ଅମୂଲମୂଲ ସୁନା ମୂଲ୍ୟ: ଖର୍ଚ୍ଚ କାଟ ପାଇଁ ନିମ୍ନ ମାନର ସୁନା କିଣୁଛନ୍ତି ଭାରତୀୟ
Published By : Prameya-News7 Bureau | December 18, 2024 IST
internet
ନୂଆଦିଲ୍ଲୀ: ଭାରତରେ ସୁନା ଦର ଅମୂଲମୂଲ ହେବା ପରେ ସାଧାରଣ ପରିବାର ପକ୍ଷରେ ଉଚ୍ଚମାନର ସୁନା କିଣିବା ସମ୍ଭବ ହୋଇପାରୁ ନାହିଁ। ତେଣୁ ଖର୍ଚ୍ଚକୁ ସୁହାଇଲା ଭଳି ଭାରତୀୟ ମଧ୍ୟବିତ୍ତ ଓ ଗରିବ ପରିବାର ନିମ୍ନ ମାନର ସୁନା କିଣୁଛନ୍ତି ବୋଲି ବ୍ୟବସାୟୀମାନେ କହୁଛନ୍ତି।
ଚଳିତ ବର୍ଷ ସୁନା ଦର ୨୨ ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷ ୨୦୨୩ରେ ଏହା ୧୫ ପ୍ରତିଶତ ବଢ଼ିଥିଲା। ପୂର୍ବରୁ ଅଧିକାଂଶ ଭାରତୀୟ ପାରମ୍ପରିକ ଗହଣା କିଣିବାକୁ ପସନ୍ଦ କରୁଥିଲେ। ହେଲେ ବର୍ତ୍ତମାନ ଦାମ ଆକାଶ ଛୁଆଁ ହେବା ପରେ ଖର୍ଚ୍ଚକୁ ଦେଖି ସେମାନେ ହାଲୁକା ଡିଜାଇନ୍ରେ ଗହଣା ନେବାକୁ ପସନ୍ଦ କରୁଛନ୍ତି ବୋଲି ମୁମ୍ବାଇର ସୁନା ବ୍ୟବସାୟୀ କହିଛନ୍ତି।
ଗ୍ରାହକଙ୍କୁ ପସନ୍ଦକୁ ଦେଖି ଗହଣା ଦୋକାନୀମାନେ ହାଲୁକା ଓ ନିମ୍ନମାନର ସୁନାରେ ଗହଣା ତିଆରି କରି ଷ୍ଟକ୍ ରଖୁଛନ୍ତି। ଇକୋନୋମିକ୍ସ ଟାଇମ୍ସକୁ ପ୍ରତିକ୍ରିୟା ଦେଇ ଜଣେ ସୁନା ବ୍ୟବସାୟୀ ଏପରି କହିଛନ୍ତି।
ମେନୁଫେକ୍ଚରିଂ ଟେକ୍ନୋଲୋଜୀ ଅଗ୍ରଗତି ଯୋଗୁ ଅଳଙ୍କାର ନିର୍ମାତାମାନଙ୍କୁ ହାଲୁକା ଓଜନରେ ପାରମ୍ପରିକ ଗହଣା ଡିଜାଇନ୍ ତିଆରି କରୁଛନ୍ତି ବୋଲି ବିଶ୍ୱ ସୁନା ପରିଷଦର ଭାରତୀୟ ଶାଖାର ସିଇଓ ସଚିନ ଜୈନ କହିଛନ୍ତି। ଖର୍ଚ୍ଚ କାଟ କରିବା ପାଇଁ ଗ୍ରାହକମାନେ ୨୪ ଓ ୨୨ କ୍ୟାରେଟ୍ ବଦଳରେ ନିମ୍ନ ୧୮ କ୍ୟାରେଟ୍ର ସୁନା କିଣୁଛନ୍ତି ବୋଲି ସେ କହିଛନ୍ତି।
ଭାରତୀୟମାନେ ସାଧାରଣତଃ ୨୨-କ୍ୟାରେଟ୍ ସୁନାରେ ତିଆରି ଅଳଙ୍କାରକୁ ପସନ୍ଦ କରନ୍ତି। ଯେଉଁଥିରେ ୯୧.୭% ଶୁଦ୍ଧ ସୁନା ଥାଏ, ହେଲେ ୧୮-କ୍ୟାରେଟ୍ରେ ୭୫% ଶୁଦ୍ଧ ସୁନା ଏବଂ ୨୫% ଅନ୍ୟାନ୍ୟ ଧାତୁ ଥାଏ। ଏଥିପାଇଁ ୧୮-କ୍ୟାରେଟ୍ ସୁନାର ମୂଲ୍ୟ ୨୨-କ୍ୟାରେଟ୍ ସୁନା ତୁଳନାରେ ପ୍ରାୟ ପଞ୍ଚମାଂଶ କମ୍।
କମ୍ ମୂଲ୍ୟ ଏବଂ ଅଧିକ ସ୍ଥାୟୀତ୍ୱ ଥିବାରୁ ୧୮-କ୍ୟାରେଟ୍ ଅଳଙ୍କାର ଅଧିକ ଲୋକପ୍ରିୟ ହେଉଛି। ମୋଟ ବିକ୍ରୟରେ ଏହାର ଅଂଶ ୧୫% ରୁ ଅଧିକ ହୋଇଛି। ହେଲେ ଦୁଇ ବର୍ଷ ପୂର୍ବେ ୧୮ କ୍ୟାରେଟ୍ ସୁନା ବିକ୍ରି ମାତ୍ର ୫% ରୁ ୭% ଥିଲା ବୋଲି ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନର ସଚିବ ସୁରେନ୍ଦ୍ର ମେହେଟା କହିଛନ୍ତି।