଖେଳାଇ ଖେଳାଇ ଆଣି ଫେରିବୋଟ ସହ ଧକ୍କା ଲଗାଇଥିଲା। ଏହି ସମୟର ଭିଡିଓ କେହି କ୍ୟାପଚର କରିଥିବା ବେଳେ ଏହା ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଛି ଯାହା ଭାଇରାଲ ହୋଇଯାଇଛି। 


ଗେଟୱେ ଅଫ ଇଣ୍ଡିଆ ବୁଲିବାକୁ ଆସୁଥିବା ଲୋକେ ପ୍ରାୟତଃ ସମୁଦ୍ରରେ ବୁଲିବାକୁ ଆଗ୍ରହୀ ହୋଇଥାନ୍ତି। ଫେରିବୋଟ ଗେଟୱେ ଅଫ ଇଣ୍ଡିଆରୁ ଯେଉଁ ଏଲିଫେଣ୍ଟା ଆଇଲ୍ୟାଣ୍ଡକୁ ଯାଉଥିଲା ଏହା ବୁଲାବୁଲି କରିବା ପାଇଁ ଏକ ପ୍ରଶିଦ୍ଧ ସ୍ଥାନ। ଏଣୁ ଫେରିବୋଟ ଗେଟୱେ ଅଫ ଇଣ୍ଡିଆରୁ ଯାତ୍ରୀକୁ ଏଲିଫେଣ୍ଟା ପହଞ୍ଚାଇଥାନ୍ତି। ଏହି ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟନିମନ୍ତେ ୪ ହେଲିକପ୍ଟରର ମଧ୍ୟ ସହାୟତା ନିଆଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ନିମନ୍ତେ ମହାରାଷ୍ଟ୍ର ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ପ୍ରତି ମୃତକଙ୍କ ପରିବାର ନିମନ୍ତେ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.