ମୁମ୍ବାଇ ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି: ନିଖୋଜମାନଙ୍କୁ ଖୋଜିବାକୁ ଚାଲିଛି ବଡ଼ ଧରଣର ଉଦ୍ଧାର କାର୍ଯ୍ୟ

Published By : Prameya-News7 Bureau | December 18, 2024 IST

indiatoday

ନୂଆଦିଲ୍ଲୀ: ମୁମ୍ବାଇ ଉପକୂଳରେ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହି ଘଟଣାରେ ୧୦୧ ଜଣ ଉଦ୍ଧାର ହୋଇଛନ୍ତି। ଅପରାହ୍ନ ୩.୫୫ ମିନିଟ୍‌ରେ ଏହି ଦୁର୍ଘଟଣା ହୋଇଥିଲା। ନୌସେନାର ଏକ ବୋଟ୍‌ ନିଲକମଲ ନାମକ ଏକ ଯାତ୍ରୀବାହୀ ଡଙ୍ଗାରେ ପିଟି ହେବାରୁ ଏହି ଦୁର୍ଘଟଣା ହୋଇଛି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି। 

 

ମିଡିଆ ରିପୋର୍ଟ ଅନୁସାରେ, ଯାତ୍ରୀମାନେ ଏଲିଫାଣ୍ଟା ଗୁମ୍ଫାରୁ ନୀଲକମଲ ନାମକ ଜାହାଜରେ ବସି ଗେଟୱେ ଅଫ୍ ଇଣ୍ଡିଆ ନିକଟକୁ ଆସୁଥିଲା। ଏହି ନୌସେନାର ସ୍ପିଡ୍ ବୋଟ୍‌ ଯାତ୍ରୀବାହୀ ଡଙ୍ଗାକୁ ଜୋର୍‌ରେ ଧକ୍କା ଦେବାରୁ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାରେ ୧୦୦ରୁ ଅଧିକ ଯାତ୍ରୀ ଗେଟ୍‌ ୱେ ଅଫ୍ ଇଣ୍ଡିଆକୁ ଆସୁଥିଲେ। ଏଥିରେ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜମାନଙ୍କୁ ଖୋଜା ଚାଲିଛି। 

୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।

ନୌସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନୌସେନାର ଏହି ସ୍ପିଡ୍‌ ବୋଟ୍‌ଟି ଏକ ରିଜିଡ ଇନ୍‌ଫ୍ଲେଟେବଲ ବୋଟ(ଆର୍‌ଆଇବି) ଥିଲା। ଏହାର ଇଞ୍ଜିନ ଟ୍ରାଏଲ ଚାଲିଥିଲା। ଯାତ୍ରୀକ ତ୍ରୁଟି ଯୋଗୁ ସ୍ପିଡ୍‌ବୋଟ୍ ଫେରି ଡଙ୍ଗାରେ ପିଟି ହୋଇଥିଲା। 
ଘଟଣା ସମୟର ଭିଡିଓ ଫୁଟେଜ୍‌ରୁ ଜଣାପଡ଼ୁଛି ଯେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଡଙ୍ଗାକୁ ପଠା ଯାଉଛି। ଯାତ୍ରୀମାନଙ୍କ ମଧ୍ୟରେ ଭୟରବାତାବରଣ ଖେଳିଯିବା ପରେ ସେମାନଙ୍କୁ ଅନ୍ୟ ଏକ ଡଙ୍ଗା ଡାକି ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ଘଟଣା ସ୍ଥଳରେ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନୌସେନା ଓ ତଟରକ୍ଷୀ ବାହିନୀ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ
୧୧ଟି ନୌସେନା ଡଙ୍ଗା, ସାମୁଦ୍ରିକ ପୁଲିସର ୩ଟି ଜାହାଜ ଏବଂ ତଟରକ୍ଷୀ ବାହିନୀଙ୍କର ଗୋଟିଏ ବୋଟ୍ ଘଟଣାସ୍ଥଳରେ ମୁତୟନ କରାଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ୪ଟି ହେଲିକପ୍ଟର, ଜବାହାରଲାଲ ନେହରୁ ପୋର୍ଟ ଅଥୋରିଟିର କିଛି ସଧାନର ବ୍ୟବହାର କରାଯିବା ସହିତ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।  


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.