ନୂଆଦିଲ୍ଲୀ ୧୮।୧୨: ୱାନ୍ ନେସନ ୱାନ୍ ଇଲେକ୍ସନ ବିଧେୟକ ଲାଗି ବୁଧବାର ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟି (ଜେପିସି) ଗଠିତ ହୋଇଛି। ୩୧ ସଦସୀୟ ଏହି ଜେପିସିରେ ବିଜେପିର ଅନୁରାଗ ଠାକୁର ଓ କଂଗ୍ରେସର ପ୍ରିୟଙ୍କା ଗାନ୍ଧିଙ୍କ ନାମ ମଧ୍ୟ ରହିଛି। ବିଜେପି ସାଂସଦ ପି.ପି. ଚୌଧୁରୀ ଏହି କମିଟିର ଅଧ୍ୟକ୍ଷତା କରିବେ। ୱାନ୍ ନେସନ ୱାନ୍ ଇଲେକ୍ସନ ବିଧେୟକକୁ ଲୋକସଭାରେ ସ୍ୱୀକାର କରାଯାଇଛି। ଏବେ ଏହାକୁ ତର୍ଜମା ପାଇଁ ଜପିସି ନିକଟକୁ ପଠାଯାଇଛି।
ଜେପିସିର ସୁପାରିଶ ପରେ ଏହାକୁ ସଂସଦରେ ଗୃହୀତ କରାଇବା ନରେନ୍ଦ୍ର ମୋଦି ସରକାରଙ୍କ ପରବର୍ତ୍ତି ଦାୟିତ୍ୱ। ୱାନ୍ ନେସନ ୱାନ୍ ଇଲେକ୍ସନ ସମ୍ପର୍କିତ ବିଲ୍ ଏକ ସମ୍ବିଧାନ ସଂଶୋଧନ ବିଧେୟକ। ଏଣୁ ଲୋକସଭା ଓ ରାଜ୍ୟସଭାରେ ଏହାକୁ ଗୃହୀତ କରାଇବା ଲାଗି ବିଶେଷ ବହୁମତର ଆବଶ୍ୟକତା ପଡିବ। ଅନୁଚ୍ଛେଦ ୩୬୮(୨) ଅନୁସାରେ ସମ୍ବିଧାନ ସଂଶୋଧନ ନିମନ୍ତେ ବିଶେଷ ବହୁମତ ଆବଶ୍ୟକ। ଏହାର ଅର୍ଥ ପ୍ରତ୍ୟେକ ସଦନରେ ଅର୍ଥାତ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥିତ ଓ ମତଦାନ କରୁଥିବା ସଦସ୍ୟଙ୍କ ଦୁଇ ତୃତୀୟାଂଶ ବହୁମତ ଦ୍ୱାରା ଏହି ବିଧେୟକକୁ ମଞ୍ଜୁର କରିବାକୁ ପଡିବ।
ସରକାର ଏବେ ଏହି ବିଧେୟକକୁ ଜେପିସିକୁ ପଠାଇଛନ୍ତି। ଜେପିସି ଏବେ ଏହା ଉପରେ ବ୍ୟାପକ ବିଚାରବିମର୍ଶ କରିବେ। ବିଭିନ୍ନ ପକ୍ଷ ଓ ବିଶେଷଜ୍ଞଙ୍କ ସହ ଚର୍ଚ୍ଚା ପରେ ଜେପିସି ନିଜ ସୁପାରିଶ ସରକାରଙ୍କୁ ଦେବେ। ତେବେ ଜେପିସିର ଦାୟତ୍ୱ ହେଉଛି ସେ ଏହା ଉପରେ ବ୍ୟାପକ ପରାମର୍ଶ କରି ଏ ନେଇ ଦେଶର ଲୋକଙ୍କ ମତ କଣ ତାହା ବୁଝିବାକୁ ଚେଷ୍ଟା କରିବେ। ଏହି ଜେପିସିରେ ବିଜେପିର ପି.ପି. ଚୌଧୁରୀ ଅଧ୍ୟକ୍ଷ ଥିବା ବେଳେ ଡ.ସି.ଏମ.ରମେଶ, ବାଂଶୁରୀ ସ୍ୱରାଜ, ପୁରୁଷୋତ୍ତମ ଭାଇ ରୂପାଲା, ଅନୁରାଗ ସିଂହ ଠାକୁର, ବିଷ୍ଣୁ ଦୟାଲ ରାମ, ଭର୍ତ୍ତୃହରି ମହତାବ, ଡା. ସମ୍ବିତ ପାତ୍ର, ଅନିଲ ବଲୁନୀ, ବିଷ୍ଣୁଦତ୍ତ ଶର୍ମା ଆଦି ସଦସ୍ୟ ଅଛନ୍ତି।
ଏମାନଙ୍କ ବ୍ୟତୀତ କଂଗ୍ରେସର ପ୍ରିୟଙ୍କା ଗାନ୍ଧି ଭଦ୍ରା, ମନିଷ ତିୱାରୀ, ସୁଖଦେବ ଭଗତ, ସମାଜବାଦୀ ପାର୍ଟିର ଧର୍ମେନ୍ଦ୍ର ଯାଦବ, ତୃଣମୂଳ କଂଗ୍ରେସର କଲ୍ୟାଣ ବାନାର୍ଜୀ, ଡିଏମକେର ସେଲଭା ଗଣପତି, ଟିଡିପିର ଜି.ଏମ.ହରିଶ ବାଲୟୋଗୀ, ଏନସିପି (ଶରତ) ସୁପ୍ରିୟା ସୁଲେ, ଶିବସେନା (ସିନ୍ଦେ) ଡା.ଶ୍ରୀକାନ୍ତ ଏକନାଥ ସିନ୍ଦେ, ଆରଏଲଡିର ଚନ୍ଦନ ଚୌହାନ, ଜନସେନା ପାର୍ଟିର ବାଲାଶୋଭରୀ ଭଲ୍ଲଭନେନ୍ ସଦସ୍ୟ ଅଛନ୍ତି।