ନୂଆଦିଲ୍ଲୀ: ହ୍ବାଇଟ୍ ହାଉସରେ ହାଇଡ୍ରାମା ପରେ ୟୁକ୍ରେନ ସମର୍ଥନରେ ୟୁରୋପୀୟ ଦେଶ । ଆମେରିକାରୁ ଫେରିବା ପରେ ୟୁକ୍ରେନ ଓ ବ୍ରିଟେନ ମଧ୍ୟରେ ୨.୨୬ ବିଲିୟନ ପାଉଣ୍ଡ ଋଣ ଚୁକ୍ତି ହୋଇଛି । ଏଥିରେ ୟୁକ୍ରେନ ପ୍ରତିରକ୍ଷା ବିଭାଗକୁ ଶକ୍ତି ମିଳିବ । ଏହି ଚୁକ୍ତିକୁ ନେଇ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁକ୍ରେନକୁ ୟୁନାଇଟେଡ୍ କିଙ୍ଗଡମ୍ ପକ୍ଷରୁ ପୂରା ସମର୍ଥନ ମିଳିବ ।
ବ୍ରିଟେନ ପକ୍ଷରୁ ୟୁକ୍ରେନକୁ ଏହି ଲୋନ୍, ଋଷ୍ ପ୍ରଭୁତ୍ବରେ ଥିବା ସମ୍ପତ୍ତିରୁ ମିଳୁଥିବା ଲାଭାଂଶରୁ ଦିଆଯିବ । ଏହି ଋଣ ଚୁକ୍ତିରେ ବ୍ରିଟେନ୍ ଚ୍ୟାନ୍ସଲର ରିଚେଲ ରିସ୍ବ ଏବଂ ୟୁକ୍ରେନର ଅର୍ଥ ମନ୍ତ୍ରୀ ସର୍ଗୀ ମାର୍ଚେକ୍ନୋ ହସ୍ତାକ୍ଷର କରିଛନ୍ତି । ଏହାର ପ୍ରଥମ କିସ୍ତି ଟଙ୍କା ଆସନ୍ତା ସପ୍ତାହରେ ୟୁକ୍ରେନକୁ ମିଳିବାର ଆଶା ରହିଛି ।
ହ୍ବାଇଟ୍ ହାଉସର ଓଭାଲ ଅଫିସରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଯୁକ୍ତିତର୍କ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ ଫେରିଆସିଥିଲେ । ପରେ ସେ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ୧୦ ଡାଉନିଂ ଷ୍ଟ୍ରିଟ୍ ବାହାରେ ଜେଲେନସ୍କିଙ୍କୁ ସ୍ବାଗତ କରିଥିଲେ । ଏହି ସାକ୍ଷାତ ଅତି ଉତ୍ସାହଜନକ ଥିଲା ବୋଲି କହିଛନ୍ତି ଜେଲେନସ୍କି । ୟୁକ୍ରେନ ପ୍ରତି ବ୍ରିଟେନର ଅତୁଟ ସମର୍ଥନକୁ ପ୍ରଶଂସା କରିଛନ୍ତି । ସେପଟେ ୟୁକ୍ରେନର ଖରାପ ସମୟରେ ବ୍ରିଟେନ ସଶକ୍ତି ହୋଇ ଛିଡ଼ା ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ।
ୟୁରୋପୀୟ ଶିଖର ସମ୍ମିଳନୀର ଠିକ୍ ପୂର୍ବରୁ ଏହି ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଛି । ଯେଉଁଠି ୟୁକ୍ରେନ ନେଇ ଶାନ୍ତି ବୁଝାମଣା ମଧ୍ୟରେ ଚର୍ଚ୍ଚା ଚାଲିଛି । ସେହି ସମୟରେ ୟୁକ୍ରେନ୍ ସହିତ ପୂରା ୟୁନାଇଟେଡ୍ କିଂଗଡମ ଆପଣଙ୍କ ସହିତ ଛିଡ଼ା ହୋଇଛି ବୋଲି ପ୍ରଦାନମନ୍ତ୍ରୀ ଷ୍ଟାରମର କହିଛନ୍ତି ।