ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୨୦୨୫ ଜାନୁଆରିରୁ ଲାଗୁ ହେବ ସମାନ ନାଗରିକ ସଂହିତା । ରାଜ୍ୟର ମୁଖ୍ୟମନ୍ତ୍ରୀ ବୁଧବାର ଏହି ଘୋଷଣା କରିଛନ୍ତି । ୟୁସିସି ଲାଗୁ କରିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଥିବା ସେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ ଉତ୍ତରାଖଣ୍ଡକୁ ନ୍ୟାୟସଙ୍ଗତ କରିବା ଦିଗରେ ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଉଛନ୍ତି । ଉତ୍ତରାଖଣ୍ଡ ସରକାର ନିଜ ସଂକଳ୍ପ ଅନୁସାରେ ସମାନ ନାଗରିକ ସଂହିତା ଲାଗୁ କରିବା ଦିଗରେ ସମସ୍ତ ହୋମାୱାର୍କ ଶେଷ କରିସାରିଛନ୍ତି ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୨୨ ମାର୍ଚ୍ଚରେ ନୂଆ ସରକାର ଗଠନ ପରେ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକରେ ହିଁ ରାଜ୍ୟରେ ୟୁସିସି ଲାଗୁ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହିକ୍ରମରେ ଜଷ୍ଟିସ୍ (ସେବାନିବୃତ୍ତ) ରଞ୍ଜନା ପ୍ରକାଶ ଦେସାଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । କମିଟିର ରିପୋର୍ଟ ଆଧାରରେ ୨୦୨୪ ଫେବ୍ରୁଆରି ୭ରେ ରାଜ୍ୟ ବିଧାନସଭା ସମାନ ନାଗରିକ ସଂହିତା ବିଧେୟକ ୨୦୨୪ ପାରିତ କରିଥିଲା । ଏହି ବିଧେୟକ ଉପରେ ରାଷ୍ଟ୍ରପତିଙ୍କ ସହମତି ମିଳିବା ପରେ ମାର୍ଚ୍ଚ ୧୨ରେ ଏହା ଉପରେ ବିଜ୍ଞପ୍ତି ଜାରି କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିକ୍ରମରେ ସମାନ ନାଗରିକ ସଂହିତା, ଉତ୍ତରାଖଣ୍ଡ ୨୦୨୪ ଅଧିନିୟମର ନିୟମାବଳୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ଜାନୁଆରିରୁ ରାଜ୍ୟରେ ୟୁସିସି ଲାଗୁ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ନିମୟ ଲାଗୁ କରିବା ପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା ସହ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସିଏମ୍ ଧାମି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହେବା ଦିଗରେ ଅଗ୍ରସର ହେଉଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନତାଙ୍କ ସୁବିଧା ପାଇଁ ସମାନ ନାଗରିକ ସଂହିତା ସହ ଜଡିତ ଏକ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ପଞ୍ଜିକରଣ, ଆବେଦନ, ଅପିଲ୍ ପରି ସମସ୍ତ ସୁବିଧା ଅନଲାଇନ୍ ମଧ୍ୟରେ ଉପଲବ୍ଧ କରାଯିବ ।