ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ନେଇ ସାରା ବିଶ୍ୱ ଚିନ୍ତିତ ଅଛି। ବିଭିନ୍ନ ଆଡ଼ୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଆସୁଥିବା ବେଳେ ସ୍ଥିତି ଉପରେ ନଜର ରଖିଛି ଜାତିସଂଘ। ଏନେଇ ଜାତିସଂଘ ସାଧାରଣ ସଚିବ ଅଣ୍ଟୋନିଓ ଗୁଟେରେସ ବାରମ୍ବାର ଉଭୟ ଦେଶକୁ ଶାନ୍ତି ସମାଧାନ ପାଇଁ ଆହ୍ୱାନ ଦେଉଛନ୍ତି।
ଏନେଇ ସୋମବାର ଜାତିସଂଘ କାର୍ଯ୍ୟାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଉତ୍ତେଜନା ହ୍ରାସ କରିବା ଓ ଆଲୋଚନା ପାଇଁ ଉଭୟ ପକ୍ଷ ଦ୍ୱାରା ଗ୍ରହଣୀୟ ଯେ କୌଣସି ଉଦ୍ୟମକୁ ଜାତିଂସଘ ସମର୍ଥନ କରିବ ବୋଲି ଗୁଟେରେସଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି।
ଏନେଇ ଗୁଟେରେସଙ୍କ ପ୍ରବକ୍ତା କହିଛନ୍ତି "ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ସ୍ଥିତି ବିଷୟରେ ଜାତିସଂଘ ସାଧାରଣ ସଚିବ ଗଭୀର ଚିନ୍ତିତ ଅଛନ୍ତି। ସେ ଉଭୟ ସରକାରଙ୍କୁ ସର୍ବାଧିକ ସଂଯମତା ଅବଲମ୍ବନ କରିବା ଏବଂ ଉତ୍ତେଜନାକୁ ଏଡାଇବା ପାଇଁ ଦୃଢ଼ ଅନୁରୋଧ କରିଛନ୍ତି।" ସୋମବାର ଗୁଟେରେସଙ୍କ ମୁଖପାତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିବୃତ୍ତି ଜାରି କରାଯାଇଛି।
ସେ ଆହୁରି କହିଛନ୍ତି ଯେ " ଗୁଟେରେସଙ୍କର ଦୃଢ଼ ବିଶ୍ୱାସ ଯେ ସବୁଠାରୁ ଚ୍ୟାଲେଞ୍ଜିଂ ସମସ୍ୟାଗୁଡ଼ିକୁ ମଧ୍ୟ ଅର୍ଥପୂର୍ଣ୍ଣ ଏବଂ ଗଠନମୂଳକ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରାଯାଇପାରିବ। ଉତ୍ତେଜନା ହ୍ରାସ ଏବଂ ଆଲୋଚନା ପୁନଃ ଆରମ୍ଭ କରିବାକୁ ଉଭୟ ପକ୍ଷ ଦ୍ୱାରା ଗ୍ରହଣୀୟ ଯେକୌଣସି ପଦକ୍ଷେପକୁ ଗୁଟେରେସ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି।"
ପଢ଼ନ୍ତୁ- ପାକିସ୍ତାନକୁ ଘାରିଲାଣି ଏୟାର ଷ୍ଟ୍ରାଇକ୍ ଭୟ ! ସିଆଲକୋଟର ଫରଓ୍ୱାର୍ଡ ବେସ୍ରେ ମୁତୟନ କଲା ରାଡାର ସିଷ୍ଟମ୍
ଏହା ପୂର୍ବରୁ ମଧ୍ୟ ଜାତିସଂଘ ସଚିବଙ୍କ ପ୍ରବକ୍ତା ଭାରତ-ପାକିସ୍ତାନ ଉତ୍ତେଜନା ନେଇ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ ସ୍ଥିତି ଉପରେ ନିକଟରୁ ନଜର ରଖାଯାଇଛି। ଉଭୟ ଦେଶ ଯଥା ସମ୍ଭବ ଯୁଦ୍ଧ ନ କରିବାକୁ ଚେଷ୍ଟା କରି ସଞ୍ଜମତା ରକ୍ଷା କରନ୍ତୁ। ଏଥିସହିତ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ ଜାତିସଂଘ ସାଧାରଣ ସଚିବ।
ତେବେ ସୋମବାର ଦିଆଯାଇଥିବା ବିବୃତ୍ତିରେ ଆହୁରି କୁହାଯାଇଛି ଯେ ଭାରତ ଏବଂ ପାକିସ୍ତାନରେ ଥିବା ଜାତିସଂଘ ସାମରିକ ପର୍ଯ୍ୟବେକ୍ଷକ ଗୋଷ୍ଠୀ (UNMOGIP)ର ଉସ୍ଥିତି ଆକ୍ରମଣ ଘଟିଥିବା ସ୍ଥାନରେ ନାହିଁ। ତେବେ ନିୟନ୍ତ୍ରଣ ରେଖାରେ ୧୯୭୧ ମସିହାର ଅସ୍ତ୍ରବିରତି ଚୁକ୍ତିର ନିୟମକୁ କାର୍ଯ୍ୟକାରି କରିବାକୁ କାର୍ଯ୍ୟ ଜାରି ରଖିଛି।
ସୂଚନା ଥାଉକି ୟୁଏନ୍ଏମ୍ଓଜିଆଇପି ଜାନୁଆରୀ ୧୯୪୯ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ସେହି ବର୍ଷ ଡିସେମ୍ବର ୧୭ ତାରିଖରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମାର ପାଳନ ପାଇଁ ଏହି ସଂସ୍ଥା କାମ କରିଥାଏ। ଚୁକ୍ତି ଅନୁସାରେ, ଅସ୍ତ୍ରବିରତ ଉଲ୍ଲଂଘନ ହେଉଛି କି ନା, କିଏ ଏହାର ଉଲ୍ଲଂଘନ କରୁଛି ଏସବୁର ରିପୋର୍ଟ ୟୁଏନ୍ଏମ୍ଓଜିଆଇପି ୟୁଏନ ସେକ୍ରେଟାରୀ-ଜେନରାଲଙ୍କୁ ରିପୋର୍ଟ କରନ୍ତି। କିନ୍ତୁ ପହଲଗାମ ଘଟଣାରେ ଉକ୍ତ ସ୍ଥାନରେ ୟୁଏନ୍ଏମ୍ଓଜିଆଇପିର କୌଣସି ସଦସ୍ୟ ନଥିଲେ ବୋଲି ଜାତିସଂଘ ସଚିବ କହିଛନ୍ତି। ସେପଟେ ଭାରତର କହିବା କଥା ହେଲା ୟୁଏନ୍ଏମ୍ଓଜିଆଇପିଏହାର ପ୍ରାସଙ୍ଗିତା ହରାଇସାରିଛି। ସିମଲା ଚୁକ୍ତି ଏବଂ ନିୟନ୍ତ୍ରଣ ରେଖା (LoC) ସ୍ଥାପନ ପରେ ଏହାର ଔଚିତ୍ୟ ନାହିଁ।
ପଢନ୍ତୁ- ବଡ଼ ଆକ୍ରମଣ ଯୋଜନାରେ ଆତଙ୍କବାଦୀ: ବନ୍ଦ ହେଲା ଜମ୍ମୁ-କାଶ୍ମୀର ପର୍ଯ୍ୟଟନ ସ୍ଥଳ: ଗୁଇନ୍ଦା ସୂଚନା ପରେ ଆଲର୍ଟ