'ସ୍ୱପ୍ନରେ ବି ଅପମାନ କରିପାରିବି ନାହିଁ', କଂଗ୍ରେସ ଆମ୍ୱେଦକର ଏବଂ ସଂରକ୍ଷଣ ବିରୋଧୀ ଦଳ: ଅମିତ୍ ଶାହ

Published By : Prameya-News7 Bureau | December 18, 2024 IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଆମ୍ୱେଦକର ବିବାଦ ଉପରେ କଂଗ୍ରେସକୁ ପାଲଟା ଆକ୍ରମଣ କରିଛନ୍ତି । ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ତାଙ୍କ ବୟାନକୁ କଂଗ୍ରେସ ବିକୃତ କରି ଉପସ୍ଥାପନ କରୁଛି । ସେ କହିଛନ୍ତି, 'କଂଗ୍ରେସ ଆମ୍ୱେଦକର ବିରୋଧୀ, ସଂରକ୍ଷଣ ବିରୋଧୀ ଏବଂ ସମ୍ୱିଧାନ ବିରୋଧୀ ପାର୍ଟି ।' 

କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ସହ ମିଳିତ ସାମ୍ୱାଦିକ ସମ୍ମିଳନୀରେ ଶାହ କଂଗ୍ରେସକୁ ଘେରିଛନ୍ତି । ଆମ୍ୱେଦକରଙ୍କୁ ନେଇ ବିରୋଧୀଙ୍କ ଟାର୍ଗେଟକୁ ଆସିଥିବା ଶାହ କହିଛନ୍ତି ଯେ ସେ ସ୍ୱପ୍ନରେ ବି କେବେ ବି ବାବା ସାହେବ ଆମ୍ୱେଦକରଙ୍କୁ ଅପମାନ କରିପାରିବେ ନାହିଁ । କଂଗ୍ରେସ ଦଶନ୍ଧି ଦଶନ୍ଧି ଯାଏ ଦେଶ ଉପରେ ଶାସନ କରିଛି ଏବଂ ଏହି ଅବଧିରେ ନ୍ୟାୟପାଳିକାର ସବୁବେଳେ ଅପମାନ କରିଛି । ଶାହ କହିଛନ୍ତି ଯେ କଂଗ୍ରେସ ନେତା ସହିଦଙ୍କ ଅପମାନ କରିଛି ଏବଂ ଭାରତର ଭୂମିକୁ ଅନ୍ୟ ଦେଶକୁ ଦେବାର କାମ ବି କଂଗ୍ରେସ ଶାସନକାଳରେ ହୋଇଛି ।

କଂଗ୍ରେସକୁ ପାଲଟା ଜବାବ ଦେଇ ଶାହ କହିଛନ୍ତି ବାବା ସାହେବ ଆମ୍ୱେଦକର ଯିବା ପରେ କଂଗ୍ରେସ କେବେ ବି ତାଙ୍କୁ ସମ୍ମାନ ଦେଇ ନାହିଁ । ପଣ୍ଡିତ ଜବାହାରଲାଲ୍ ନେହରୁଙ୍କ ପୁସ୍ତକ କଥା ମଧ୍ୟ ଶାହ ଉଲ୍ଲେଖ କରିଛନ୍ତି । ବାବା ସାହେବଙ୍କୁ କେବେ ବି ଉପଯୁକ୍ତ ସ୍ଥାନ ଦେଇନଥିବା ନେହରୁ ଜୀ ନିଜ ବହିରେ ଲେଖିଥିବା ଶାହ କହିଛନ୍ତି । କଂଗ୍ରେସ ବାବା ସାହେବଙ୍କୁ ଭାରତ ରତ୍ନ ଦେଲା ନାହିଁ । କଂଗ୍ରେସ କେବଳ ନିଜ ନେତାଙ୍କୁ ଭାରତ ରତ୍ନ ଦେଇଥିଲା ଏବଂ ୧୯୯୦ ଯାଏ ଆମ୍ୱେଦକରଙ୍କୁ ଯେପରି ଭାରତ ରତ୍ନ ନମିଳିବ ତାହା ମଧ୍ୟ ସୁନିଶ୍ଚିତ କରିଥିଲା । କଂଗ୍ରେସ ଶାସନକାଳରେ ବାବା ସାହେବଙ୍କ କୌଣସି ସ୍ମାରକୀ ନିର୍ମାଣ କରାଯାଇ ନାହିଁ । ବିରୋଧୀ ଦଳ କ୍ଷମତାକୁ ଫେରିବା ପରେ ସ୍ମାରକୀ ନିର୍ମାଣ କରାଗଲା ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଭ୍ରାନ୍ତି ସୃଷ୍ଟି କରୁଛି । ମିଛ ଖବର ପ୍ରଚାର କରୁଛି । ସେ କହିଛନ୍ତି ଯେ ନିର୍ବାଚନ ବେଳେ କଂଗ୍ରେସ AI ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କ ଏଡିଟେଡ୍ ଭିଡିଓ ପ୍ରସାରଣ କଲା । ଶାହ କହିଛନ୍ତି ଯେ ମୁଁ ସେହି ଦଳରୁ ଆସିଛି, ଯିଏ ସବୁବେଳେ ଆମ୍ୱେଦକର ଜୀଙ୍କୁ ସମ୍ମାନ କରିବା ସହ ତାଙ୍କ ଆଦର୍ଶରେ ଚାଲିବା ପାଇଁ ପ୍ରୟାସ କରିଛି । ଆମ୍ୱେଦକରଙ୍କ ବିରୋଧରେ କେବେ କିଛି ଭୁଲ କହିପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ସଂସଦରେ ସମ୍ୱିଧାନ ଉପରେ ଚର୍ଚ୍ଚାର ଜବାବ ବେଳେ ବାବା ସାହେବ ଆମ୍ୱେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ୍ ଶାହ ଟିପ୍ପଣୀକୁ ନେଇ କଂଗ୍ରେସ ଘେରିଥିଲା । କଂଗ୍ରେସ ସମେତ ବିରୋଧୀ ଦଳ ନେତା ଅମିତ୍ ଶାହଙ୍କୁ ଟାର୍ଗେଟ୍ କରିବା ସହ ବରଖାସ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.