ନୂଆଦିଲ୍ଲୀ: ଲୋକସଭା ଓ ବିଧାନସବା ନିର୍ବାଚନ ଏକ ସଙ୍ଗେ କରାଇବା ନେଇ ‘ଏକ ଦେଶ ଏକ ନିର୍ବାଚନ’ ବିଧେୟକ ଉପରେ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟି(ଜେପିସି) ଗଠନ ହୋଇଛି। ୩୧ ସଦସ୍ୟ ବିଶିଷ୍ଟ ଜେପିସିରେ ଅନୁରାଗ ଠାକୁର ଓ ପ୍ରିୟଙ୍କା ଗାନ୍ଧୀଙ୍କ ପରି ସାଂସଦଙ୍କୁ ସାମିଲ କରାଯାଇଛି। ଏଥିରେ ୨୧ ଲୋକସଭା ଓ ୧୦ ରାଜ୍ୟସଭା ସାଂସଦ ରହିଛନ୍ତି। ଏହି କମିଟିର ଅଧ୍ୟକ୍ଷତା କରିବେ ବିଜେପି ସାଂସଦ ପିପି ଚୌଧୁରୀ। ଜେପିସିରେ ଓଡ଼ିଶାର ଦୁଇ ସାଂସଦ ଭର୍ତ୍ତୃହରି ମହତାବ ଓ ଡ. ସମ୍ବିତ ପାତ୍ର ରହିଛନ୍ତି। ଏହା ପୂର୍ବରୁ ଏକ ଦେଶ ଏକ ନିର୍ବାଚନ ବିଧେୟକକୁ ଲୋକସଭାରେ ସ୍ଵୀକାର କରାଯିବା ପରେ ଏହାକୁ ଜେପିସିକୁ ପଠାଇ ଦିଆଯାଇଛି।
ଜେପିସିର ରିପୋର୍ଟ ମିଳିବା ପରେ ସଂସଦରେ ଏହି ବିଧେୟକ ଗୃହୀତ କରାଇବାରେ ନରେନ୍ଦ୍ର ମୋଦୀ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। କାରଣ 'ଏକ ଦେଶ ଏକ ନିର୍ବାଚନ' ସଂପର୍କିତ ବିଧେୟକ ହେଉଛି ସମ୍ବିଧାନ ସଂଶୋଧନ ବିଧେୟକ। ତେଣୁ ଏହାକୁ ଲୋକସଭା ଓ ରାଜ୍ୟସଭାରେ ପାରିତ କରାଇବାରେ ବହୁମତର ଆବଶ୍ୟକତା ପଡ଼ିବ। ଏହାର ଅର୍ଥ ପ୍ରତ୍ୟେକ ଗୃହରେ ବିଧେୟକ ଗୃହୀତ ପାଇଁ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରକୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଜରୁରୀ। ବଜେଟ୍ର ଅଧିବେଶନର ଶେଷ ସପ୍ତାହର ଶେଷ ଦିନରେ ଜେପିସି ନିଜର ରିପୋର୍ଟ ଗୃହରେ ଉପସ୍ଥାପନ କରିବ।
ଅଧିକ ପଢନ୍ତୁ- ‘ୱାନ୍ ନେସନ ୱାନ୍ ଇଲେକ୍ସନ’: ବିଧେୟକ ଉପସ୍ଥାପନ ବେଳେ ସଂସଦରେ ନଥିଲେ ବିଜେପିର ୨୦ ସାଂସଦ, ପାର୍ଟିର କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତି!
ସୂଚନାଯୋଗ୍ୟ, ଗତକାଲି ଲୋକସଭାରେ ଭୋଟିଂ ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବିଧେୟକ ଆଗତ ହୋଇଛି। ଗୃହରେ ବିଧେୟକ ଉପସ୍ଥାପନ କରିବା ପ୍ରସ୍ତାବ ସପକ୍ଷରେ ୨୬୯ ସାଂସଦଙ୍କ ଭୋଟ୍ ପଡ଼ିଥିବା ବେଳେ ଏହାରି ବିରୋଧରେ ୧୯୮ ଭୋଟ୍ ପଡ଼ିିଥିଲା। ଏହା ପରେ ବିଧେୟକକୁ ଯୁଗ୍ମ ସଂସଦୀୟ କମିଟି(ଜେପିସି)କୁ ପଠାଇ ଦିଆଯାଇଥିଲା। ଆଉ ବୁଧବାର ୩୧ ଜଣିଆ ଜେପିସି ଗଠନ କରାଯାଇଛି।
ଜେପିସିରେ ଥିବା ସଦସ୍ୟ
୧ – ପିପି ଚୌଧୁରୀ(ବିଜେପି)
୨ – ଡ. ସିଏମ ରମେଶ(ବିଜେପି)
୩ – ବାଂଶୁରୀ ସ୍ଵରାଜ(ବିଜେପି)
୪- ପରଷୋତ୍ତମଭାଇ ରୂପାଲା(ବିଜେପି)
୫ – ଅନୁରାଗ ସିଂ ଠାକୁର(ବିଜେପି)
୬ - ବିଷ୍ଣୁ ଦୟାଲ ରାମ(ବିଜେପି)
୭ – ଭର୍ତ୍ତୃହରି ମହତାବ(ବିଜେପି)
୮ – ଡ. ସମ୍ବିତ ପାତ୍ର(ବିଜେପି)
୯ – ଅନିଲ ବଲୁନି(ବିଜେପି)
୧୦ – ବିଷ୍ଣୁ ଦତ୍ତ ଶର୍ମା(ବିଜେପି)
୧୧ – ପ୍ରିୟଙ୍କା ଗାନ୍ଧୀ ଭଦ୍ରା(କଂଗ୍ରେସ)
୧୨ – ମନୀଷ ତିଓ୍ଵାରୀ(କଂଗ୍ରେସ)
୧୩ – ସୁଖଦେବ ଭଗତ(କଂଗ୍ରେସ)
୧୪ – ଧର୍ମେନ୍ଦ୍ର ଯାଦବ(ସମାଜବାଦୀ ପାର୍ଟି)
୧୫ – କଲ୍ୟାଣ ବାନାର୍ଜୀ(ଟିଏମସି)
୧୬ – ଟିଏମ ସେଲଭାଗଣପତି(ଡିଏମକେ)
୧୭ – ଜିଏମ ହରିଶ ବାଲଯୋଗୀ(ଟିଡିପି)
୧୮ – ସୁପ୍ରିୟା ସୁଲେ(ଏନସିପି-ଶରଦ ଗୋଷ୍ଠୀ)
୧୯ – ଡ. ଶ୍ରୀକାନ୍ତ ଏକନାଥ ସିନ୍ଦେ(ଶିବସେନା-ସିନ୍ଦେ ଗୋଷ୍ଠୀ)
୨୦ – ଚନ୍ଦନ ଚୌହାନ(ଆରଏଲଡି)
୨୧- ବାଲାଶୋଭରୀ ବଲ୍ଲଭନେନୀ(ଜନସେନା ପାର୍ଟି)