ବେଙ୍ଗାଲୁରୁ: ୱାକ୍ଫ ସମ୍ପତ୍ତି ଉପରେ ଯେଉଁ ମନ୍ଦିର ନିର୍ମାଣ ହୋଇଥିବା ତାକୁ ଉଚ୍ଛେଦ କରାଯିବ ନାହିଁ। ଯଦି ୱାକ୍ଫ ପକ୍ଷରୁ କୌଣସି ନୋଟିସ୍ ଆସିଲା ତେବେ ସେଗୁଡ଼ିକ ଫେରସ୍ତ ହୋଇଯିବ। ବୁଧବାର ବିଧାନସଭାରେ ଆସ୍ୱସ୍ତିବାଣୀ ଶୁଣାଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା।
ୱାକଫ୍ ବୋର୍ଡ ପକ୍ଷରୁ ଚାଷୀ, ମନ୍ଦିର ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୁ ପଠାଯାଉଥିବା ଉଚ୍ଛେଦ ନୋଟିସ୍ ପ୍ରସଙ୍ଗରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି "ଯଦି ୱାକଫ୍ ସମ୍ପତ୍ତିରେ ମନ୍ଦିର ନିର୍ମାଣ କରାଯାଇଛି, ତେବେ ଆମେ ସେଗୁଡ଼ିକୁ ହଟାଇବୁ ନାହିଁ। ମୁଁ ଏହା ସ୍ପଷ୍ଟ କରୁଛି। ଯଦି କୌଣସି ନୋଟିସ୍ ଜାରି କରାଯାଇଛି, ତେବେ ସେଗୁଡ଼ିକୁ (ନୋଟିସ୍) ପ୍ରତ୍ୟାହାର କରାଯିବ।"
ବିଧାନସଭାରେ ୱାକଫ ପ୍ରସଙ୍ଗକୁ ରାଜ୍ୟ ବିଜେପି ନେତାମାନେ ବିଧାନସଭାରେ ଉଠାଇଥିଲେ। ଏହାପରେ ୱାକଫ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ବିଜେ ଜମିର ଅହମ୍ମଦ ଖାନ ସ୍ପଷ୍ଟ କରି କହିଛନ୍ତି ଯେ ଯଦି ଚାଷୀ ଏବଂ ମନ୍ଦିରଗୁଡ଼ିକୁ ନୋଟିସ୍ ଦିଆଯାଏ ତେବେ ସେଗୁଡ଼ିକୁ ପ୍ରତ୍ୟାହାର କରାଯିବ। ମୁଖ୍ୟମନ୍ତ୍ରୀ ମଧ୍ୟ ଖାନଙ୍କ ବକ୍ତବ୍ୟକୁ ଦୋହରାଇ କହିଛନ୍ତି ଯେ କୌଣସି ଚାଷୀଙ୍କୁ ସେମାନେ ଚାଷ କରୁଥିବା ଜମିରୁ ବାହାର କରାଯିବ ନାହିଁ।
ବିଜେପି ବିଧାୟକ ଆରାଗା ଜ୍ଞାନେନ୍ଦ୍ର ଦାବି କରିଥିଲେ ଯେ ସରକାରୀ ରେକର୍ଡରେ ୱାକଫ ଭାବରେ ଉଲ୍ଲେଖିତ ସମ୍ପତ୍ତିଗୁଡ଼ିକୁ ମଧ୍ୟ ହଟାଇ ଦିଆଯିବା ଉଚିତ। କାରଣ କେବଳ ନୋଟିସ ପ୍ରତ୍ୟାହାର ଦ୍ୱାରା ଉଦ୍ଦେଶ୍ୟ ସଫଳ ହେବ ନାହିଁ ବୋଲି ସେ କହିଥିଲେ। କର୍ଣ୍ଣାଟକରେ ଏଭଳି ଅନେକ ଚାଷୀଙ୍କୁ ୱାକ୍ଫ ବୋର୍ଡ ନୋଟିସ୍ ଦେଇଛି। ତେଣୁ ଏଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି କର୍ଣ୍ଣାଟକ ବିରୋଧୀ ଦଳର ନେତା ଆର୍ ଅଶୋକ କହିଥିଲେ।
ଏହି ତର୍କରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ୱାକ୍ଫ ସମ୍ପତ୍ତିକୁ ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ରାଜ୍ୟରେ ୧.୧୦ ଲକ୍ଷ ଏକର ୱାକଫ ସମ୍ପତ୍ତି ଥିଲା, ଯାହା ଏବେ ଇନାମ ଆବୋଲିସନ୍ ଆଇନ ଏବଂ ଜବରଦଖଲ ଭଳି ବିଭିନ୍ନ ଆଇନ ବ୍ୟବସ୍ଥା ଯୋଗୁ ମାତ୍ର ୨୦,୦୦୦ ଏକରକୁ ହ୍ରାସ ପାଇଛି।